• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଛୋଟ ଦେଶଟିଏ । ଦେଶ ନ କହି ସହର କହିଲେ ଠିକ ହେବ । ହେଲେ ସମସ୍ତେ ଏଠି କୋଟିପତି । ସେଥିପାଇଁ ଏ ଦେଶକୁ କହନ୍ତି କୋଟିପତିଙ୍କ ଦେଶ । ନାଁ ତାର ମୋନାକୋ । ଫ୍ରାନ୍ସର ଭୂମଧ୍ୟ ସାଗର ଉପକୂଳରେ ଅବସ୍ଥିତ  । କ୍ଷେତ୍ରଫଳ ୨.୦୨ ସ୍କୋୟାର କିଲୋମିଟର । କ୍ଷେତ୍ରଫଳ ଦୃଷ୍ଟିରୁ ଦେଖିଲେ ଏହା ଦିଲ୍ଲୀର ଜବାହରଲାଲା ବିଶ୍ୱବିଦ୍ୟାଳୟଠାରୁ ବି କମ ହେବ । କାରଣ ଜେଏନୟୁର କ୍ଷେତ୍ରଫଳ ୪.୧୨ ସ୍କୋୟାର କିଲୋମିଟର । ବିଶ୍ୱର ସବୁଠାରୁ ଛୋଟ ଦେଶ ଭାଟିକାନ ସିଟି ପରେ ଏହା ୨ୟ ଛୋଟ ରାଷ୍ଟ୍ର ଅଟେ ।   ହେଲେ ବିଶ୍ୱର ସବୁଠାରୁ ଧନୀ ଦେଶ ଭାବେ ଏହାର ପରିଚୟ ରହିଛି ।

କ୍ଷେତ୍ରଫଳ ଛୋଟ ହେଲେ କ’ଣ ହେବ, ପ୍ରାଚୁର୍ଯ୍ୟରେ ଭରପୂର ଏ ଦେଶ ।   ୨୦୨୫ ଫେବୃଆରୀ ୧୨ ତାରିଖ ସୁଦ୍ଧା ଏଇ ଛୋଟ ଦେଶର ଲୋକସଂଖ୍ୟା  ୩୮,୪୫୧ ରହିଛି ।  ଏଠାରେ ଜନଂସଖ୍ୟାର ଘନତ୍ୱ ପ୍ରତି ବର୍ଗ କିଲୋମିଟରରେ ୨୫,୯୨୭ ।  ଏହାର କ୍ଷେତ୍ରଫଳ ଏତେ କମ ଯେ ପାଦରେ ଚାଲି ଚାଲି ଗଲେ ଗୋଟିଏ ଘଣ୍ଟାରେ ବୁଲି ଆସି ପାରିବ । ଏତେ ଲୋକଙ୍କ ପାଇଁ ଏଠାରେ ଜାଗା କମ ପଡିଯାଉଛି । ବିବିସିର ଏକ ରିପୋର୍ଟ ଅନୁସାରେ, ଏଠାରେ ପାଖାପାଖି ୩ ହଜାର ଲୋକଙ୍କ ଘର ନାହିଁ । ଏମାନେ ବଡ ବଡ କାର କିମ୍ବା ସାର୍ବଜାନୀନ ସ୍ଥାନରେ ରୁହନ୍ତି । ତଥାପି ଏ ଦେଶ ନିଜର ସମୃଦ୍ଧି, ବିଳାସପୂର୍ଣ୍ଣ କାର, ଦାମୀ ଜାହାଜ ପାଇଁ ବେଶ ପ୍ରସିଦ୍ଧ । 

ଏତେ କମ ଜାଗାରେ କିପରି ଲୋକଙ୍କୁ ଥଇଥାନ କରିବେ ସେ ନେଇ ମୋନାକୋ ସରକାର ସମାଧାନର ବାଟ ବାହାର କରୁଛନ୍ତି । ମୋନାକୋ ସରକାର ପାହାଡ ଉପରେ ଘର କରିବା, ଗଗନଶ୍ଚୁମ୍ଭୀ ଅଟ୍ଟାଳିକା କରିବା, ମାଟି ତଳେ ଘର କରିବା ପରି ସବୁ ଉପାୟ ପୂର୍ବରୁ କରି ସାରିଛନ୍ତି । ଘର ପାଇଁ ଆଉ କେଉଁଠି କିଛି ଜାଗା ନାହିଁ ଯେଉଁଠି ଲୋକଙ୍କୁ ଥଇଥାନ କରାଯାଇ ପାରିବ । କେବଳ ଗୋଟିଏ ଜାଗା ରହିଛି ପାଣି । ପାଣି ଉପରେ ଘର କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ଏଥିପାଇଁ ୫ ବର୍ଷ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଏହା ଉପରେ କାମ ଆରମ୍ଭ ମଧ୍ୟ ହୋଇଛି ।

ଏ ଦେଶରେ ଲୋକ ଜାଗା ଟିକିଏ ପାଇଁ ଏମିତି ସଂଘର୍ଷ କରୁଛନ୍ତି । ପାଣି ଉପରେ ଏବଂ ପାଣି ନିକଟରେ ଘର ତିଆରି କରିବା ପାଇଁ ସରକାର ‘ଅଫଶୋର ଅର୍ବାନ ଏକ୍ସଟେନସନ ପ୍ରୋଜେକ୍ଟ’ ପ୍ରସ୍ତୁତ କରିଛନ୍ତି ।  ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ପ୍ରୋଜେକ୍ଟ ଶେଷ ହେବାର ସମ୍ଭାବନା ରହିଛି । ତେବେ ଦେଖିବାର କଥା ଯେ ମୋନାକୋରେ କେତେଦୂର ପର୍ଯ୍ୟନ୍ତ ଏହି ନିର୍ମାଣ କାର୍ଯ୍ୟ ହୋଇ ପାରୁଛି । ଏହି ନିର୍ମାଣ ଦ୍ୱାରା ଦେଶ ସହ ଘର କିମ୍ବା ଅନ୍ୟ କୌଣସି ବାଣିଜ୍ୟିକ ଆବଶ୍ୟକତା ପାଇଁ ୧୫ ଏକର ଜମି ଯୋଡି ହେବ । ଏଥିରେ ୧୨୦ରୁ ଅଧିକ କୋଠା, ପାର୍କ ଏବଂ ଦୋକାନ ନିର୍ମାଣ ହେବ । ସମୁଦ୍ର ଭିତରକୁ ନିଜକୁ ବିସ୍ତାର କରିବାରେ ମୋନାକୋର ଏହା ପ୍ରଥମ ଉଦ୍ୟମ ନୁହେଁ । ଏହା ପୂର୍ବରୁ ଅର୍ଥାତ ୧୮୬୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋନାକୋ ସମୁଦ୍ରରେ ନିଜର ଇଲାକା ୨୦ ପ୍ରତିଶତ ବଢାଇ ସାରିଛି ।

ତଥାପି ଏ ଦେଶ ଏତେ ଧନୀ କେମିତି ? କାହିଁକି ଏଠାରେ ଜଣେ ହେଲେ କେହି ଗରିବ ନାହାନ୍ତି  ? ଏହା ପଛରେ ମଧ୍ୟ ଏକ କାରଣ ରହିଛି । ଏ ଦେଶରେ ଏକ ଅଜବ  ନିୟମ ରହିଛି ଜାଣିଲେ ଆଶ୍ଚର୍ଯ ହୋଇଯିବେ । ଏ ଦେଶର ଲୋକଙ୍କ ଉପରେ  ଇନକମ ଟ୍ୟାକ୍ସ   ଲାଗୁ କରାଯାଏ ନାହିଁ । ଅର୍ଥାତ ଏ ଦେଶରେ ଟାକ୍ସ ବ୍ୟବସ୍ଥା ନାହିଁ । ଅନ୍ୟ ଅର୍ଥରେ କହିଲେ, ଏଠିକା ସରକାରଙ୍କୁ ବି ଜଣା ନାହିଁ ଯେ, ତାଙ୍କ ଲୋକଙ୍କ ପାଖରେ କେତେ ଅର୍ଥ ଅଛି । ତେବେ ଏ ଦେଶରେ ମୁଣ୍ଡପିଛା ଆୟ ୧,୬୫,୪୨୦ ଡଲାର ଅଟେ । ଇଣ୍ଟରନାଶନାଲ ୟୁନିଭର୍ସିଟି ଅଫ ମୋନାକୋର ଅର୍ଥଶାସ୍ତ୍ରବିଦ ଡ. ଦେମ୍ୟାନା ବକେର୍ଡଜିଭା କହନ୍ତି. ତାଙ୍କ ଦେଶରେ ଦାରିଦ୍ରକୁ ନେଇ କୌଣସି ମାନଦଣ୍ଡ ନାହିଁ । ତେଣୁ ଏ ଦେଶରେ ଯେ କେହି ଗରିବ ସୀମାରେଖା ତଳେ ନାହାନ୍ତି ଏକଥା କୁହାଯାଇ ପାରିବ ।

ଯାହା ବି ହେଉ, ଏତେ ବଡ ଧନୀ ଦେଶରେ ଚଳିବା ପାଇଁ ସମସ୍ତଙ୍କୁ ଧନୀ ହେବାକୁ ପଡିବ  । ତେବେ ସବୁଠାରୁ ବଡ କଥା ହେଲା, ଏଠାରେ ମୋନାକୋର ମୂଳ ନିବାସୀଙ୍କ ସଂଖ୍ୟା ମାତ୍ର ୯୩୨୬ ଅଟେ । ଅନ୍ୟ ସମସ୍ତେ ଏଠାରେ ପ୍ରବାସୀ । ବିଶ୍ୱର ଅଧିକାଂଶ ଧନୀ ଲୋକ ଏଠାକୁ ଆସି ସ୍ଥାୟୀ ବାସିନ୍ଦା ହୋଇ ଯାଇଛନ୍ତି । ଫ୍ରାନ୍ସ, ଇଟାଲି, ବ୍ରିଟେନ, ସ୍ୱିଜରଲାଣ୍ଡ, ଜର୍ମାନୀ ଏବଂ ଆମେରିକାର ଧନୀକ ଶ୍ରେଣୀର ଲୋକ, ଶିଳ୍ପପତି ଆସି ଏଠାରେ ରହୁଛନ୍ତି । ବିଶେଷତଃ ଯେଉଁମାନେ ଏଠିକା ଜଳବାୟୁ ସହ ଚଳିପାରନ୍ତି ସେମାନେ ଏଠାରେ ରହିବାକୁ ପସନ୍ଦ କରିଥାନ୍ତି । ତା ଛଡା ଯେଉଁମାନେ ଟିକସ ବଞ୍ଚାଇବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଏଠାରେ ରହିବାକୁ ପସନ୍ଦ କରନ୍ତି । ଏହି ଧନୀ ଶ୍ରେଣୀର ଲୋକେ ମୋନାକୋରେ ରହି ସାରା ବିଶ୍ୱରେ ବ୍ୟବସାୟ କରନ୍ତି ଏବଂ କୋଟି କୋଟି ଟଙ୍କା ଉପାର୍ଜନ କରନ୍ତି । ହେଲେ ଏମାନଙ୍କୁ ଟଙ୍କାଟିଏ ବି ଟାକ୍ସ ବାବଦରେ ଦେବାକୁ ପଡି ନଥାଏ । ଏଠାରେ ପ୍ରତି ତିନି ଜଣରେ ଜଣେ କୋଟିପତି ଅଟନ୍ତି ।

ମୋନାକୋ ନିଜର ଅର୍ଥ ବ୍ୟବସ୍ଥା ପାଇଁ ପର୍ଯ୍ୟଟନ ଏବଂ ବ୍ୟାଙ୍କିଂ ଉପରେ ନିର୍ଭର କରିଥାଏ । ମୋନାକୋରେ ଶିକ୍ଷା ବ୍ୟବସ୍ଥା ଯଥେଷ୍ଟ ଉଚ୍ଚକୋଟିର । ଏଠିକା ଲୋକଙ୍କର ପଢା ଲେଖା ପ୍ରତି ଖୁବ ଆଗ୍ରହ ଥାଏ । ଏହି ଦେଶର ଲୋକେ ଖୁବ ଶାନ୍ତିପ୍ରିୟ । କେହି କାହା ସହ ଝଗଡା କରିବାର ଦେଖିବାକୁ ମିଳି ନ ଥାଏ । ଯେହେତୁ ଅଭାବ ନ ଥାଏ ତେଣୁ ଏଠାରେ ଅପରାଧ ମଧ୍ୟ ନାହିଁ କହିଲେ ଚଳେ ।

ଏଠାରେ ଆକର୍ଷଣୀୟ ରିସୋର୍ଟ ଏବଂ କ୍ୟାସିନୋ ରହିଛି । ଜୁଆ ଖେଳ ପାଇଁ ଏହି ଦେଶର ପ୍ରସିଦ୍ଧି ରହିଛି । ବର୍ଷସାରା ଏହି ଦେଶକୁ ୟୁରୋପୀୟ ପର୍ଯ୍ୟଟକମାନେ ଆସିଥାନ୍ତି । ଏହି ଦେଶର ଜଳବାୟୁ ୟୁରୋପର ଅନ୍ୟ ଥଣ୍ଡା ଦେଶ ତୁଳନାରେ ପର୍ଯ୍ୟଟଙ୍କ ପାଇଁ ବେଶ ଅନୁକୂଳ` । ଏଠାରେ ବର୍ଷସାରା ଖରା ପଡିଥାଏ  । ତେଣୁ ଶୀତଋତୁର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅନ୍ୟ ଦେଶର ଧନୀ ଲୋକମାନେ ମୋନାକୋକୁ ବୁଲିବାକୁ ଆସିଥାନ୍ତି । ଏଠାରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି । ପଞ୍ଚତାରକା ହୋଟେଲ  ରହିଛି । ଏହାବ୍ୟତୀତ ସୁସଜ୍ଜିତ ହୋଟେଲ, ଜାହାଜର ବ୍ୟବସ୍ଥା ମଧ୍ୟ ରହିଛି । ଏଠାରେ ‘ଦ ପ୍ୟାରିସ’ ନାମରେ ଏକ ହୋଟେଲ ରହିଛି ଯେଉଁଠାରେ ଡିଲକ୍ସ ରୁମର ରାତିକ ପାଇଁ ଭଡା ୨୨ଲକ୍ଷ ଟଙ୍କାରୁ ଅଧିକ  ।

ଏଠିକାର ଲୋକେ ପରସ୍ପର ସହ ମିଶି ଚଳିବାକୁ ପସନ୍ଦ କରିଥାନ୍ତି । ଏମାନେ ହସଖୁସିରେ ଜୀବନ ଜିଇଁବାକୁ ପସନ୍ଦ କରିଥାନ୍ତି । ତେଣୁ ଏଠାରେ ଅଧିକାଂଶ ଲୋକ ୯୦ ବର୍ଷ ଯାଏ ବଞ୍ଚନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏ ଦେଶର କୌଣସି ସେନାବାହିନୀ ନାହାନ୍ତି । ୧୭ଶ ଶତାବ୍ଦୀରୁ ଏହି ଦେଶ ସୈନ୍ୟ ନିବେଶ ବନ୍ଦ କରି ଦେଇଛି । ଏହି ଦେଶର ଦୁଇଟି ଛୋଟ ସେନା ବାହିନୀ ଅଛି । ଏଥିମଧ୍ୟରୁ ଗୋଟିଏ ଦେଶର ରାଜକୁମାରଙ୍କ ରକ୍ଷା ପାଇଁ ଅନ୍ୟଟି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କାମ କରିଥାଏ । ତେବେ ଯଦି କୌଣସି ବାହାର ଦେଶ ଆକ୍ରମଣ କଲା ତେବେ ମୋନାକୋକୁ ରକ୍ଷା କରିବାର ଦାୟିତ୍ୱ ଫ୍ରାନ୍ସର । 

ଯାହା ବି ହେଉ, ଏମିତି ଏକ ଧନୀ ଦେଶରେ ରହିବା ପାଇଁ ବିଶ୍ୱର ଅନେକ କୋଟିପତି ଚାହିଁ ବସିଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now