• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନରେ ଦାରୁଣ ମାନବୀୟ ସଂକଟ । ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି । କିଏ ଘର ଓ ସହର ଛାଡ଼ୁଛି, ତ କିଏ ଛାଡ଼ୁଛି ଦେଶ । ଆହୁରି ଅନେକ ବିପନ୍ନ ଯୁଦ୍ଧ ଭିତରେ ବି ଆଶ୍ରୟର ସନ୍ଧାନରେ ଅଛନ୍ତି । ଏଭଳି ସ୍ଥିତିରେ ମିଳିତ ଜାତିସଂଘ ଓ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ୟୁକ୍ରେନ୍ ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଭାରତ ବି ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ନିଜ ମତ ରଖିଛି ।

ସହର କହିଲେ ଭାଙ୍ଗିରୁଜି ଯାଇଥିବା ଦରପୋଡ଼ା କୋଠା, ଥୁଣ୍ଟା ଗଛ, ଖାଁଖାଁ ପରିବେଶ । ଆଉ ଏଣେତେଣେ ପଳାଉଥିବା ଭିତତ୍ରସ୍ତ ଲୋକ । ୟୁକ୍ରେନର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିଉପୋଲର ଦୃଶ୍ୟ ଅତି ଦୟନୀୟ । ଏଠାରେ ଦିନକୁ ପଡ଼ୁଛି ୫୦ରୁ ୧୦୦ ବୋମା । ସହରର ୮୦ ପ୍ରତିଶତ ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ସହରର ଆକର୍ଷଣୀୟ ଡ୍ରାମା ଥିଏଟର୍ ବିଲ୍ଡିଂ ଋଷୀୟ ଆକ୍ରମଣ ପରେ ଏମିତି ଧ୍ୱଂସସ୍ତୁପରେ ପରିଣତ ହୋଇଥିବା ବେଳେ ସେଠାରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଥିଏଟର୍ ବିଲ୍ଡିଂରେ ଆଶ୍ରୟ ନେଇଥିବା ହଜାରେରୁ ଅଧିକ ଲୋକଙ୍କୁ ଭିତରୁ କେତେ ମୃତାହତ ହୋଇଛନ୍ତି, ଏଯାଏଁ ସ୍ପଷ୍ଟ ହୋଇନି ।

ଇଟାଲି ଏହି ଐତିହାସିକ କୋଠାର ମରାମତି ଦାୟିତ୍ୱ ନେବ ବୋଲି କହିଛି । ତେଣେ ଆଜି ସକାଳୁ ଋଷୀୟ ରୋଷର ଶିକାର ହୋଇଛି ପଶ୍ଚିମ ୟୁକ୍ରେନୀୟ ସହର ଲିଭିବ୍ । ସେଠାକାର ବିମାନବନ୍ଦ ଉପରେ ମିଜାଇଲ୍ ମାଡ଼ ହେବା ଫଳରେ ପ୍ରମୁଖ ଟର୍ମିନାଲ କ୍ଷତିଗ୍ରସ୍ତ ହୋଇଛି । ପାଖରେ ଥିବା ଏକ ବିମାନ ମରାମତି କାରଖାନାରେ ମଧ୍ୟ ଲଗାତାର ୩ଟି ବଡ଼ ବିସ୍ଫୋରଣ ହୋଇଥିବା କୁହାଯାଉଛି । ଋଷ ବ୍ଲାକ୍ ସିରୁ ଲିଭିବକୁ ୬ଟି ମିଜାଇଲ୍ ଛାଡ଼ିଥିବା ବେଳେ ସେଥିରୁ ୨ଟିକୁ ଆକାଶମାର୍ଗରେ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ୍ । ଖାରକିଭରେ ପ୍ରଖ୍ୟାତ ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି । ଗତମାସରେ ତାଙ୍କୁ ୟୁକ୍ରେନର ସର୍ବୋଚ୍ଚ କଳାପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଚେରନିଭରେ ଗତ ୨୪ ଘଣ୍ଟାରେ ଜଣେ ଆମେରିକୀୟଙ୍କ ସମେତ ୫୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । କିଭରେ ମଧ୍ୟ ଋଷୀୟ ମିଜାଇଲର କିଛି ଅଂଶ ଖସିପଡ଼ିବା ଫଳରେ ଜଣଙ୍କ ଜୀବନ ଯାଇଛି । ଋଷ ଗଣହତ୍ୟା ଚଳାଇଥିବା ୟୁକ୍ରେନ୍ ଅଭିଯୋଗ କରିଥିବା ବେଳେ କିଭ୍ ଶାନ୍ତି ଆଲୋଚନା ପ୍ରକ୍ରିୟାକୁ ଜାଣିଶୁଣି ଅଧିକ ଲମ୍ବାଉଛି ବୋଲି ମସ୍କୋ ଅଭିଯୋଗ କରିଛି । ସେପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ଦେବାକୁ କମିଟିକୁ ଚିଠି ଲେଖିଛନ୍ତି କିଛି ୟୁରୋପୀୟ ନେତା ।

ଅନ୍ୟପଟେ ୟୁକ୍ରେନ୍ ଯୁଦ୍ଧସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛି ବିଶ୍ୱସ୍ୱା ସଂଗଠନ । WHO ମୁଖ୍ୟ କହିଛନ୍ତି, ଜାତିସଂଘ ସୁରକ୍ଷା ପରିଷଦ ସେଠାରେ ତୁରନ୍ତ ଯୁଦ୍ଧବିରତି ଓ ରାଜନୈତିକ ସମାଧାନ ଦିଗରେ କାର୍ଯ୍ୟ କରୁ । ବର୍ତ୍ତମାନ ସ୍ଥିତିରେ କେବଳ ଏହି ୨ଟି ଜୀବନ ରକ୍ଷାକାରୀ ଔଷଧ ହିଁ ଆମକୁ ଲୋଡ଼ା । ଏଥିସହ ସୂଚନା ଦେଇଛନ୍ତି ଯେ, ୟୁକ୍ରେନର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ୪୩ଟି ଆକ୍ରମଣ ହୋଇଛି, ୧୨ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୪ ଜଣ ଆହତ ହୋଇଛନ୍ତି । ତେଣେ ଜାତିସଂଘରେ ଭାରତୀୟ ପ୍ରତିନିଧି ଜଣାଇଛନ୍ତି ଯେ, ଏବେସୁଦ୍ଧା ୟୁକ୍ରେନକୁ ଭାରତ ପକ୍ଷରୁ ୯୦ଟନ୍ ଓଷଧ ଓ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି ଓ ଆଗକୁ ବି ସହାୟତା ଜାରି ରହିବ । ୟୁକ୍ରେନରୁ ୨୨ହଜାର ୫ଶହ ଭାରତୀୟଙ୍କୁ ଫେରାଇ ଆଣିବା ସହ ଆମେ ଅନ୍ୟ ୧୮ଟି ଦେଶର ନାଗରିକଙ୍କୁ ବି ଉଦ୍ଧାର କରିବାରେ ସହାୟତା କରିଛୁ ।