• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୋସିଆଲ ମିଡିଆର ଦୁଇ ବାଦଶାହଙ୍କ ମଧ୍ୟରେ ହେବ ଘମାଘୋଟ ଲଢ଼େଇ । କେଜ୍ ଫାଇଟ ପାଇଁ ରିଙ୍ଗକୁ ଓହ୍ଲାଇବେ ଟ୍ୱିଟର ଓରଫ୍ ଏକ୍ସର ମାଲିକ ଏଲନ ମସ୍କ ଏବଂ ଫେସବୁକ ଓ ଥ୍ରେଡ୍ସର ମୁଖ୍ୟ ମାର୍କ ଜୁକର ବର୍ଗ । ବଳ କଷାକଷି ହେବେ, ଦେଖାଇବେ ମାର୍ଶଲ ଆର୍ଟର କଳାକୌଶଳ । ଏଭଳି ମୁକାବିଲା ପାଇଁ ପ୍ରଥମେ ଆହ୍ୱାନ ଦେଇଥିଲେ ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି ମସ୍କ । ଆଉ ମାର୍କ ଜୁକରବର୍ଗ ବି ଏହାକୁ ଗ୍ରହଣ କରିଛନ୍ତି ।...

ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଏକ୍ସ ଭାବେ ନାମିତ କରି ଏହାର କାୟା ବଢ଼ାଇବାକୁ ଚେଷ୍ଟା କରୁଛନ୍ତି ଏହାର ମାଲିକ ଏଲନ ମସ୍କ । ତେଣେ ଟ୍ୱିଟରର ବିକଳ୍ପ ପ୍ଲାଟଫର୍ମ 'ଥ୍ରେଡ୍ସ' ତିଆରି କରି ମସ୍କଙ୍କୁ ଟକ୍କର ଦେଉଛନ୍ତି ଫେସବୁକ ତଥା ଇନଷ୍ଟାଗ୍ରାମ ମୁଖ୍ୟ ମାର୍କ ଜୁକରବର୍ଗ । ହେଲେ ଏବେ ଉଭୟଙ୍କ ମଧ୍ୟରେ ସତସତିକା ମୁକାବିଲା ହେବ । ମାର୍ଶଲ ଆର୍ଟରେ ପାରଙ୍ଗମ ଏହି ଦୁଇ ସେଲିବ୍ରିଟି ଶିଳ୍ପପତିଙ୍କ ମଧ୍ୟରେ ଖୁବଶୀଘ୍ର ହୋଇପାରେ କେଜ୍ ଫାଇଟ୍ । ତାର ଜାଲି ଆବଦ୍ଧ ରିଙ୍ଗ୍ ଭିତରେ ହେବ ଅସଲି ଟକ୍କର। ଏହି ମୁକାବିଲା ଲାଗି ପ୍ରଥମେ ମସ୍କ ନିଜ ଆଡ଼ୁ ଜୁକରବର୍ଗଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ଏଥିସହ କହିଥିଲେ ଯେ, ଏହି ଫାଇଟ୍ ଏକ୍ସ ପ୍ଲାଟଫର୍ମରେ ସିଧାପ୍ରସାରଣ ହେବ । ଏଥିରୁ ଯାହା ଅର୍ଥ ଉପାର୍ଜନ ହେବ, ତାହା ପୂର୍ବତନ ସେନା କର୍ମଚାରୀଙ୍କ ହିତ ଲାଗି ଖର୍ଚ୍ଚ ହେବ ବୋଲି ଘୋଷଣା କରିଥିଲେ ମସ୍କ ।

ତେବେ ମାର୍କ ଜୁକରବର୍ଗ ତତକ୍ଷଣାତ୍ ମସ୍କଙ୍କୁ କଟାକ୍ଷ କରିବାକୁ ଯାଇ, ସୋସିଆଲ ମିଡିଆରେ ଲେଖିଥିଲେ ଯେ, ଚାରିଟି ଉଦ୍ଦେଶ୍ୟରେ ଏହି ଅର୍ଥ ସଂଗ୍ରହ ପାଇଁ ଏକ ବିଶ୍ୱସନୀୟ ପ୍ଲାଟଫର୍ମକୁ ବ୍ୟବହାର କରିବା ଉଚିତ ନୁହେଁ କି ? ଅର୍ଥାତ୍ ପରୋକ୍ଷରେ ମସ୍କଙ୍କ ଏକ୍ସ ପ୍ଲାଟଫର୍ମକୁ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଦର୍ଶାଇଥିଲେ ମାର୍କ ।...

ଏଲନ୍ ମସ୍କ ଓ ମାର୍କ ଜୁକରବର୍ଗ । ମସ୍କଙ୍କ ବୟସ ୫୧, ମାର୍କଙ୍କ ବୟସ ୩୯ । ମସ୍କଙ୍କ ଉଚ୍ଚତା ୬ଫୁଟ୍ ୧ ଇଞ୍ଚ, ମାର୍କଙ୍କ ଉଚ୍ଚତା ୫ ଫୁଟ୍ ୭ ଇଞ୍ଚ । ମସ୍କଙ୍କ ଓଜନ ପ୍ରାୟ ୮୨ କେଜି, ମାର୍କଙ୍କ ଓଜନ ପ୍ରାୟ ୭୦ କେଜି । ଏଲନ ମସ୍କ ଜୁଡ଼ୋ ଓ ତାଇକୋଣ୍ଡୋରେ ପାରଙ୍ଗମ। ମାର୍କ ଜୁକରବର୍ଗ ବି ଜାଣିଛନ୍ତି ବ୍ରାଜିଲିଆନ୍ ଜୁଜୁତ୍ସୁ । ଆମେରିକୀୟ ସହର ଲାସ ଭେଗାସରେ ମିକ୍ସଡ ମାର୍ଶଲ ଆର୍ଟ ପାଇଁ ଜଣାଶୁଣା ଭେଗାସ୍ ଅକ୍ଟାଗନ୍ ଏରିନାରେ ଉଭୟଙ୍କ ମଧ୍ୟରେ କେଜ୍ ଫାଇଟ୍ ହେବ। ହୁଏତ ଅଗଷ୍ଟ ୨୬ରେ ଏହି ମୁକାବିଲା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେଣୁ ହାତରେ ଆଉ ମାତ୍ର ପ୍ରାୟ ୩ ସପ୍ତାହ ଥିବା ବେଳେ, ଏଥିପାଇଁ ଉଭୟ କୋଟିପତି ପ୍ରତିଦ୍ୱନ୍ଦ୍ୱୀ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଲେଣି। ମସ୍କ ଦିନସାରା ୱେଟ୍ ଲିଫ୍ଟିଂ କରୁଛନ୍ତି ବୋଲି ପ୍ରକାଶ କରିଥିବା ବେଳେ, ଜିମ୍ ଯିବାକୁ ସମୟ ନଥିବାରୁ ସେ ଅଫିସରେ ଅଭ୍ୟାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ WWE ଷ୍ଟାଇଲରେ ଫାଇଟ୍ କରିବେ ବୋଲି ମଧ୍ୟ ଲେଖିଛନ୍ତି ମସ୍କ ।

ଲଢ଼େଇ ପୂର୍ବରୁ ମସ୍କ ନିଜ ଶରୀର MRI କରାଇବେ ଏବଂ ଆବଶ୍ୟକ ପଡ଼ିଲେ ବ୍ୟାକପେନ୍ ଦୂର କରିବାକୁ ନିଜର ମେରୁଦଣ୍ଡର ଅସ୍ତ୍ରୋପଚାର କରାଇବେ ବୋଲି ଜଣାଇଛନ୍ତି । ସେଭଳି ହେଲେ ହୁଏତ ଫାଇଟ୍ ଡେଟ୍ ଘୁଞ୍ଚିପାରେ । ଅନ୍ୟପକ୍ଷରେ ଜୁକରବର୍ଗ ଜଣାଇଛନ୍ତି ଯେ, ମୁଁ ଯେକୌଣସି ଦିନ କେଜ୍ ଫାଇଟ୍ ପାଇଁ ପ୍ରସ୍ତୁତ ଅଛି ।