• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜଳୁଛି ଶ୍ରୀଲଙ୍କା, କିନ୍ତୁ ଗାଦି ଛାଡିବେନି ରାଷ୍ଟ୍ରପତି ଗୋଟାବାୟା । ଏହି ସପ୍ତାହରେ ହିଁ ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ମିଳିବ । ଶ୍ରୀଲଙ୍କାରେ ଦୀର୍ଘଦିନର ଅସ୍ଥିରତା ଭିତରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକସା ।

ସେ କହିଛନ୍ତି ଯେ, ସଂଖ୍ୟାଗରିଷ୍ଠ ସମର୍ଥନ ଥିବା ବ୍ୟକ୍ତି ହିଁ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ । ନୂଆ କ୍ୟାବିନେଟ ମଧ୍ୟ ଗଠନ କରାଯିବ । ଦେଶରେ ସ୍ଥିରତା ଆସିବା ପରେ କାର୍ଯ୍ୟକାରୀ ରାଷ୍ଟ୍ରପତି ବ୍ୟବସ୍ଥା ଉଚ୍ଛେଦ ହେବ । ସମ୍ବିଧାନ ସଂଶୋଧନ କରି ସଂସଦକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ।

ଘୋର ଆର୍ଥିକ ସଂକଟ ପାଇଁ ସାରା ଦେଶରେ ହିଂସାକାଣ୍ଡ ଲାଗି ରହିଛି । ଦେଶରେ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିଛି । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ପରେ ଆକ୍ସନ ମୋଡକୁ ଆସିଯାଇଛି ତିନି ସେନା । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସ୍ଥଳସେନା, ବାୟୁସେନା ଏବଂ ନୌସେନା ସଜାଗ ରହିଛି । ରାଜଧାନୀ କଲମ୍ବୋରେ ବ୍ୟାପକ ଫୋର୍ସ ମୁତୟନ ରହିଛନ୍ତି । ସ୍ପେଶାଲ ଆର୍ମି ଫୋର୍ସ କମ୍ବାଟ୍ ରାଇଡର୍ସ ପାଟ୍ରୋଲିଂ କରୁଛି ସରକାର । ବିରୋଧୀ ହିଂସାତ୍ମକ ଆନ୍ଦୋଳନ ଉପରେ କଡା ନଜର ରଖାଯାଇଛି ।

ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଭୟଙ୍କର ହିଂସା ସଂଗଠିତ ହୋଇଛି । ହିଂସାରେ ଜଣେ ସରକାରୀ ଦଳର ସାଂସଦ ଅତୁକୋରାଲାଙ୍କ ମୃତ୍ୟୁ ଘଟିଛି । ଦିନକ ଭିତରେ ସାଂସଦଙ୍କ ସମେତ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଶହରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଏତିକିରେ ହିଂସା ମଧ୍ୟ ଥମିନାହିଁ । ବିଦାୟୀ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସଙ୍କ ବାସଭବନରେ ବି ଭଙ୍ଗାରୁଜା ହୋଇଛି ।

ଜଣେ ସାଂସଦଙ୍କ ଘର ଜାଳି ଦିଆଯାଇଥିବା ବେଳେ ଅନେକ ସାଂସଦଙ୍କ ଘରେ ଆକ୍ରମଣ ହୋଇଥିଲା । ଦେଶରେ ଜରୁରୀ ପରିସ୍ଥିତି ଓ କର୍ଫ୍ୟୁ ସତ୍ତ୍ୱେ ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଚିନ୍ତା ବଢ଼ିଛି।