• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଇସ୍ରାଏଲ-ହମାସ ଘମାଘୋଟ ଯୁଦ୍ଧ । ଗାଜା ଭିତରେ ପଶି ହମାସ ଆତଙ୍କୀଙ୍କୁ ସଫା କରୁଛି ଇସ୍ରାଏଲ ଗ୍ରାଉଣ୍ଡ ଫୋର୍ସ । ସେହିପରି ଏୟାର ଷ୍ଟ୍ରାଇକରେ ହମାସ ବାୟୁସେନା ମୁଖ୍ୟ ଏବଂ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଇସ୍ରାଏଲ । ସେପଟେ ଯୁଦ୍ଧରେ ଏଯାଏଁ ୨୨ ଶହରୁ ଅଧିକଙ୍କ ମୃତ୍ୟୁ ହେଲାଣି । ଏହାରି ଭିତରେ ସାମ୍ନାକୁ ଆସିଛି ହମାସ ଆତଙ୍କୀଙ୍କ ବର୍ବରତାର ଚିତ୍ର ।

ନୃଶଂସତାର ସବୁ ସୀମା ଟପିଥିବା ହମାସ ଆତଙ୍କୀଙ୍କ କାପୁରୁଷତାର କଳା ଚିତ୍ର । ଜୀବନ ଭୟରେ ନୀରିହ ଶିଶୁଙ୍କୁ ଢାଲ କରିଛନ୍ତି ଆତଙ୍କୀ । ଇସ୍ରାଏଲୀ ଗ୍ରାଉଣ୍ଡ ଆଟାକ୍ ଭୟରେ କଅଁଳ ଶିଶୁଙ୍କୁ ସଜାଇଛି ହ୍ୟୁମାନ ସିଲ୍ଡ । ନିଜେ ଭିଡିଓ କରି ସାର୍ବଜନୀନ କରାଯାଇଛି ଫୁଟେଜକୁ । ଯେଉଁଥିରେ ବାରି ହେଉଛି ନିଜ ସ୍ୱାର୍ଥ ଓ ଜୀବନ ବଂଚାଇବା ପାଇଁ କେତେ ତଳକୁ ଖସିଯାଇଛି ନର ରାକ୍ଷସ ପାଲଟିଯାଇଥିବା ହମାସ ।

ଅମଣିଷ ପାଲଟି ହମାସ କେମିତି ବୀଭତ୍ସ ରକ୍ତପାତ ଘଟାଇଥିଲା ନିଜେ କରିଛି ସ୍ୱୀକାର। ଇସ୍ରାଏଲୀ ସେନା ଆଗରେ ଆତଙ୍କୀ ଖୋଲିଛି ନୃଶଂସ ଗଣହତ୍ୟା ଗୁମର । ସ୍ୱୀକାର କରିଛି, ଆମେ ସେମାନଙ୍କୁ ଗଣ ଦୁଷ୍କର୍ମ କରିଛୁ, ମୁଣ୍ଡ କାଟି ହତ୍ୟା କରିଛୁ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।

ଏହାରି ଭିତରେ ଗାଜା ଷ୍ଟ୍ରିପରେ ପଶୁଛି ଇସ୍ରାଏଲୀ ଟ୍ୟାଙ୍କ୍ । ସାଙ୍ଗରେ ଦୁର୍ଦ୍ଦଶ ଗ୍ରାଉଣ୍ଡ ଫୋର୍ସ । ହମାସ ଆତଙ୍କୀଙ୍କୁ ସଫା କରିବାକୁ ଗୋଳାବାରୁଦ ଓ ଟ୍ୟାଙ୍କ୍ ସହ ମୁତୟନ ହୋଇଛନ୍ତି ୪ ଲକ୍ଷରୁ ଅଧିକ ସୈନିକ । ଇସ୍ରାଏଲ ୮ ଦିନ ହେଲା ଯୁଦ୍ଧ ଚଳାଇଥିବା ବେଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଏହା ଆରମ୍ଭ ମାତ୍ର । ସେପଟେ ଇସ୍ରାଏଲୀ ଏୟାରଷ୍ଟ୍ରାଇକରେ ଟଳି ପଡିଛି ହମାସ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦ । ହମାସର କମାଣ୍ଡର ଅଲି କାଦି ବି ନିହତ ହୋଇଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସେସ୍ ପକ୍ଷରୁ ଦାବି କରାଯାଇଛି।

ସେପଟେ ଭୟଙ୍କର ଆକ୍ରମଣ ଭୟରେ ଗାଜା ଛାଡୁଛନ୍ତି ପାଲେଷ୍ଟାଇନବାସୀ । ନିଜ ନିଜର ଜରୁରୀ ଜିନିଷପତ୍ର ଧରି ବର୍ଷ ବର୍ଷ ଧରି ରହୁଥିବା ଜାଗା ଛାଡୁଛନ୍ତି ଲକ୍ଷାଧିକ ଲୋକ । ଉତ୍ତର ଗାଜାରୁ ସମସ୍ତେ ଏବେ ଦକ୍ଷିଣ ମୁହାଁ । କାରଣ, ୨୪ ଘଂଟା ଭିତରେ ଉତ୍ତର ଗାଜା ପଟ୍ଟି ଛାଡିବାକୁ କଂଟ ଦେଇଛି ଇସ୍ରାଏଲ, ଯାହା ଶେଷ ହେବାକୁ ବସିଛି ।

ଏପଟେ ଯୁଦ୍ଧଭୂଇଁ ଇସ୍ରାଏଲରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଅଜୟର ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱତନ୍ତ୍ର ବିମାନରେ ୨୩୫ ଜଣ ନୂଆଦିଲ୍ଲୀରେ ପହଁଚିଛନ୍ତି । ଯେଉଁଥିରେ ଥିଲେ ଦୁଇ ଜଣ ନବଜାତ । ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ବିମାନ ବନ୍ଦରରେ ଭାରତୀୟଙ୍କୁ ସ୍ୱାଗତ ଜଣାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଲୋକଙ୍କ ଦୟନୀୟ ସ୍ଥିତି ବଖାଣିବା ସହ ଭାରତକୁ ଫେରି ଖୁସି ବ୍ୟକ୍ତ କରିଛନ୍ତି ଉଦ୍ଧାର ଭାରତୀୟ । ଅପରେସନ ଅଜୟର ପ୍ରଥମ ପର୍ଯ୍ୟାୟରେ ଉଦ୍ଧାର ହୋଇଥିଲେ ୨୧୨ ଜଣ ଭାରତୀୟ ।