• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘର କାମ ପାଇଁ ସ୍ତ୍ରୀକୁ କୋଟିଏରୁ ଅଧିକ ଟଙ୍କାର ଦରମା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ(Court Order) । ସ୍ପେନ୍‌ କୋର୍ଟ ଏପରି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଛାଡପତ୍ର ସହ ଜଡ଼ିତ ଏକ ମାମଲାରେ ଶୁଣାଣି ସମୟରେ ଜଣେ ବ୍ୟକ୍ତିଙ୍କୁ ନିଜର ପୂର୍ବତନ ସ୍ତ୍ରୀଙ୍କୁ ୨୫ ବର୍ଷର ଘରୋଇ କାମ ବାବଦ ପାଉଣା ୧,୮୦,୦୦୦ ଡଲାର ବା ୧.୭୫ କୋଟି ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ପୂର୍ବତନ ସ୍ତ୍ରୀ ଏବଂ ଦୁଇ ଝିଅଙ୍କ ମାସିକ ଭରଣପୋଷଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଦକ୍ଷିଣ ସ୍ପେନର ଭେଲେଜ ମାଲାଗାଙ୍କରେ ଏହି ଘଟଣା ଘଟିଛି । ଏଠାରେ ଜଣେ ବ୍ୟକ୍ତି ୨୫ ​​ବର୍ଷ ଏକାଠି ରହିବା ପରେ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି । ସ୍ତ୍ରୀଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ସେ ଧର୍ମପତ୍ନୀଙ୍କ ସହ ଦୁଇ ଝିଅଙ୍କୁ ମଧ୍ୟ ଭୁଲି ଯାଇଛନ୍ତି । ଅତି ସ୍ୱାର୍ଥପର ବ୍ୟବହାର କରି ସେ କୌଣସି ଭରଣପୋଷଣ ସହାୟତା ମଧ୍ୟ ଦେଉନାହାନ୍ତି ।

ଏହି କାରଣରୁ ସମ୍ପତ୍ତିକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ହେଲେ ଭରଣପୋଷଣ ମାଗିବାରୁ ସ୍ୱାମୀ କିନ୍ତୁ ଓଲଟା ଯୁକ୍ତି ବାଢ଼ିଥିଲେ । ଯେତିକି ଟଙ୍କା ଉପାର୍ଜନ କରିଛନ୍ତି, ତା’ଉପରେ ସ୍ତ୍ରୀ ଇଭାନାଙ୍କର କୌଣସି ଅଧିକାର ନାହିଁ ବୋଲି କହିଥିଲେ । ଏନେଇ ସ୍ତ୍ରୀ ଇଭାନା ମୋରାଲ କିନ୍ତୁ ଭିନ୍ନ ମତପୋଷଣ କରିଥିଲେ ।

ବିବାହ ପର ଠାରୁ ସେ ଘର ତଥା ସ୍ୱାମୀଙ୍କର ସମସ୍ତ ଦାୟିତ୍ୱ ବହନ କରିଥିବା କହିଛନ୍ତି । ଘର କାମ ଏବଂ ପିଲାଙ୍କର ଯତ୍ନ ନେବା ପାଇଁ ସେ ନିଜକୁ ସମର୍ପି ଦେଇଛନ୍ତି । ସ୍ୱାମୀ ଚାହୁଁଥିଲେ ସେ ଘରେ ରହି ଘର କାମ କରନ୍ତୁ । ଆଉ ସେ ନିଜେ ଆର୍ଥିକ ମାମଲାର ସମସ୍ତ ଦାୟିତ୍ୱ ନିଜ ହାତକୁ ନେଇଥିଲେ । ତାଙ୍କୁ ବାହାଘର ପରେ ଚାକିରି କରିବାକୁ ବାରଣ କରାଯାଇଥିଲା ।

ଦୀର୍ଘ ୨୫ ବର୍ଷ ଧରି ନିସ୍ୱାର୍ଥପର ଭାବରେ ଇଭାନା ଘର, ସ୍ୱାମୀ ଓ ପିଲାଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ହେଲେ ଦୁଃଖର କଥା ଏତେ ବର୍ଷର ସମ୍ପର୍କ ପରେ ବିବାହ ବିଚ୍ଛେଦ ହୋଇଛି । ବ୍ୟକ୍ତି ଜଣକ ଇଭାନା ଓ ଦୁଇ ଝିଅ ପାଇଁ ଫୁଟି କଉଡ଼ି ମଧ୍ୟ ରଖିନାହାନ୍ତି ।

ସବୁ ତର୍କ ବିତର୍କକୁ ନଜରରେ ରଖିବା ପରେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ସ୍ତ୍ରୀର ୨୫ ବର୍ଷର କଠିନ ପରିଶ୍ରମ ପାଇଁ ତାଙ୍କୁ କ୍ଷତିପୂରଣ ଦିଆଯାଉ । ଏହାସହ ବିବାହ ପର ଠାରୁ ଛାଡପତ୍ର ପର୍ଯ୍ୟନ୍ତ ମହିଳାଙ୍କ ସହଯୋଗରେ ସ୍ୱାମୀ କେତେ ଟଙ୍କା ଆୟ କରିଛନ୍ତି, ସେ ଉପରେ ମଧ୍ୟ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଏହା ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘରୋଇ କାମ କରିଥିବାରୁ ଇଭାନାଙ୍କୁ ତୁରନ୍ତ ୧.୭୫ କୋଟି ଟଙ୍କା ଦେବାକୁ ସ୍ୱାମୀଙ୍କୁ କୁହାଯାଇଛି ।