Advertisment

Priority to Israel: ଆମେରିକାର ବୈଦେଶିକ ନୀତିରେ ଇସ୍ରାଏଲକୁ ପ୍ରାଥମିକତା, କିନ୍ତୁ କାହିଁକି ?

ଆମେରିକାର ଇସ୍ରାଏଲ ନୀତିକୁ ଏହାର ଜାତୀୟ ପ୍ରାଥମିକତା କୁହାଯାଏ। ଏହାର ଅର୍ଥ ପଶ୍ଚିମ ଏସିଆରେ ଇସ୍ରାଏଲର ସୁରକ୍ଷା, ଅସ୍ତିତ୍ୱ ଏବଂ ସାମରିକ ଶ୍ରେଷ୍ଠତାକୁ କୌଣସି ବି ସ୍ଥିତିରେ ବଜାୟ ରଖିବା ପାଇଁ ଚେଷ୍ଟା କରେ ଆମେରିକା । ଏହି ନୀତି ଆମେରିକୀୟ ସରକାରମାନଙ୍କ ପାଇଁ ଏକ ଜାତୀୟ ପ୍ରାଥମିକତା ପାଲଟିସାରିଛି।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ଆମେରିକା-ଇସ୍ରାଏଲ୍

ଆମେରିକା-ଇସ୍ରାଏଲ୍

ଇସ୍ରାଏଲର ଅନୁକୂଳ ସ୍ଥିତି ହେଉ କିମ୍ବା ପ୍ରତିକୂଳ ସ୍ଥିତି ହେଉ ସବୁସ୍ଥିତିରେ ସମର୍ଥନ କରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ବନ୍ଧୁତାର ବିଶାଳ ହୃଦୟ ନେଇ ସବୁବେଳେ ଇସ୍ରାଏଲ ସପକ୍ଷରେ ଯୁକ୍ତି ବାଢ଼ିବା ସହ ଢାଲ ହୋଇ ଛିଡ଼ା ହୁଅନ୍ତି ଆମେରିକା ସରକାର । ଏହି ଛୋଟ ଦେଶର ସୃଷ୍ଟି ହେବା ପରଠାରୁ ଆମେରିକା ସର୍ବଦା ଏହାର ସମର୍ଥନ କରିଆସିଛି । ପ୍ରତିବର୍ଷ ଆମେରିକା ଠାରୁ ଏହି ଦେଶକୁ ବିପୁଳ ଆର୍ଥିକ ସହାୟତା ମଧ୍ୟ ମିଳିଥାଏ । ବିଶ୍ୱର ଅନ୍ୟ ସମସ୍ତ ଦେଶକୁ ଶକ୍ତିଶାଳୀ ରାଷ୍ଟ୍ର ନାଲିଆଖି ଦେଖାଉଥିବା ସହ ବାରମ୍ବାର ଧମକଚମକ ଦେଉଥିବା ବେଳେ ଇସ୍ରାଏଲ ସହିତ କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ଆଗେଇ ଆସି ସାହାଯ୍ୟ କରେ । ବର୍ତ୍ତମାନ ଇସ୍ରାଏଲ ସପକ୍ଷରେ ଯାଇ ଇରାନ ବିରୋଧରେ ଟ୍ରମ୍ପ ସରକାର ଯେପରି ଖୋଲାଖୋଲି ଭାବରେ ସମର୍ଥନ ଜଣାଇଛନ୍ତି, ଏଥିରେ ପ୍ରଶ୍ନ ଉଠେ ଆମେରିକା, ଇସ୍ରାଏଲର ପ୍ରତି ପଦକ୍ଷେପରେ ସମର୍ଥନ କାହିଁକି କରେ, ଏହା ପଛର କ’ଣ ରହିଛି କାରଣ ?

Advertisment

ବର୍ତ୍ତମାନ ଲାଗିଥିବା ଯୁଦ୍ଧ ସମୟରେ ଇସ୍ରାଏଲ ଉପରେ ଇରାନ ସାମାନ୍ୟ ଭାରି ପଡ଼ିବା ପରେ ତୁରନ୍ତ ସାମ୍ନାକୁ ଆସିଯାଇଥିଲା ଆମେରିକା । ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା ଆମେରିକୀୟ ବୋମା ବିସ୍ଫୋରଣକାରୀ ବିମାନ । ତେବେ ଏହା ପ୍ରଥମ ଥର ନୁହେଁ, ଯେତେବେଳେ ୱାସିଂଟନ ତେଲ ଅଭିଭର ପକ୍ଷ ନେଇଛି । ପୂର୍ବରୁ ଅନେକ ଥର ଏପରି ହୋଇସାରିଛି । ଇସ୍ରାଏଲ ଗଠନ ହେବା ପରଠାରୁ ଆମେରିକା ଏହାର ସବୁଠାରୁ ବଡ଼ ରଣନୈତିକ ଏବଂ ରାଜନୈତିକ ସହଯୋଗୀ ଭାବେ ଛିଡ଼ା ହୋଇଛି। ଆମେରିକା କାହିଁକି ପ୍ରତ୍ୟେକ ଥର ଏବଂ ପ୍ରତ୍ୟେକ ପରିସ୍ଥିତିରେ ଇସ୍ରାଏଲକୁ ସମର୍ଥନ କରେ, ଏହାର ଉତ୍ତର ପାଇବା ପାଇଁ ଇତିହାସର କିଛି ପୃଷ୍ଠା ଓଲଟାଇବାକୁ ପଡିବ।

ପ୍ରଗାଢ଼ ବନ୍ଧୁତାର ମୂଳଦୁଆ

୧୯୪୮ ମସିହାରେ ଏହି ଅଞ୍ଚଳରେ ବ୍ରିଟିଶ ଶାସନ ଶେଷ ହେବା ପରେ ଡେଭିଡ୍ ବେନ୍ ଗୁରିଅନ୍ ଇସ୍ରାଏଲକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ଘୋଷଣା କରିଥିଲେ। ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ପାଇବାର ମାତ୍ର ୧୧ ମିନିଟ୍ ମଧ୍ୟରେ ଏହି ନୂତନ ରାଷ୍ଟ୍ରକୁ ସ୍ୱୀକୃତି ଦେବାରେ ପ୍ରଥମ ଦେଶ ହୋଇଥିଲା ଆମେରିକା । ତତ୍କଳୀନ ରାଷ୍ଟ୍ରପତି ହ୍ୟାରି ଏସ ଟ୍ରୁମାନ୍ କେବଳ ଏହି ଦେଶକୁ ସ୍ୱୀକୃତି ଦେଇନଥିଲେ ବରଂ ଏହା ସପକ୍ଷରେ କୂଟନୈତିକ ଚାପ ମଧ୍ୟ ସୃଷ୍ଟି କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇହୁଦି ସମ୍ପ୍ରଦାୟ ପାଇଁ ଏକ ସୁରକ୍ଷିତ ରାଷ୍ଟ୍ର ଦାବି କରିବା ଯୋଗୁଁ ଆମେରିକାକୁ ରାଜନୈତିକ, ଧାର୍ମିକ ଏବଂ ନୈତିକ ଆଧାର ମିଳିଥିଲା। ଏହା ପଛରେ ମଧ୍ୟ ଏକ ବିଶେଷ କାରଣ ରହିଛି । ଆମେରିକା ଭୋଟ ବ୍ୟାଙ୍କ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

Advertisment

ହାତଖୋଲି ସାହାଯ୍ୟ କରିଥିଲା ଆମେରିକା

୧୯୪୭ ମସିହାରେ ଜାତିସଂଘର ପ୍ରସ୍ତାବ ୧୮୧କୁ ଆଖିବୁଜି ସମର୍ଥନ ଜଣାଇଥିଲା ଆମେରିକା । ଯେଉଁଥିରେ ପାଲେଷ୍ଟାଇନକୁ ଏକ ଇହୁଦି ଏବଂ ଆରବ ରାଷ୍ଟ୍ରରେ ବିଭକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କୌଣସି ଆଡ଼ୁ ସମର୍ଥନ ପାଇନଥିଲେ ହୁଏତ ଇହୁଦିମାନଙ୍କୁ ଇସ୍ରାଏଲ ନାମରେ ଏକ ପୃଥକ ଦେଶ ମିଳିନଥାନ୍ତା । ଇସ୍ରାଏଲ ଗଠନ ହେବା ପରଠାରୁ ନୂତନ ଦେଶକୁ ସ୍ଥିର କରିବା ଉଦ୍ଦେଶ୍ୟରେ ଆମେରିକା ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ଇସ୍ରାଏଲକୁ ପ୍ରଚୁର ମାତ୍ରାରେ ଆର୍ଥିକ ସହାୟତା ପ୍ରଦାନ କରିଥିଲା । ଏହାସହିତ ଆମେରିକାରେ ରହୁଥିବା ଇହୁଦି ସମ୍ପ୍ରଦାୟ ବ୍ୟକ୍ତିଗତ ଭାବରେ ଏବଂ ସଂଗଠନ ମାଧ୍ୟମରେ ଇସ୍ରାଏଲ ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ । ୧୯୪୮ ମସିହାରେ ସିଧାସଳଖ ସାମରିକ ସହାୟତା ସୀମିତ ଥିଲା, ପରବର୍ତ୍ତୀ ବର୍ଷ ଗୁଡ଼ିକରେ ବିଶେଷକରି ୧୯୫୦ ଏବଂ ୧୯୬୦ ଦଶକରେ ଆମେରିକା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ପ୍ରଯୁକ୍ତିବିଦ୍ୟା ଯୋଗାଇଥିଲା ।

ଅନ୍ୟପକ୍ଷରେ ଆମେରିକୀୟ ଇହୁଦିମାନେ ଖୋଲାଖୋଲି ଭାବରେ ଇସ୍ରାଏଲକୁ ସମର୍ଥନ ଜଣାଇଥିଲେ। ସେମାନେ କେବଳ ଟଙ୍କା ସଂଗ୍ରହ କରିନଥିଲେ ବରଂ ରାଜନୈତିକ ଲବି ମଧ୍ୟ କରିଥିଲେ। ଆମେରିକୀୟ ଇହୁଦି ସଂଗଠନ ଗୁଡ଼ିକ ଇସ୍ରାଏଲକୁ ସମର୍ଥନ କରିବା ପାଇଁ ଆମେରିକା ସରକାରଙ୍କୁ ଚାପ ପକାଇଥିଲା। ଅନେକ ଇହୁଦି ସ୍ୱେଚ୍ଛାସେବୀ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୈନିକଙ୍କ ସମେତ ଇସ୍ରାଏଲ ଯାଇଥିଲେ ଏବଂ ସେଠାରେ ସେନା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆମେରିକୀୟ ଇହୁଦିମାନେ ଇସ୍ରାଏଲକୁ ଇହୁଦିଙ୍କ ମାତୃଭୂମି ଭାବରେ ପ୍ରଚାର କରିଥିଲେ, ଫଳରେ ଆମେରିକାରେ ଇସ୍ରାଏଲ ପ୍ରତି ସାଧାରଣ ସମର୍ଥନ ବୃଦ୍ଧି ପାଇଥିଲା ।

ବିଶ୍ୱସ୍ତ ସହଯୋଗୀ ଇସ୍ରାଏଲ

୧୯୫୦-୬୦ ସମୟରେ ସୋଭିଏତ ପ୍ରଭାବରେ ପ୍ରଭାବିତ ହୋଇଥିଲା ପଶ୍ଚିମ ଏସିଆ, ସେତେବେଳେ ଆମେରିକାକୁ ଏହି ଅଞ୍ଚଳରେ ଏକ ସ୍ଥାୟୀ ଏବଂ ବିଶ୍ୱସ୍ତ ସହଯୋଗୀର ଆବଶ୍ୟକତା ଥିଲା। ଆଉ ଆମେରିକାର ସହଯୋଗ ପ୍ରତିବଦଳରେ ଇସ୍ରାଏଲ ଏହି ଭୂମିକା ବହୁତ ଭଲଭାବରେ ନିର୍ବାହ କରିଥିଲା ୧୯୬୭ ମସିହାର ଛଅ ଦିନିଆ ଯୁଦ୍ଧରେ ଆମେରିକା ଇସ୍ରାଏଲକୁ ସାମରିକ ସହାୟତା ପ୍ରଦାନ କରିଥିଲା। ୧୯୭୩ ମସିହାର ୟୋମ୍ କିପ୍ପୁର ଯୁଦ୍ଧରେ ଆମେରିକା ଅପରେସନ ନିକେଲ ଗ୍ରାସ ଚଲାଇଥିଲା ଏବଂ ଇସ୍ରାଏଲକୁ ଯୁଦ୍ଧ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା । ଆରବ ଦେଶଗୁଡ଼ିକର ବିରୋଧ ସତ୍ତ୍ୱେ ଆମେରିକା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଏବଂ ଆର୍ଥିକ ସହାୟତା ଯୋଗାଇବା ଜାରି ରଖିଥିଲା। ଧୀରେ ଧୀରେ ପଶ୍ଚିମ ଏସିଆରେ ଆମେରିକା ପାଇଁ ଏକ ସାମରିକ ଘାଟି ଏବଂ ରଣନୈତିକ କେନ୍ଦ୍ର ପାଲଟି ଯାଇଥିଲା ଇସ୍ରାଏଲ ।

ଆମେରିକାରେ ଥିବା ଇହୁଦି ସଂପ୍ରଦାୟ ଦେଶରେ ଏକ ପ୍ରଭାବଶାଳୀ ସ୍ଥିତିରେ ଅଛନ୍ତି । ଅର୍ଥନୀତି ଠାରୁ ଆରମ୍ଭ କରି ଗଣମାଧ୍ୟମ, ଶିକ୍ଷା ଏବଂ ରାଜନୀତିରେ ସେମାନଙ୍କର ଏକ ମଜଭୁତ ସ୍ଥିତି ରହିଛି । ଆମେରିକୀୟ ଇସ୍ରାଏଲ ପବ୍ଲିକ୍ ଆଫେୟାର୍ସ କମିଟି ଭଳି ଲବି ସଂଗଠନ ଗୁଡ଼ିକର ଆମେରିକା କଂଗ୍ରେସ ଏବଂ ହ୍ୱାଇଟ ହାଉସ୍ ଉପରେ ବ୍ୟାପକ ପ୍ରଭାବ ରହିଛି । ଆମେରିକାରେ ପ୍ରାୟ ୭୦ ଲକ୍ଷ ଇହୁଦି ବସବାସ କରନ୍ତି। ପ୍ରତ୍ୟେକ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ଏବଂ ରିପବ୍ଲିକାନ ଉଭୟକୁ ଏମାନଙ୍କର ସମର୍ଥନର ଆବଶ୍ୟକତା ଥାଏ । ଏଠାରେ ରହୁଥିବା ଇହୁଦି ନିର୍ବାଚନୀ ପାଣ୍ଠି, ଗଣମାଧ୍ୟମ ସମର୍ଥନ ଏବଂ ବୈଦେଶିକ ନୀତି ଉପରେ ଚାପ ପ୍ରୟୋଗ କରନ୍ତି । ଫଳସ୍ୱରୂପ ଆମେରିକାରେ ଇସ୍ରାଏଲ୍ ବିରୋଧୀ ନୀତି ପ୍ରସ୍ତୁତ କରିବା ରାଜନୈତିକ ଭାବରେ ଏକ ବିପଦପୂର୍ଣ୍ଣ ପଦକ୍ଷେପ ।

ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ସାରା ବିଶ୍ୱକୁ ଆମେରିକା ପକ୍ଷରୁ ପ୍ରଦାନ କରାଯାଉଥିବା ସାମରିକ ସହାୟତା ବନ୍ଦ କରିଦିଆଯାଇଛି । ହେଲେ ଇସ୍ରାଏଲକୁ ଏବେ ବି ସାମରିକ ସହାୟତା ଯୋଗାଉଛି ଆମେରିକା । ଆମେରିକା ବାର୍ଷିକ ୪ ବିଲିୟନ ଡଲାର ସାମରିକ ସହାୟତା ପାଇଁ ଇସ୍ରାଏଲକୁ ଚୁକ୍ତି ସ୍ୱାକ୍ଷର କରିଛି । ଏଥିପାଇଁ ସବୁଠାରୁ ଉନ୍ନତ ଅସ୍ତ୍ରଶସ୍ତ୍ର (ଏଫ-୩୫ ଲଢ଼ୁଆ ବିମାନ, ଆଇରନ ଡୋମ୍, କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ) ଇସ୍ରାଏଲକୁ ଯୋଗାଇ ଦିଆଯାଏ ଆମେରିକା। ଅନ୍ୟପକ୍ଷରେ ଇସ୍ରାଏଲ ମଧ୍ୟ ଆମେରିକାର ଅସ୍ତ୍ରଶସ୍ତ୍ର ପରୀକ୍ଷଣ ପାଇଁ ଏକ ପରୋକ୍ଷ ପ୍ରୟୋଗଶାଳା ପାଲଟିଛି। ଏପଟେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ଏବଂ ଆମେରିକାର ସିଆଇଏ ମଧ୍ୟରେ ଗଭୀର ସହଭାଗୀତା ରହିଛି। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ୨୦୧୦ ମସିହାରୁ ଦୁଇ ଦେଶ ମିଳିତ ଭାବରେ ଗୁପ୍ତ ମିଶନ ଚଳାଇଛନ୍ତି ।

ଆମେରିକାରେ ଇସ୍ରାଏଲ ସମର୍ଥକ

ଆମେରିକାର ଏକ ନିର୍ଦ୍ଦିଷ୍ଟ ବର୍ଗର ଖ୍ରୀଷ୍ଟିଆନ (ଇଭାଞ୍ଜେଲିକ)ମାନେ ବିଶ୍ୱାସ କରନ୍ତି ଇସ୍ରାଏଲର ଅସ୍ତିତ୍ୱ ଖ୍ରୀଷ୍ଟିଆନ ମସିହାଙ୍କ ଆଗମନର ଭବିଷ୍ୟବାଣୀ ପୂରଣ କରିବ। ଆମେରିକା ଜନସଂଖ୍ୟାର ପ୍ରାୟ ୨୫% ଇଭାଞ୍ଜେଲିକ, ଯେଉଁମାନଙ୍କୁ ଇସ୍ରାଏଲ ସମର୍ଥକ ବୋଲି ବିବେଚନା କରାଯାଏ। ନିର୍ବାଚନ ଜିତିବା ପାଇଁ ଆମେରିକୀୟ ରାଜନେତାମାନଙ୍କୁ ସେମାନଙ୍କର ସମର୍ଥନର ଅନେକ ଆବଶ୍ୟକତା ରହିଛି । ଏହି ଧାର୍ମିକ ବିଶ୍ୱାସ ଯୋଗୁଁ ଆମେରିକାର ବୈଦେଶିକ ନୀତିରେ ଇସ୍ରାଏଲକୁ ଭଗବାନଙ୍କ ଭୂମି ଭାବରେ ବିବେଚନା କରାଯାଏ । ସେଥିପାଇଁ ରାଷ୍ଟ୍ରପତି, କଂଗ୍ରେସ ଏବଂ ସିନେଟ୍ ନିର୍ବାଚନରେ ପାଣ୍ଠି, ଗଣମାଧ୍ୟମ ଏବଂ ଜନମତରେ ଏହି ଲବି ଏକ ବଡ଼ ଭୂମିକା ଗ୍ରହଣ କରେ । ବାଇବେଲରେ ଲିଖିତ ଭବିଷ୍ୟବାଣୀ ସତ୍ୟ ହେବା ପାଇଁ ଇସ୍ରାଏଲର ଅସ୍ତିତ୍ୱ ଆବଶ୍ୟକ ବୋଲି ମନେକରନ୍ତି ଖ୍ରୀଷ୍ଟିଆନ ଇଭାଞ୍ଜେଲିକଲ୍ । ଇସ୍ରାଏଲକୁ ଭଗବାନଙ୍କ ଭୂମି ଏବଂ ଇହୁଦିଙ୍କ ଘର ଭାବରେ ବିବେଚନା କରାଯାଏ।

ଇସ୍ରାଏଲ ନୀତିକୁ ଜାତୀୟ ପ୍ରାଥମିକତା

ଆମେରିକାର ଇସ୍ରାଏଲ ନୀତିକୁ ଏହାର ଜାତୀୟ ପ୍ରାଥମିକତା କୁହାଯାଏ। ଏହାର ଅର୍ଥ ପଶ୍ଚିମ ଏସିଆରେ ଇସ୍ରାଏଲର ସୁରକ୍ଷା, ଅସ୍ତିତ୍ୱ ଏବଂ ସାମରିକ ଶ୍ରେଷ୍ଠତାକୁ କୌଣସି ବି ସ୍ଥିତିରେ ବଜାୟ ରଖିବା ପାଇଁ ଚେଷ୍ଟା କରେ ଆମେରିକା । ଏହି ନୀତି ଆମେରିକୀୟ ସରକାରମାନଙ୍କ ପାଇଁ ଏକ ଜାତୀୟ ପ୍ରାଥମିକତା ପାଲଟିସାରିଛି। ଆମେରିକା ସରକାରୀ ନୀତି ଅନୁସାରେ, ଇସ୍ରାଏଲର ଅସ୍ତିତ୍ୱ ଆମେରିକାର ଜାତୀୟ ସ୍ୱାର୍ଥ ସହିତ ଜଡିତ। ଏଥିପାଇଁ ଇସ୍ରାଏଲର ସାମରିକ ଶ୍ରେଷ୍ଠତା ବଜାୟ ରଖିବା ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଇରାନ, ହିଜବୁଲ୍ଲା, ହମାସ କେହି ବି ଇସ୍ରାଏଲ ପାଇଁ ବିପଦ ସୃଷ୍ଟି କଲେ, ଆମେରିକା ସାମରିକ, ଆର୍ଥିକ ଏବଂ କୂଟନୈତିକ ସାହାଯ୍ୟ ଯୋଗାଇଥାଏ।

Benjamin Netanyahu Israel United States Of America Ayatollah Ali Khamenei
Advertisment
Advertisment