କୁଏତରେ ଭୟାବହ ଅଗ୍ନିକାଣ୍ଡ: ବଢିଲା ମୃତ୍ୟୁ ସଂଖ୍ୟା, ୪୦ ଭାରତୀୟଙ୍କ ସମେତ ୫୦ରୁ ଅଧିକ ଜଳିଗଲେ

କୁଏତରେ ଭୟାବହ ଅଗ୍ନିକାଣ୍ଡରେ ୫୦ରୁ ଅଧିକ ମୃତ । ମୃତକଙ୍କ ମଧ୍ୟରେ ଅଛନ୍ତି ୪୦ ଭାରତୀୟ । ଗଭୀର ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Kuwait Building Fire

କୁଏତରେ ଭୟାବହ ଅଗ୍ନିକାଣ୍ଡ । ବଢିଲା ମୃତ୍ୟୁ ସଂଖ୍ୟା ।  ୪୦ ଭାରତୀୟଙ୍କ ସମେତ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ । ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିପାରେ । ଗତକାଲି ଦକ୍ଷିଣ କୁଏତର ମଙ୍ଗାଫ ସହରର ଏକ ୬ ମହଲା କୋଠାରେ ନିଆଁ ଲାଗିଥିଲା। ରୋଷେଇ ଘରେ ନିଆଁ ଲଗିବା ପରେ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । 

ଅଗ୍ନିକାଣ୍ଡ ସମୟରେ ସେହି ବିଲ୍ଡିଂରେ ପ୍ରାୟ ୧୯୬ ଜଣ ଶ୍ରମିକ ରହୁଥିଲେ । ଏନବିଟିସି ସଂସ୍ଥା ତାର ଶ୍ରମିକ ମାନଙ୍କୁ ରଖିବାକୁ ଭଡ଼ା ସୂତ୍ରରେ ଏହି ବିଲ୍ଡିଂକୁ ନେଇଥିଲା। ଆବଶ୍ୟକତା ଠାରୁ ବିଲ୍ଡିଂରେ ଅଧିକ ଶ୍ରମିକ ରହୁଥିଲେ । ଅଗ୍ନିକାଣ୍ଡ ସମୟରେ କିଛି ଶ୍ରମିକ ନାଇଟ୍ ସିଫ୍ଟ ସାରି ସୋଇଥିଲେ । ନିଆଁ ଲାଗିବା ପରେ କ୍ଷୀପ୍ର ବେଗରେ ବ୍ୟାପିଯାଇଥିଲା । ଫଳରେ ଶ୍ରମିକମାନେ ବାହାରି ପାରିନଥିଲେ ।

କୁଏତ ସରକାର ବିଲ୍ଡିଂ ମାଲିକ ଏବଂ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ପିଏମ୍ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦନ କରିବାକୁ ଘୋଷଣା କରିଛନ୍ତି । 

କୁଏତର ଉପମୁଖ୍ୟମନ୍ତ୍ରୀ ଶେଖ ଫାହଦ ୟୋସେଫ ସୌଦ ଅଲ୍‌-ସାବ ଘଟଣା ସ୍ଥଳ ପରିଦର୍ଶନ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ ସେ ରିଏଲ୍ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି । ରିଅଲ୍ ଇଷ୍ଟେଟ୍‌ ଭୁଲ୍‌ ଯୋଗୁଁ ଏହି ଭୟାନକ ଘଟଣା ଘଟିଥିବା ସେ କହିଛନ୍ତି ।