Advertisment

ତାଇଓ୍ୱାନ ପ୍ରସଙ୍ଗରେ ଚୀନକୁ ସାବଧାନ କଲେ ବାଇଡେନ୍ : ବଳପ୍ରୟୋଗ କଲେ ହସ୍ତକ୍ଷେପ କରିବ ଆମେରିକା

ତାଇଓ୍ୱାନ୍ ପ୍ରସଙ୍ଗରେ ବେଜିଂକୁ ବାଇଡେନଙ୍କ ଖୋଲା ଚେତାବନୀ । ଚୀନ୍ ବଳପ୍ରୟୋଗ କଲେ ଆମେରିକା ହସ୍ତକ୍ଷେପ ଲାଗି ବାଧ୍ୟ ହେବ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

author-image
Prangyan Parimita
President Joe Biden

President Joe Biden

ବିପଦ ସହ ଖେଳୁଛି ଚୀନ୍ । ବଳପୂର୍ବକ ତାଇଓ୍ୱାନ୍ ଅଧିକାର କରିବାକୁ ଚେଷ୍ଟା କଲେ ବାଟ ଓଗାଳିବ ଓ୍ୱାଶିଂଟନ । ଜାପାନ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଇଓ୍ୱାନ୍ ପ୍ରସଙ୍ଗରେ ଚୀନକୁ ସିଧାସଳଖ ଚେତାବାନୀ ଦେଇଛନ୍ତି । ସେ କହିଛନ୍ତି, ଆମେ ଯେଉଁ ପ୍ରତିଶ୍ରୁତି ଦେଇଛୁ ତାହା ପାଳନ କରିବୁ । ତାଇଓ୍ୱାନର ସ୍ୱତନ୍ତ୍ରତା ଓ ସର୍ବଭୌମତ୍ୱ ବଜାୟ ରଖିବା ଲାଗି ଆମେରିକା ସାମରିକ ଶକ୍ତି ବ୍ୟବହାର ଲାଗି ପଛଘୁଞ୍ଚା ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଏକ ଚୀନ୍ ନୀତିକୁ ନେଇ ଆମେରିକାର କୌଣସି ଆପତ୍ତି ନାହିଁ । ମାତ୍ର ବଳପୂର୍ବକ କାହାରିକୁ ଅକ୍ତିଆର କରିବା ଠିକ୍ ନୁହେଁ ବୋଲି ବାଇଡେନ୍ କହିଛନ୍ତି।.

Advertisment

ଏପଟେ ବାଇଡେନଙ୍କ କଡ଼ା ମନ୍ତବ୍ୟ ପରେ ରାଗ ଗରଗର ଚୀନ୍। ଆମେରିକାର ତଥାକଥିତ ଇଣ୍ଡୋ-ପାସିଫିକ୍ ଷ୍ଟ୍ରାଟେଜି ଫେଲ୍ ମାରିବା ନିଶ୍ଚିତ ବୋଲି କହିଛି ବେଜିଂ। ଟୋକିଓରେ ଜାପାନ, ଭାରତ, ଅଷ୍ଟ୍ରେଲିଆ ଓ ଆମେରିକାକୁ ନେଇ କ୍ୱାଡ୍ ଶିଖର ବୈଠକ ପୂର୍ବରୁ ଓ୍ୱାଶିଂଟନ ଉପରେ ବର୍ଷିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ଓ୍ୱି । ଆମେରିକାର ଇଣ୍ଡୋ-ପାସିଫିକ୍ ରଣନୀତିକୁ ବିଭାଜନକାରୀ କହିବା ସହ, ଏହା ଶାନ୍ତି ଭଙ୍ଗ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି କରିବା ଲାଗି ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି ଓ୍ୱି । ଆମେରିକା ରାଷ୍ଟ୍ରପତି ଏସିଆ ଗସ୍ତରେ ଆସିଥିବା ବେଳେ ବେଜିଂର ଏଭଳି କଡ଼ ପ୍ରତିକ୍ରିୟା ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଛି ।

କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ତାଇଓ୍ୱାନ୍ ଚୀନ ମୂଳ ଭୂଖଣ୍ଡର ବୋଲି ଦାବି କରିଆସୁଛି ବେଜିଂ । ଓ୍ୱାନ୍ ଚାଇନା ପଲିସି ଅନ୍ତର୍ଗତ ଏହାକୁ ଚୀନରେ ମିଶାଇବା ଲାଗି ରାଷ୍ଟ୍ରପତି ସି ଜିନପିଙ୍ଗ ଚେଷ୍ଟା ଜାରି ରଖିଛନ୍ତି । ତାଇଓ୍ୱାନ୍ ଚୀନ୍ ସହ ମିଶିବାକୁ ରାଜି ନହେଲେ ସାମରିକ ଶକ୍ତି ପ୍ରୟୋଗ କରି, ଏହାକୁ ଚୀନରେ ବିଲୟ କରାଯିବ ବୋଲି ରାଷ୍ଟ୍ରପତି ଜିନପିଙ୍ଗ ଘୋଷଣା ମଧ୍ୟ କରିଛନ୍ତି। ଏମିତିକି ଥରକୁ ଥର ଚୀନ୍ ଯୁଦ୍ଧ ବିମାନ ତାଇଓ୍ୱାନ୍ ଆକାଶ ସୀମା ଉଲ୍ଲଙ୍ଘନ କରିବା ସହ ସେଠିକାର ଶାସକଙ୍କ ମନରେ ଭୟ ସଂଚାର କରିବାକୁ ଉଦ୍ୟମ କରୁଛି।

Advertisment

ମାତ୍ର ତାଇଓ୍ୱାନ୍ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ୍ ଚୀନ୍ର ବଶତା ସ୍ୱୀକାର କରିବାକୁ ମନା କରିଦେଇଛନ୍ତି। ଯେକୌଣସି ଉପାୟରେ ତାଇଓ୍ୱାନର ସ୍ୱତନ୍ତ୍ରତାର ସୁରକ୍ଷା କରାଯିବ ବୋଲି ସେ କହିଛନ୍ତି। ଏଣେ ତାଇଓ୍ୱାନ୍ ସହ ଠିଆ ହୋଇଛି ଆମେରିକା। ଏହାକୁ ନେଇ ବିଶ୍ୱର ଦୁଇ ସୁପରପାଓ୍ୱାର ଆମେରିକା ଓ ଚୀନ୍ ମୁହାଁମୁହିଁ ହୋଇଛନ୍ତି। ଏମିତିକି ଯେକୌଣସି ସମୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଯିବା ଆଶଙ୍କା ବଢିଯାଇଛି ।

Joe Biden China Taiwan
Advertisment
Advertisment