ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ ପୋଲିସ୍ । ପୋଲିସଙ୍କ କାନ,ନାକ ଓ ଓଠକୁ କାଟିଦେଲା ମହିଳାଙ୍କ ସ୍ୱାମୀ । ନିଜ ସ୍ତ୍ରୀଙ୍କୁ ରକ୍ଷା କରିବା ସହ ରସିକିଆ ପୋଲିସ ବାବୁଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ବ୍ୟକ୍ତି ଜଣକ ଏଭଳି କାଣ୍ଡ କରିଥିବା ଜଣାପଡିଛି । ଏନେଇ ସେ କହିଛନ୍ତି,ପୋଲିସ ତାଙ୍କ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଶେଷରେ ସେ କ୍ରୋଧିତ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
ପାକିସ୍ତାନର ଲାହୋର ନିକଟସ୍ଥ ଝାଙ୍ଗ ଜିଲ୍ଲାରେ ମହମ୍ମଦ ଇଫତିଖରଙ୍କ ସ୍ତ୍ରୀଙ୍କୁ ଦାର୍ଘ ଦିନ ଧରି କାସୀମ ହାୟାତ୍ ନାମକ ଜଣେ କନେଷ୍ଟବଳ ବ୍ଲାକମେଲିଂ କରିଆସୁଥିଲେ । ଏହା ଜାଣିବା ମାତ୍ରେ ଇଫତିଖର କ୍ରୋଧ ଜର୍ଜରିତ ହୋଇ ସେ ତାଙ୍କ ବନ୍ଧୁ ମିଶି ପୋଲିସଙ୍କ ନାକ,କାନ ଓ ଓଠକୁ କାଟିଦେଇଥିଲେ ।
ଘଟଣାକୁ ନେଇ ଜଣେ ପୋଲିସ୍ ଅଧିକାରୀ କହିଛନ୍ତି, ଉଭୟ ପୋଲିସ ଓ ତାଙ୍କ ସ୍ତ୍ରୀ ଅନୈତିକ ସମ୍ପର୍କ ରଖିଥିବାର ଇଫତିଖର ସନ୍ଦେହ କରିଥିଲେ । ଯାହା ପରେ ସୁଯୋଗ ଦେଖି ଇଫତିଖର ପୋଲିସଙ୍କୁ ଅପହରଣ କରିନେଇ ଏକ ଫାଙ୍କା ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଇଫତିଖର ତାଙ୍କ ବନ୍ଧୁଙ୍କ ସହ ମଶି କାସୀମ ହାୟାତଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରିବା ସହ ତାଙ୍କର ମୁହଁର କିଛି ଇନ୍ଦ୍ରୀୟକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ କାଟିଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି କନେଷ୍ଟବଳଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ।
ଏନେଇ ଅଭିଯୁକ୍ତ କହିଛନ୍ତି ଯେ, ପୋଲିସ କରମଚାରୀ ଜଣକ ତାଙ୍କ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଏମିତିକି ସେ ତାଙ୍କ ସହ ସମ୍ପର୍କ ନରଖିଲେ ତାଙ୍କ ପୁଅକୁ ଜୀବନକୁ ମାରିଦେବା ପାଇଁ ଧମକ୍ ମଧ୍ୟ ଦେଉଥିଲେ । ଏହା ସହ ତାଙ୍କ ସ୍ତ୍ରୀଙ୍କ ସହ ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ତାର ଭିଡିଓ ବନାଇଥିଲେ । ଯାହାକୁ ନେଇ ମହିଳାଙ୍କୁ ଲଗାତାର ବ୍ଲାକମେଲିଂ କରୁଥିଲେ । ତେବେ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।