• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଦେଶ ଭ୍ରମଣର ସ୍ୱପ୍ନ । ଅଳ୍ପ ଅର୍ଥରେ ଜୀବନରେ ଶ୍ରେଷ୍ଠତାର ଅନୁଭୂତି । ବଡ଼ ବଡ଼ ହୋଟେଲରେ ରହିବା ଭଳି ରଙ୍ଗୀନ ଚିତ୍ର । ଏମିତି ପ୍ରଲୋଭନରେ ଟ୍ରାପ ହେଉଛନ୍ତି ଭାରତୀୟ ଯୁବକ । ଯୁବକଙ୍କୁ ଋଷ ଚାଲାଣ କରିବାରେ କାମ କରୁଛନ୍ତି ସ୍ପେଶାଲ ଏଜେଣ୍ଟ । ଶେଷରେ ବିଦେଶରେ ପହଞ୍ଚି ବାସ୍ତବ ସ୍ଥିତି ଜାଣିବା ପରେ ନିଜ ଘରକୁ ଫେରିବାର ବାଟ ଆଉ ପାଉନାହାନ୍ତି ।

ୟୁକ୍ରେନ ବିରୋଧରେ ଲଢୁଛନ୍ତି ଭାରତୀୟ ଯୁବକ । ଋଷ ସେନାରେ ଫ୍ରଣ୍ଟ ରନର ସାଜି ଯୁଦ୍ଧରେ ପ୍ରାଣ ହରାଇଲେଣି ୩ ଭାରତୀୟ । ଖାଲି ଏତିକି ନୁହେଁ, ୩୫ରୁ ଅଧିକ ଭାରତୀୟ ଯୁବକ ଏବେ ଋଷ-ୟୁକ୍ରେନ ଯୁଦ୍ଧରେ ଫଶିଛନ୍ତି । ସେମାନଙ୍କୁ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଛି । ଆଉ ଯୁଦ୍ଧ ନକଲେ ୧୦ ବର୍ଷ ଜେଲ୍ ।

ଏହା ପଛରେ କାମ କରୁଛି ବଡ଼ ରାକେଟ୍ । ଭାରତୀୟଙ୍କୁ ରୁଷ୍ ନେବା ସହ ସେଠାରେ ବନ୍ଧୁକ ଚଳାଇବା ପାଇଁ ଦିଆଯାଉଛି ପ୍ରଶିକ୍ଷଣ । ପେଟପୁରା ଖାଇବା ବି ନାହିଁ । ଦେଶର କୋଣ ଅନୁକୋଣରୁ ଏଭଳି ଅଭିଯୋଗ ଏବେ ଲମ୍ବିବାରେ ଲାଗିଲାଣି । ଆଉ ଏହା ପରେ ବେଆଇନ ଭାବେ ଯୁବକଙ୍କୁ ଋଷ୍ ନେଉଥିବା ଏଜେଣ୍ଟମାନଙ୍କୁ ଖୋଜିବା ଆରମ୍ଭ କରିଦେଇଛନ୍ତି ଭାରତ ସରକାର ।

ହର୍ଷ କୁମାର, ଘର ହରିୟାଣା କର୍ଣ୍ଣାଲରେ । ଦେହରେ ଋଷ ସେନାର ବର୍ଦ୍ଦି । ଋଷ ଯାଇ ବୁଲିବାର ସ୍ୱପ୍ନ ତାଙ୍କୁ ରାଜଧାନୀ ମୋସ୍କୋ ପହଞ୍ଚାଇଥିଲା । ଦୁଇ ମାସ ପାଇଁ ଭିସା ବି ସହଜରେ ମିଳିଯାଇଥିଲା । ସାହିଲ ମୋସ୍କୋରେ ପହଞ୍ଚି ବୁଲିବା ସହ ସେଠାକାର ଭିଡିଓ ଓ ଫଟୋ ଘର ଲୋକଙ୍କୁ ପଠାଉଥିଲେ । ବେଶ ଖୁସିରେ ହୋଟେଲରେ ରହୁଥିଲେ ।

୭ରୁ ୮ ଦିନ ଆରମରେ ଦିନ ବିତିବା ପରେ ଋଷରେ ଥିବା ଏଜେଣ୍ଟଙ୍କ ହାବୁଡରେ ପଡ଼ିଥିଲେ ହର୍ଷ । ତାଙ୍କୁ ବେଲାରୁସ ବୁଲାଇ ନେବାକୁ କହି ଏଜେଣ୍ଟ ଫସାଇ ଦେଇଥିବା ଅଭିଯୋଗ ହୋଇଛି । ହର୍ଷ ଜାଣିନଥିଲେ ବେଲାରୁଷ ପାଇଁ ଭିସାର ଆବଶ୍ୟକ ଥାଏ । ବେଲାରୁଷ ପହଞ୍ଚିବା ପୂର୍ବରୁ ଋଷ ସେନା ତାଙ୍କୁ ଗିରଫ କରିଥିଲା । ଏବେ ସେ ୟୁକ୍ରେନ ବିରୋଧରେ ଯୁଦ୍ଧ ପାଇଁ ଟ୍ରେନିଂ ନେଉଛନ୍ତି ।

ତାଙ୍କ ପରିବାର ଏକଥା ଜାଣିବା ପରେ ତାଙ୍କୁ ତୁରନ୍ତ ଭାରତ ଫେରାଇ ଆଣିବା ପାଇଁ ଗୁହାରୀ କରିଛନ୍ତି । ହାଇଦ୍ରାବାଦର ମହମ୍ମଦ ଅସଫାନ ମଧ୍ୟ ଋଷ ଭ୍ରମଣରେ ଯାଇ ଜୀବନ ହାରିଛନ୍ତି । ରକେଟ ମାଡରେ ଗତ ୬ ତାରିଖରେ ୟୁକ୍ରେନ ସୀମାରେ ତାଙ୍କର ମୃତ୍ୟୁ ହୋଇଥିବା ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି ।

ବିଦେଶରେ ଚାକିରି ସାଙ୍ଗକୁ ଚାକଚକ୍ୟ ରହଣୀର ସ୍ୱପ୍ନ ଦେଖାଇ ତାଙ୍କୁ ମଧ୍ୟ ଟ୍ରାପ କରିଥିଲେ ଏଜେଣ୍ଟ । ପର୍ଯ୍ୟାୟ କ୍ରମେ ପାଖାପାଖି ୨୦ ଜଣ ଋଷ ଯାଇଥିବା ଜଣାପଡ଼ିଛି । ଏବେ ଅସଫାନଙ୍କ ମୃତଦେହ ହାଇଦ୍ରାବାଦ କେମିତି ଫେରିବ ତାକୁ ନେଇ ଚିନ୍ତାରେ ପରିବାର ବର୍ଗ ।

ଜାମ୍ମୁ କାଶ୍ମୀରରେ ବି ସମାନ ଘଟଣା । ଡିସେମ୍ବର ୧୪ରୁ ରଷ ଯାଇଛନ୍ତି ଆଜାଦ ୟୁଶୁଫ କୁମାର । ସେଠାରେ ମୋଟା ଦରମାରେ ହେଲପର ସହ ରୋଷେଇ କରିବା ସ୍ୱପ୍ନରେ ଆଉ ଜଣେ ଯୁବକ ଜହୁର ଅହମ୍ମଦ ଶୈଖଙ୍କୁ ଧରି ସେ ବାହାରିଥିଲେ । ଚେନ୍ନାଇରେ ସେମାନଙ୍କ ଫୋନ ଏଜେଣ୍ଟ ନେଇଯାଇଥିବା ବେଳେ ଏବେ ସେଠାରୁ ଫେରିବାର ବାଟ ପାଉନାହାନ୍ତି । ୟୁସୁଫଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ତାଙ୍କ ଭାଇ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।