• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଆଫଗାନିସ୍ତାନରେ ତାଲିବାନୀ ରାଜ୍ । ୨୦ ବର୍ଷ ପରେ ଆଫଗାନିସ୍ତାନରେ ପୁଣି ସ୍ଥିତି ବଦଳିଯାଇଛି । କ୍ଷମତାକୁ ଆସିଲା ତାଲିବାନ । ଆଫଗାନିସ୍ତାନ ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ତାଲିବାନ ଦ୍ୱାରା ନିୟନ୍ତ୍ରିତ । ଦେଶର ନାମ ପୁଣି 'Islamic Emirate of Afghanistan’ ରଖାଯିବ ବୋଲି ଘୋଷଣା କରିଛି ତାଲିବାନ । ତାଲିବାନର ଜଣେ ଅଧିକାରୀ କହିଛନ୍ତି, ବିଦ୍ରୋହୀ ଗୋଷ୍ଠୀ ଖୁବ ଶୀଘ୍ର କାବୁଲରେ ଥିବା ରାଷ୍ଟ୍ରପତି ଭବନରୁ ଇସଲାମିକ୍ ଏମିରେଟ୍ ଗଠନ ନେଇ ବିଧିବଦ୍ଧ ଘୋଷଣା କରିବେ ।

ଦେଶରେ କ୍ଷମତାର ଡୋର ତାଲିବାନ୍ ହାତକୁ ଯିବାପରେ ଦେଶ ଛାଡ଼ି ଅନେକ ଲୋକ ପଳାୟନ କରୁଛନ୍ତି । ସୋମବାର ସକାଳେ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଗୁଳିମାଡ଼ରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ତର୍ଜାତୀୟ ଏଜେନ୍ସି ଅନୁସାରେ ବିମାନ ବନ୍ଦରରେ ଗୁଳି ବିନିମୟ ଜାରି ରହିଛି। ମୃତକଙ୍କ ମୃତଦେହ ବିମାନବନ୍ଦରର ଟର୍ମିନାଲ ବିଲଡିଂ ନିକଟରେ ପଡ଼ି ରହିଛି ।

ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ହେଲେ ଏବେ କାବୁଲ ଏବଂ ଦିଲ୍ଲୀ ମଧ୍ୟରେ ଥିବା ସମସ୍ତ ବିମାନକୁ ବାତିଲ କରାଯାଇଛି। ଉଡ଼ାଣ ବନ୍ଦ ହେବା ପୂର୍ବରୁ ଭାରତୀୟ ଦୂତାବାସରେ ଫସିଥିବା ୧୨୯ ଜଣ କର୍ମଚାରୀଙ୍କୁ ଏୟାର ଇଣ୍ଡିଆ ବିମାନରେ କାବୁଲରୁ ନୂଆଦିଲ୍ଲୀ ଅଣାଯାଇଛି । ଭାରତରେ ଗତକାଲି ସୁରକ୍ଷିତ ଭାବେ ପହଁଚିବା ପରେ ଆଫଗାନିସ୍ତାନର ଭୟାବହ ସ୍ଥିତି ବାବଦରେ ବର୍ଣ୍ଣନା କରିଛନ୍ତି ସେଠାରେ ରହୁଥିବା ଭାରତୀୟ ନାଗରିକ ।

ଆଜି କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି । ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ଆଫଗାନିସ୍ତାନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଏଥିରେ ମନ୍ଥନ ହୋଇପାରେ । କେବଳ ଭାରତ ନୁହେଁ, ନିଜ ନିଜ ଦେଶକୁ ଫେରିବା ଲାଗି କାବୁଲ ବିମାନବନ୍ଦରରେ ବିଭିନ୍ନ ଦେଶର ଲୋକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି ।

ସେପଟେ ଆଫଗାନିସ୍ତାନ ଛାଡ଼ି ପଳାଇବା ପରେ ସୋସିଆଲ ପୂର୍ବତନ ରାଷ୍ଟ୍ରପତି ଅସରଫ ଗନି ଭାବୁକ ପୋଷ୍ଟ କରିଛନ୍ତି । ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଥିବା କହିଛନ୍ତି । ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା, ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା । ମୁଁ ମୋର ଜୀବନକୁ ଏଠାକାର ଲୋକମାନଙ୍କୁ ବଞ୍ଚାଇବାରେ ଅତିବାହିତ କରିଛି । ଯଦି ମୁଁ ଦେଶ ଛାଡି ନଥା’ନ୍ତି, ଏହାର ପରିଣାମ ଏଠାକାର ଲୋକଙ୍କୁ ଭୋଗିବାକୁ ପଡ଼ିଥାନ୍ତା । ତେଣୁ ଦେଶ ଛାଡ଼ିବା ଉଚିତ ବୋଲି ମୁଁ ଚିନ୍ତା କରି ଦେଶ ଛାଡ଼ିଛି ବୋଲି ସୋସିଆଲ୍ ମିଡିଆରେ ଘନି ଲେଖିଛନ୍ତି ।