• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହତ୍ୟାକାରୀର ଅଜ୍ଞାତବାସ ଶେଷ । ଆଠ ବର୍ଷ ପୂର୍ବେ ଆମେରିକାର ହ୍ୟୁଷ୍ଟନ ସହରରେ ନିଜ ବସ୍‌ଙ୍କ ସମେତ ପୂରା ପରିବାରକୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଚାକିରିରେ ଅନେକ ସମୟ ଧରି ପଦୋନ୍ନତି ନମିଳିବାରୁ ସେ ଏପରି ନରସଂହାର ରଚିଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ସେପ୍ଟେମ୍ବର ୧୧ରେ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଫାଙ୍ଗ ଲୁ।

ଜାନୁୟାରୀ ୩୦, ୨୦୧୪, ଫାଙ୍ଗ ଲୁ ଘଟାଇଥିଲେ ନରସଂହାର । ପଦୋନ୍ନତି ପାଇଁ ଗୋଟିଏ ପରିବାର ଉଜାଡ଼ି ଦେଇଥିଲେ । ଗୁଳି ମାରି ବସ୍‌ ମାୱେ ସନ(୫୦), ମେକ୍ସି ସନ(୪୯), ଟିମୋଥୟ ସନ(୯) ଓ ଟାଇସନ୍ ସନ(୭)ଙ୍କୁ ହତ୍ୟା କରିଥିଲେ । ଏବେ ପାଙ୍ଗ ଲୁ ଗିରଫ ହେବା ପରେ ହତ୍ୟା ପଛର କାରଣ ପ୍ରକାଶ କରିଛି ପୋଲିସ୍‌ ।

୫୮ ବର୍ଷୀୟ ପାଙ୍ଗ ଲୁ ନିଜ ବସ୍‌ ମାୱେଙ୍କ ତଳେ କାମ କରୁଥିଲେ । ହେଲେ ସେ ପ୍ରମୋସନ୍‌କୁ ନେଇ ତାଙ୍କ ଉପରେ  ଖୁବ୍‌ ଅସନ୍ତୁଷ୍ଟ ଥିଲେ । କାରଣ ଫାଙ୍ଗ ଲୁ କମ୍ପାନୀର ରିସର୍ଚ୍ଚ ଓ ଡେଭଲପମେଣ୍ଟ ବିଭାଗକୁ ଯିବାକୁ ଚାହୁଁଥିଲେ । ଆଉ ଏଥିପାଇଁ ସେ ପ୍ରମୋସନ ଚାହୁଁଥିଲେ । ହେଲେ ମାୱେ ସନ୍‌ ପ୍ରମୋସନ ପାଇଁ ଲୁଙ୍କ ନାଁ ସୁପାରିସ କରିନଥିଲେ ।

ଓଲଟି ସେ ଅଫିସ୍‌ରେ ପହଞ୍ଚିବା ପରେ ତାଙ୍କ ସମ୍ପର୍କରେ ସହକର୍ମୀମାନେ କଥା ହେଉଥିବା ଶୁଣିବାକୁ ପାଇଲେ । ବସ୍‌ ହିଁ ତାଙ୍କ ନାଁରେ କିଛି କହିଥିବା ସନ୍ଦେହ କରିଥିଲେ । ଏହାସହ ତାଙ୍କୁ ସେ ବର୍ଷ ପ୍ରମୋସନ୍‌ ମଧ୍ୟ ମିଳିନଥିଲା । ଆଉ ଏକଥାକୁ ନେଇ ବସ୍‌ ଓ ତାଙ୍କ ଭିତରେ ତୁତୁ ମେମେ ହୋଇଥିଲା ।

ଏହି ଘଟଣା ପରେ ରାଗରେ ସେ ୨୦୧୪ ଜାନୁଆରୀ ୩୦ରେ ସନଙ୍କ ଘରେ ପହଞ୍ଚି ସମସ୍ତଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ପରେ ପାଙ୍ଗ ଲୁ ସନ୍ଦେହ ଘେରକୁ ଆସିଥିଲେ । ପାଙ୍ଗ ଲୁ ଓ ତାଙ୍କ ପତ୍ନୀଙ୍କୁ ବାରମ୍ବାର ଜେରା କରିଥିଲା ପୋଲିସ୍ । ହେଲେ ପ୍ରମାଣ ଅଭାବରୁ ଖସିଯାଇଥିଲେ ସେ ।

ତେବେ ପରେ ସନଙ୍କ ଘରୁ ଏକ ପର୍ସ ମିଳିଥିଲା, ଯାହା ପାଙ୍ଗ ଲୁଙ୍କର ବୋଲି ଜଣାପଡ଼ିଥିଲା । ହେଲେ ଘଟଣା ଜଣାପଡ଼ିବା ପୂର୍ବରୁ ଲୁ ତାଙ୍କ ଦେଶ ଚୀନକୁ ଚାଲି ଯାଇଥିଲେ । ଏବେ ସେ ଫେରିବା ପରେ ତାଙ୍କୁ ଗିରଫ କରିଛି ପୋଲିସ୍‌ ।