• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିପଦରେ ଆମେରିକା । ବର୍ଷିବ ପରମାଣୁ ବୋମା । ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛି ଉତ୍ତର କୋରିଆ । ଏନେଇ ଉତ୍ତର କୋରିଆର ଏକଛତ୍ର ଶାସକ କିମ ଜଙ୍ଗ ଉନ କହିଛନ୍ତି, ଆମେରିକା ସହ ହେବାକୁ ଥିବା ଯେକୌଣସି ସାମରିକ ସଂଘର୍ଷରେ ଉତ୍ତର କୋରିଆ ନିଜର ଆଣବିକ ଅସ୍ତ୍ରର ପ୍ରୟୋଗ କରିବ ।

ଉତ୍ତର କୋରିଆ ସରକାରୀ ଗଣମାଧ୍ୟମ କେସିଏନଏର ରିପୋର୍ଟ ଅନୁଯାୟୀ, ଗତ ଗୁଧବାର ଦିନ ଉତ୍ତର କୋରିଆର ରାଜଧାନୀ ପେଙ୍ଗୟୋଙ୍ଗରେ ଏକ ସାମରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋରିଆ ଯୁଦ୍ଧ ବିରାମ ଘୋଷଣାର ୬୯ତମ ବାର୍ଷିକୀ ଅବସରରେ ଉତ୍ତରକୋରିଆ ପକ୍ଷରୁ ଏହି ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ ଜଙ୍ଗ ଉନ ଯୋଗ ଦେଇ କହିଛନ୍ତି, ‘ ଆମେରିକା ସହ ବିବାଦ ଉପୁଜିଥିବାରୁ ସେମାନେ ନିଜ ଦେଶର ସୁରକ୍ଷା ନିମନ୍ତେ ଆଣବିକ ଅସ୍ତ୍ର ତିଆରି କରିଥିଲେ । ଯୁଦ୍ଧ ବିରାମକୁ ପ୍ରାୟ ୭୦ ବର୍ଷ ହୋଇଥିଲେ ମଧ୍ୟ ଆମେରିକା ଓ ଦକ୍ଷିଣ କୋରିଆ ତାଙ୍କ ଦେଶ ବିରୋଧରେ ଶତ୍ରୁତାପୂର୍ଣ୍ଣ ଆଚରଣ ଜାରି ରଖିଛନ୍ତି ।’

ସୂଚନା ଅନୁସାରେ, ଉତ୍ତର କୋରିଆ ଗତ ୨୦୧୭ ମସିହାରେ ଆଣବିକ ଅସ୍ତ୍ର ପରୀକ୍ଷା କରିଥିଲା । ଯାହା ପରେ ଉତ୍ତର କୋରିଆ ଏବେ ପୁଣି ଆଣବିକ ପରୀକ୍ଷଣ କରିବା ପାଇଁ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏମିତିକି ଆଣବିକ ପରୀକ୍ଷଣ ପାଇଁ ପ୍ରସ୍ତୁତି ଶେଷ ହୋଇଥିବାର କହିଛନ୍ତି ଆମେରିକୀୟ ଓ ଦକ୍ଷିଣ କୋରିଆର ଗୁଇନ୍ଦା ଅଧିକାରୀମାନେ ।

ତେବେ ଗୋଟିଏ ପଟେ ଆମେରିକୀୟ ଓ ଦକ୍ଷିଣ କୋରିଆର ଗୁଇନ୍ଦା ଅଧିକାରୀମାନେ ଏହିପରି କହିଥିବାବେଳେ କିମଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।