• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମସୁଦ ଅଜହର ଲୋଡ଼ିଛି ତାଲିବାନ ସହଯୋଗ ।

  • କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ସହଯୋଗ ଲୋଡ଼ିଛି ।

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର ଲୋଡ଼ିଛି ତାଲିବାନ ସହଯୋଗ । କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ସେ ତାଲିବାନର ସହଯୋଗ ଲୋଡ଼ିଛି । ଏକ ମିଡିଆ ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ ମସୁଦ ଅଜହର କାନ୍ଦାହାର ଯାଇ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ତାଲିବାନକୁ ସହଯୋଗ ଲୋଡିଥିଲା । ମସୁଦ ଅଜହର ୨୬ ନଭେମ୍ବର ୨୦୦୮ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ।

ମସୁଦ ଯେଉଁ ତାଲିବାନୀ ନେତାଙ୍କ ସହ ଭେଟିଥିଲା ସେମାନଙ୍କ ମଧ୍ୟରେ ଅବ୍ଦୁଲ ଗନି ବରାଦର ମଧ୍ୟ ସାମିଲ ଥିଲେ । ତାଲିବାନର ରାଜନୈତିକ ଦଳର ମୁଖ୍ୟ ହେଉଛନ୍ତି ବାରଦାର । ସୂଚନାଯୋଗ୍ୟ ଯେ, କାବୁଲକୁ ଅକ୍ତିଆର କରିବା ପୂର୍ବରୁ ତାଲିବାନକୁ ପ୍ରଶଂସା କରିଥିଲା ମସୁଦ ଅଜହର । ସେ କହିଥିଲା ଯେ, ଆମେରିକା ସମର୍ଥିତ ଆଫଗାନିସ୍ତାନ ସରକାରକୁ ତାଲିବାନ ହଟାଇଦେଇଛି । 'ମଞ୍ଜିଲ କି ତାରାଫ' ଶୀର୍ଷକ ଏକ ଆର୍ଟିକିଲରେ କୁହାଯାଇଥିଲେ ଯେ, ମୁଜାହିଦ୍ଦିନଙ୍କ ବିଜୟ ଏକ ଖୁସିର ବିଷୟ ।

ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କୀ ସଂଗଠନର ରାଲି

ଏହା ବ୍ୟତୀତ ଜୈଶ-ଏ-ମହମ୍ମଦ କମାଣ୍ଡରମାନେ ତାଲିବାନର ବିଜୟ ପାଇଁ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବା ଏବଂ ଜୈଶ-ଏ-ମହମ୍ମଦ ମଧ୍ୟ ପିଓକେରେ ତାଲିବାନକୁ ସମର୍ଥନ କରି ରାଲି କରିଥିଲେ । ରାଲିର ଭିଡିଓ ଭାଇରାଲ ହୋଇଥିଲା ଏବଂ ଏଥିରେ ଆତଙ୍କବାଦୀମାନେ ତାଲିବାନର ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଲସ୍କର ଏବଂ ଜୈଶର କମାଣ୍ଡରମାନେ ମଧ୍ୟ ରାଲିକୁ ସମ୍ବୋଧିତ କରିଥିଲେ ।

ତେବେ ଆଫଗାନିସ୍ତାନ ବିଜୟର କିଛି ଦିନ ପରେ ତାଲିବାନ କାଶ୍ମୀର ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ସେ କହିସାରିଛି ଯେ, ଏହା ଭାରତ ଏବଂ ପାକିସ୍ଥାନର ଦ୍ୱିପାକ୍ଷିକ ତଥା ଆଭ୍ୟନ୍ତରୀଣ ପ୍ରସଙ୍ଗ । ତେଣୁ କାଶ୍ମୀର ଉପରେ ତାଲିବାନର ବିଲ୍‌କୁଲ ଧ୍ୟାନ ନାହିଁ ।

ତାଲିବାନକୁ ମଧ୍ୟ ପାକିସ୍ତାନ ସରକାର ଖୋଲାଖୋଲି ସମର୍ଥନ କରୁଛନ୍ତି

କେବଳ ଆତଙ୍କବାଦୀ ସଂଗଠନ ନୁହେଁ ତାଲିବାନ ଶାସନକୁ ନେଇ ପାକିସ୍ତାନ ସରକାର ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ତାଲିବାନର ବିଜୟରେ ପାକିସ୍ତାନ ନିଜର ଖୁସି ଲୁଚାଇ ପାରୁ ନାହିଁ । ଖୋଦ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ତାଲିବାନର ଆଫ୍‌ଗାନିସ୍ତାନ ବିଜୟକୁ ପ୍ରଶଂସା କରିଛନ୍ତି । ଏମିତିକି ଇମ୍ରାନ ଖାନ କହିଥିଲେ ଯେ, ଆଫଗାନିସ୍ତାନ ଲୋକମାନେ 'ଦାସତ୍ୱର ଶୃଙ୍ଖଳା ଭାଙ୍ଗିଛନ୍ତି' । ପାକିସ୍ତାନୀ ଖବରକାଗଜ ‘ଦ ଡନ୍’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ କହିଥିଲେ ଯେ ଆଫଗାନିସ୍ତାନରେ ବିଦେଶୀ ସଂସ୍କୃତିର ପ୍ରଭାବ ଯୋଗୁଁ ‘ଆଫ୍‌ଗାନବାସୀ ମାନସିକ ଦାସତ୍ୱ’ ହୋଇରହିଥିଲେ ।