Advertisment

Tourist in North Korea: ଅନୁମତି ଦେଲେ କିମ୍ ଜଙ୍ଗ, ହେଲେ ଉତ୍ତରକୋରିଆ ଯିବାକୁ କାହିଁକି ଡରୁଛନ୍ତି ପର୍ଯ୍ୟଟକ ?

ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥିବା ସମୟରେ କୌଣସି ପ୍ରକାର ସମ୍ବାଦ ପଢ଼ିପାରିବେ ନାହିଁ କି ଶୁଣିପାରିବେ ନାହିଁ । ସେଠାରେ ଥିବା ବଡ଼ ହୋଟେଲରେ ଆନ୍ତର୍ଜାତୀୟ ନ୍ୟୁଜ୍ ଚ୍ୟାନେଲ ଉପଲବ୍ଧ, କିନ୍ତୁ ସେଗୁଡ଼ିକର ପ୍ରସାରଣ ବନ୍ଦ କରିଦିଆଯାଏ । ଏଭଳି ସ୍ଥିତିରେ ଯଦି ଉତ୍ତର କୋରିଆ ଏବଂ ପର୍ଯ୍ୟଟକ ଆସିଥିବା ଦେଶ ସହ ଯୁଦ୍ଧ ଆରମ୍ଭ ହୁଏ, ତେବେ ସ୍ଥିତି ଭୟଙ୍କର ହୋଇପାରେ ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି

ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି

ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ପରମାଣୁ ପରୀକ୍ଷଣ ମାଧ୍ୟମରେ ଥରାଇ ଦେଉଥିବା ଉତ୍ତର କୋରିଆ ଶାସକଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଲା କି ? ସବୁଠୁ କ୍ରୁର ଶାସକ ଭାବେ ଜଣାଶୁଣା ତଥା ଉତ୍ତର କୋରିଆର ଶାସନ ଗାଦିରେ ବସିଥିବା କିମ୍ ଜୋଙ୍ଗ ଉନଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଦେଶର ଦ୍ୱାର ଖୋଲି ସେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କାରଣ ଉତ୍ତର କୋରିଆ ନାମ ଶୁଣିବା ମାତ୍ରେ ସେଠାକାର ଶାସକ ଓ ଆଇନ କାନୁନର ଚିତ୍ର ମାନସପଟକୁ ଆସିଯାଏ। ଏଠାରେ ପ୍ରଚଳିତ ବିଚିତ୍ର ନୀତି ନିୟମ ଅନ୍ୟ କେଉଁ ଦେଶରେ ଦେଖିବାକୁ ମିଳେନାହିଁ। ହେଲେ ଏବେ ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେଇଥିବାରୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ତାନାଶାହ କିମ ଜୋଙ୍ଗ ଉନ୍ ।

Advertisment

କୋଭିଡ ମହାମାରୀର ପ୍ରାରମ୍ଭରେ କିମ ଜୋଙ୍ଗ ଉନ, ଦେଶକୁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ । କରୋନାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିବା ବେଳେ ଉତ୍ତର କୋରିଆ ସମ୍ପର୍କରେ କିନ୍ତୁ କାହା ପାଖରେ କିଛି ତଥ୍ୟ ନାହିଁ । ଏଥିପାଇଁ ଲକଡାଉନ ପରେ ସାରା ବିଶ୍ୱ ପୁଣି ଟ୍ରାକକୁ ଫେରିଥିବା ବେଳେ ଉତ୍ତର କୋରିଆ ଏବେବି ୨୦୨୦ ମସିହାରେ ଅଟକି ରହିଛି । ହେଲେ ଏତେ ବର୍ଷ ପରେ ବର୍ତ୍ତମାନ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରତିବନ୍ଧକ ହଟିଛି । ତେବେ ସମସ୍ତେ ନୁହେଁ, ସର୍ତ୍ତ ମାନିବା ପାଇଁ ରାଜି ଥିବା ଲୋକମାନେ ସେଠାକୁ ବୁଲି ଯାଇପାରିବେ । କିନ୍ତୁ ଏଇଠି ପ୍ରଶ୍ନ ଉଠେ ବିଦେଶୀ ପର୍ଯ୍ୟକମାନେ କୋରିଆକୁ କାହିଁକି ଆସିବେ ? ଭୟର ମାହୋଲ ଭିତରେ ଜୀବନକୁ ପାଣି ଛଡ଼ାଇ କିଏ ବା କାହିଁକି ସେଠାକୁ ବୁଲିବାକୁ ଯିବ ?

କାହିଁକି ହଟିଲା ପ୍ରବେଶ କଟକଣା ?

ଉତ୍ତର କୋରିଆର ଆକ୍ରମଣାତ୍ମକ ନୀତି ନିୟମକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ସମେତ ସମଗ୍ର ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏହା ଉପରେ ଅନେକ ବାଣିଜ୍ୟ ଏବଂ କୂଟନୈତିକ ପ୍ରତିବନ୍ଧକ ଲଗାଇଥିଲେ। ଏଥିରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏବଂ ୟୁରୋପୀୟ ସଂଘ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ ମଧ୍ୟ ସାମିଲ ରହିଛି । କୋଭିଡ୍ ସମୟରେ ଉତ୍ତର କୋରିଆ ସଂପୂର୍ଣ୍ଣ ଭାବେ ନିଜକୁ ଏକୁଟିଆ କରିନେଇଥିଲା, ନା ଏଠାକୁ କେହି ଆସିପାରିବେ, ନା କେହି ବାହାର ଦେଶକୁ ଯାଇପାରିବେ ।

Advertisment

ଏହି କାରଣରୁ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଥିଲା । ବଡ ଅର୍ଥନୈତିକ ପ୍ରତିବନ୍ଧକ ବ୍ୟତୀତ ଏଠାକାର ଅନୁଷ୍ଠାନ ଗୁଡ଼ିକର ସମ୍ପତ୍ତି ଫ୍ରିଜ୍ ଏବଂ ଭ୍ରମଣ ନିଷେଧ ଭଳି ନିୟମ ପାଇଁ ଏବେ ଦେଶର ସ୍ଥିତି ଭଲ ନାହିଁ । ବ୍ୟାନ ଯୋଗୁଁ ଉତ୍ତର କୋରିଆର ଲୋକେ ଏବେ ଭୋକ ସହ ଲଢ଼େଇ କରୁଛନ୍ତି । ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ବର୍ତ୍ତମାନ ସୁପ୍ରିମୋ କିମ ଜୋଙ୍ଗ ଉନ ପାଞ୍ଚ ବର୍ଷ ପରେ ଦେଶରେ ପର୍ଯ୍ୟଟନର ପୁନରୁଦ୍ଧାର କରିବାକୁ ମନସ୍ଥ କରିଛନ୍ତି । ଆଉ ସେବେଠାରୁ ଚର୍ଚ୍ଚାରେ ରହିଛି ଉତ୍ତର କୋରିଆ ।

ପର୍ଯ୍ୟଟକ ପ୍ରତିବନ୍ଧକ ସହ ବୁଲିପାରିବେ

ସାରା ବିଶ୍ୱରୁ ବିଚ୍ଛିନ୍ନ ରହୁଥିବା ଏଦେଶ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରୁଛି ସତ କିନ୍ତୁ କିଛି ସର୍ତ୍ତ ସହ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପର୍ଯ୍ୟଟକଙ୍କ ପାଇଁ ଅନେକ ପ୍ରତିବନ୍ଧକ ରହିବ । ଉଦାହରଣ ସ୍ୱରୂପ, ସେମାନେ ସ୍ଥାନୀୟ ଗାଇଡ୍ ବିନା କୌଣସି ସ୍ଥାନକୁ ଯାଇପାରିବେ ନାହିଁ । କେବଳ ଦେଶର ନିର୍ଦ୍ଦିଷ୍ଟ ସ୍ଥାନରେ ବୁଲାବୁଲି କରିବା ପାଇଁ ଅନୁମତି ମିଳିବ । ଅଧିକାଂଶ ସ୍ଥାନରେ ଫଟୋଗ୍ରାଫି ବନ୍ଦ ରହିବ । ଏଥିସହ କ୍ୟାମେରା ଏବଂ ସ୍ଥାନୀୟ ଲୋକ ସବୁବେଳେ ସେମାନଙ୍କ ଉପରେ ନଜର ରଖିବେ ।

ଏହି ସର୍ତ୍ତଗୁଡ଼ିକ ପୂରଣ ପାଇଁ ରାଜିଥିବା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଉତ୍ତର କୋରିଆର ଦ୍ୱାର ଖୋଲା ରହିଛି । ଉତ୍ତର କୋରିଆ ବର୍ତ୍ତମାନ ବିଦେଶୀ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ, କିନ୍ତୁ କେତେ ପର୍ଯ୍ୟଟକ ନିଜ ଜୀବନକୁ ବିପଦରେ ପକାଇ ଏଠାରେ ଯାତ୍ରା କରିବାକୁ ଚାହାଁନ୍ତି ତାହା ମଧ୍ୟ ଏକ ପ୍ରସଙ୍ଗ। ଏହି ଦେଶ ନିଜର କ୍ରୁର ଶାସନ ପାଇଁ କୁଖ୍ୟାତ ଥିବାରୁ ଏଠାକୁ ପର୍ଯ୍ୟଟକ ଯିବେ କି ନାହିଁ ସନ୍ଦେହ ।

ଗମ୍ଭୀର ଅବସ୍ଥାରେ ଫେରିଥିଲେ ଆମେରିକୀୟ ପର୍ଯ୍ୟଟକ

୨୦୧୫ ରେ ଓଟୋ ୱାର୍ମବିୟର ନାମକ ଜଣେ ଛାତ୍ର ଏଠାକୁ ବୁଲିବାକୁ ଯାଇଥିଲେ, କିନ୍ତୁ ଫେରିବା ପରେ ତାଙ୍କୁ ପ୍ୟୋଙ୍ଗୟାଙ୍ଗ ବିମାନବନ୍ଦରରେ ଅଟକ ରଖାଯାଇଥିଲା । ଯୁବକ ଜଣକ ରାଜନୈତିକ ସ୍ଲୋଗାନ ଦେଇ ପୋଷ୍ଟର ଚୋରି କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ତିନି ମାସ ମଧ୍ୟରେ ସୁପ୍ରିମକୋର୍ଟ ୱାର୍ମବିୟରଙ୍କୁ ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କୋର୍ଟ କହିଥିଲେ, ଯୁବକ ଜଣକ ଆମେରିକା ସରକାରଙ୍କ ସହ ମିଶି ଉତ୍ତରକୋରିଆ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି ।

ଅନ୍ୟପକ୍ଷରେ ଆମେରିକା କିନ୍ତୁ ଏକଥାକୁ ଖଣ୍ଡନ କରିବା ସହ ଛାତ୍ରଙ୍କୁ ମୁକ୍ତ କରିବାକୁ ଦାବି କରିଥିଲା, ହେଲେ କିମଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା । ୨୦୧୭ ମସିହାରେ ହଠାତ୍ କୋରିଆ ସରକାର ଘୋଷଣା କଲେ ଯେ ଛାତ୍ର ଜଣକୁ ମାନବିକତା ଆଧାରରେ ମୁକ୍ତ କରାଯାଉଛି । ହେଲେ ଯେତେବେଳେ ଛାତ୍ର ଜଣକ ଆମେରିକା ପହଞ୍ଚିଥିଲେ, ସେତେବେଳେ ସେ କୋମା ଅବସ୍ଥାରେ ଥିଲେ । ଅନୁସନ୍ଧାନରୁ ଜଣାପଡ଼ିଥିଲା, ସେ ଦୀର୍ଘ ଦିନ ଧରି ଏହି ଅବସ୍ଥାରେ ଥିଲେ। ଉତ୍ତର କୋରିଆ ଏହାକୁ ଘୋଡାଇ ରଖିଥିବା ବେଳେ ଆମେରିକୀୟ ଡାକ୍ତରମାନେ ଦାବି କରିଥିଲେ, ତାଙ୍କୁ ନିର୍ଘାତ ମାଡ଼ ମରାଯାଇଥିଲା, ଫଳରେ ମସ୍ତିସ୍କରେ ଆଘାତ ଆସି ସେ କୋମାକୁ ଚାଲିଯାଇଥିଲେ । ଛାତ୍ର ଜଣକ ମୁକ୍ତ ହେବାର କିଛି ଦିନ ପରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ସେତେବେଳେ ୟୁଏସରେ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ଥିଲା । ଏହି ଘଟଣା ପରେ ଟ୍ରମ୍ପ ରାଗରେ ଜରଜର ହୋଇ ଉତ୍ତର କୋରିଆ ଉପରେ ଅନେକ କଟକଣା ଲାଗୁ କରିଥିଲେ । ଏହି ଦେଶକୁ ଯାତ୍ରା ନକରିବା ପାଇଁ ଏକ ଆଡଭାଇଜରୀ ମଧ୍ୟ ଜାରି କରିଥିଲେ । ଆମେରିକାର ବୈଦେଶିକ ବିଭାଗ ଉତ୍ତର କୋରିଆକୁ ଚତୁର୍ଥ ସ୍ତରରେ ରଖିଥିଲା, ଅର୍ଥାତ୍ ଏହା ଏପରି ଏକ ଦେଶ ଯେଉଁଠାକୁ ଗଲେ ଫସିବାର ଆଶଙ୍କା ରହିଛି ।

କୋରିଆ ଠାରୁ ଦୂରେଇ ରୁହନ୍ତି ସମସ୍ତ ବିକଶିତ ଦେଶ

କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ଅଧିକାଂଶ ବଡ଼ ବଡ଼ ଦେଶ ସେମାନଙ୍କର ଟ୍ରାଭେଲ ଆଡଭାଇଜରୀରେ ଉତ୍ତର କୋରିଆ ଯାତ୍ରା କରିବାକୁ ନିଜ ଦେଶର ଲୋକଙ୍କୁ ବାରଣ କରନ୍ତି । ଏକଛତ୍ରବାଦୀ ଶାସନ କିମ ଜଙ୍ଗ ଉନଙ୍କ ପାଇଁ ଉତ୍ତର କୋରିଆର ସମ୍ପର୍କ କୌଣସି ଦେଶ ସହ ଭଲ ନାହିଁ । ଏଭଳି ସ୍ଥିତିରେ ସେ ସର୍ବଦା ଭୟଭୀତ ହୁଅନ୍ତି, କେତେବେଳେ କେହି ବି ଆକ୍ରମଣ କରିବା ଚିନ୍ତାରେ ରୁହନ୍ତି । କଳ୍ପିତ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେ ପ୍ରସ୍ତୁତି ଜାରି ରଖିଥାଆନ୍ତି । ଲଗାତାର ସେଠାରେ ମିସାଇଲ୍ ପରୀକ୍ଷଣ କରାଯାଏ, କିମ୍ବା ନୂତନ ଆଦେଶମାନ ଜାରି କରାଯାଏ । ପର୍ଯ୍ୟଟନ ପାଇଁ ଏହି ସ୍ଥିତି ଭଲ ନୁହେଁ ।

ଉତ୍ତର କୋରିଆ ଯିବାକୁ କ’ଣ ନିୟମ ?

ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥିବା ସମୟରେ କୌଣସି ପ୍ରକାର ସମ୍ବାଦ ପଢ଼ିପାରିବେ ନାହିଁ କି ଶୁଣିପାରିବେ ନାହିଁ । ସେଠାରେ ଥିବା ବଡ ହୋଟେଲରେ ଆନ୍ତର୍ଜାତୀୟ ନ୍ୟୁଜ୍ ଚ୍ୟାନେଲ ଉପଲବ୍ଧ, କିନ୍ତୁ ସେଗୁଡ଼ିକର ପ୍ରସାରଣ ବନ୍ଦ କରିଦିଆଯାଏ । ଏଭଳି ସ୍ଥିତିରେ ଯଦି ଉତ୍ତର କୋରିଆ ଏବଂ ପର୍ଯ୍ୟଟକ ଆସିଥିବା ଦେଶ ସହ ଯୁଦ୍ଧ ଆରମ୍ଭ ହୁଏ, ତେବେ ସ୍ଥିତି ଭୟଙ୍କର ହୋଇପାରେ ।

ସ୍ୱାସ୍ଥ୍ୟ ସୁବିଧା ଦୁର୍ବଳ

ଉତ୍ତର କୋରିଆ ସମ୍ପର୍କରେ ଅଧିକ ସୂଚନା ଉପଲବ୍ଧ ନଥିଲେ ମଧ୍ୟ ସେଠାରେ ବର୍ତ୍ତମାନ ଅନାହାର ପରିସ୍ଥିତି ଥିବା ସହ ଅପରାଧ ବଢ଼ିଥିବା କୁହାଯାଉଛି । ଏହା ବ୍ୟତୀତ ଦେଶରେ ଅନେକ ସମସ୍ୟା ମଧ୍ୟ ଅଛି, ଯେପରି ଚିକିତ୍ସା ସୁବିଧା ସମଗ୍ର ଦେଶରେ ବହୁତ ଦୁର୍ବଳ । ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ମଧ୍ୟ ଭଲ ଡାକ୍ତରଖାନା ନାହିଁ । ଏଭଳି ସ୍ଥିତିରେ ଯଦି ଜଣେ ପର୍ଯ୍ୟଟକ ଗୁରୁତର ଅସୁସ୍ଥ ହୋଇପଡ଼ିଲେ, ତାଙ୍କ ଡାକ୍ତରୀ ଚିକିତ୍ସା ମହଙ୍ଗା ହୋଇପାରେ ।

ସୂଚନା ଅଭାବରୁ ପର୍ଯ୍ୟଟକମାନେ ଫସି ଯାଇ ଜେଲରେ ପହଞ୍ଚିଯାଆନ୍ତି । ଉଦାହରଣ ସ୍ୱରୂପ, ସେଠାରେ କୌଣସି ପ୍ରକାରର ଧାର୍ମିକ କିମ୍ବା ରାଜନୈତିକ ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରାଯାଇପାରିବ ନାହିଁ, କୋରିଆ ସରକାର ଏହାକୁ ନିଜ ବିରୁଦ୍ଧରେ ପ୍ରଚାର ବୋଲି ବିବେଚନା କରନ୍ତି । କିମ ଜଙ୍ଗ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ପରିହାସ କରିବା ଗୁରୁତର ଅପରାଧ ବର୍ଗରେ ଅଛି । ଏଠାରେ ସବୁ ସ୍ଥାନରେ ଫଟୋ ଉଠାଯାଇପାରିବ ନାହିଁ । ଏହାକୁ ଗୁପ୍ତଚରୀ କୁହାଯାଇପାରେ , ଯେଉଁଥିପାଇଁ ଦଣ୍ଡ ବହୁତ କଠୋର ହୋଇପାରେ ।

କିପରି ମିଳିବ ଉତ୍ତର କୋରିଆ ଭିସା ?

• ଏଥିପାଇଁ କୌଣସି ପର୍ଯ୍ୟଟକ ନିଜେ ପାସପୋର୍ଟ ପାଇଁ ଆବେଦନ କରିପାରିବେ ନାହିଁ, ବରଂ ସେମାନଙ୍କୁ ଏକ ଟ୍ରାଭେଲ ଏଜେନ୍ସିର ସାହାଯ୍ୟ ନେବାକୁ ପଡ଼ିବ । ଏହି ଦେଶରେ ଭ୍ରମଣକାରୀଙ୍କୁ ମୁକ୍ତ ଭାବରେ ବୁଲିବାର ଅନୁମତି ନାହିଁ ।

• ଧଳା ବ୍ୟାକଗ୍ରାଉଣ୍ଡରେ ପାସପୋର୍ଟ ସାଇଜ ଫଟୋ ଓ ଏକ ଆବେଦନ ଫର୍ମ ଏଜେଣ୍ଟକୁ ଦେବାକୁ ପଡ଼ିବ ।

• ଏଥିରେ କିଛି ସ୍ୱତନ୍ତ୍ର ନୀତିନିୟମ ରହିଛି, ଯେଉଁଥିରେ ଦସ୍ତଖତ ଆବଶ୍ୟକ, ନଚେତ୍ ଭିସା ପ୍ରତ୍ୟାଖ୍ୟାନ ହେବ ।

• ଏଠାରେ ଆପଣ ପାସପୋର୍ଟ ନିଜ ପାଖରେ ରଖିପାରିବେ ନାହିଁ, ଲୋକାଲ ଗାଇଡ ପାଖରେ ପାସପୋର୍ଟ ଜମା କରିବାକୁ ପଡ଼େ । ଫେରିବା ସମୟରେ ହିଁ ଲୋକାଲ ଗାଇଡ ପର୍ଯ୍ୟଟକଙ୍କୁ ପାସପୋର୍ଟ ଫେରସ୍ତ କରନ୍ତି ।

• ଏହି ଦେଶକୁ ଚୀନ କିମ୍ବା ଋଷ ଦେଇ ପ୍ରବେଶ କରିବାକୁ ଅନୁମତି ରହିଛି । ଭିସା ଉପରେ ସ୍ୱତନ୍ତ୍ର ଢଙ୍ଗରେ ସବୁକିଛି ଲେଖାଯାଇ ଥାଏ ।

ଋଷ ଓ ଚୀନ ସାଥୀ

କରୋନା ମହାମାରୀ ସମୟରେ ମଧ୍ୟ ଏହି ଦେଶକୁ ଯାଇପାରୁଥିଲେ କେବଳ ଚୀନ ଓ ଋଷର ପର୍ଯ୍ୟଟକ । ଏବେ ବି ଏହି ଦୁଇ ଦେଶର ଲୋକଙ୍କୁ ଉତ୍ତରକୋରିଆକୁ ଏଣ୍ଟ୍ରି ରହିଛି । ଉତ୍ତର କୋରିଆ ସରକାରୀ ୱେବସାଇଟରେ ଥିବା ସୂଚନା ଅନୁସାରେ, ଗତ ବର୍ଷ ଆଠ ଶହରୁ ଅଧିକ ଋଷ ପର୍ଯ୍ୟଟକ ଏଠାକୁ ଆସିଥିଲେ । ତଥାପି,ଯେଉଁଭଳି ଭାବରେ ରୁଷ ଏବଂ ଆମେରିକା ବର୍ତ୍ତମାନ ନିକଟତର ହେଉଥିବା ଦେଖିବାକୁ ମିଳୁଛି, ଭବିଷ୍ୟତରେ ଏହି ଦେଶ ଋଷ ପାଇଁ ମଧ୍ୟ କଟକଣା ଜାରି କରିପାରେ । ଏଭଳି ସ୍ଥିତିରେ ଦେଶର ପର୍ଯ୍ୟଟନ ଶିଳ୍ପର ଦ୍ୱାର ଖୋଲିବା ପରେ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବା ସହଜ ହେବ ନାହିଁ ।

Kim-Jong-un North Korea Visa No Entry For Visitors Tourists
Advertisment
Advertisment