• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୋଛକିରେ ଇସ୍ରାଏଲ୍ । ଗୋଟିଏ ପଟେ ଗାଜାପଟ୍ଟିରେ ପଶି ହମାସକୁ ସମୂଳେ ବିନାଶ କରିବାକୁ ହୁଂକାର ଛାଡ଼ୁଛି । ଅନ୍ୟପଟେ ଗାଜାରେ ହମାସ୍ ପଣବନ୍ଦୀ ରଖିଥିବା ନିଜ ନାଗରିକଙ୍କ ସୁରକ୍ଷା ଚିନ୍ତା ବି ଘାରୁଛି । ସେମାନଙ୍କୁ ହମାସ୍ କେଉଁଠି ଲୁଚାଇ ରଖିଛି, ତାର ପତ୍ତା ପାଉନି ଇସ୍ରାଏଲୀ ସେନା । ତେଣୁ ବାଧ୍ୟ ହୋଇ ଗାଜାବାସୀଙ୍କୁ ଆକାଶରୁ ଲିଫ୍ ଲେଟ୍ ପକାଇ ଅର୍ଥଲୋଭ ସହ ସହଯୋଗ ଲୋଡ଼ିଛି । ଏସବୁ ଭିତରେ ସାମ୍ନାକୁ ଆସିଛି ହମାସ୍ ଆତଙ୍କୀର ଆଉ ଏକ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି ।

ଇସ୍ରାଏଲୀ ପଣବନ୍ଦୀଙ୍କୁ ନେଇ ହମାସ୍ ଆତଙ୍କୀଙ୍କ ଚାଞ୍ଚଲ୍ୟକର କବୁଲନାମା । ପ୍ରତି ବନ୍ଧକଙ୍କ ପାଇଁ ମିଳିଥାନ୍ତା ୧୦ ହଜାର ଡଲାର୍ ଓ ଗୋଟିଏ ଫ୍ଳାଟ୍ । ଇସ୍ରାଏଲ ସିକ୍ୟୁରିଟି ଅଥରିଟି ପକ୍ଷରୁ ଜାରି ଏହି ଭିଡିଓରେ ଗିରଫ ହମାସ୍ ଆତଙ୍କୀଙ୍କ ସ୍ୱୀକାରୋକ୍ତି ରହିଛି । ଜେରାବେଳେ ସେମାନେ କହିଛନ୍ତି ଯେ, ଇସ୍ରାଏଲରେ ପଶି ଯେତେ ସମ୍ଭବ ଅଧିକରୁ ଅଧିକ ସାଧାରଣ ନାଗରିକଙ୍କୁ ଅପହରଣ କରି, ସେମାନଙ୍କୁ ଗାଜା ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲା ସେମାନଙ୍କ ହ୍ୟାଣ୍ଡଲର୍ ।

ଖାସ୍ କରି ମହିଳା, ବୟସ୍କ ଓ ଶିଶୁମାନଙ୍କୁ ଅପହରଣ ପାଇଁ ନିର୍ଦ୍ଦେଶ ଥିଲା ।

ପ୍ରତି ଅପହୃତଙ୍କ ପିଛା ସେମାନଙ୍କୁ ୧୦ ହଜାର ଡଲାରର ଷ୍ଟାଇପେଣ୍ଡ୍ ଓ ଗୋଟିଏ ଲେଖାଏଁ ଫ୍ଳାଟ୍ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏବେସୁଦ୍ଧା ୨ଶହରୁ ଅଧିକ ଇସ୍ରାଏଲୀଙ୍କୁ ଗାଜାରେ ପଣବନ୍ଦୀ ରଖାଯାଇଥିବା ଦାବି କରିଛି ଇସ୍ରାଏଲ୍ । ସେମାନଙ୍କ ମଧ୍ୟରେ ୩୦ ଶିଶୁ ଓ କିଶୋର, ପ୍ରାୟ ୨୦ ଜଣ ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁ ବିଦେଶୀ ଅଛନ୍ତି । ତେବେ କେବଳ ହମାସ୍ ନୁହେଁ, ପ୍ରାୟ ୫୦ ବନ୍ଧକ ଗାଜାର ଆଉ ଏକ ଆତଙ୍କୀ ସଂଗଠନ ପାଖରେ ବନ୍ଦୀ ଥିବା ମଧ୍ୟ ଆଶଙ୍କା କରାଯାଉଛି । ଏଭିତରେ ପ୍ରାୟ ୨୦ ହେବ ବନ୍ଧକ ଇସ୍ରାଏଲୀ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବା ମଧ୍ୟ କୁହାଯାଉଛି ।

ହମାସ୍ ର ମୂଳପୋଛ ପାଇଁ ବଜ୍ରଶପଥ ନେଇଥିବା ଇସ୍ରାଏଲ୍ ପାଇଁ, ପଣବନ୍ଦୀ ନାଗରିକଙ୍କୁ ଉଦ୍ଧାର କରିବା ସବୁଠୁ ବଡ଼ ଚାଲେଞ୍ଜ । କାରଣ ଗାଜାପଟ୍ଟିରେ ପଶି ଗ୍ରାଉଣ୍ଡ୍ ଆଟାକ୍ ଆରମ୍ଭ କଲେ, ହମାସ୍ ବନ୍ଧକଙ୍କୁ ଢାଲ କରି ଇସ୍ରାଏଲୀ ସେନା ଉପରେ ଭାରି ପଡ଼ିପାରେ । ହମାସ୍ ଇସ୍ରାଏଲୀ ଅପହୃତଙ୍କୁ ଗାଜା ମାଟି ତଳେ ବୁଢ଼ିଆଣୀ ଜାଲ ଭଳି ବିଛେଇ ହୋଇଥିବା ସୁଡ଼ଙ୍ଗ ଭିତରେ କେଉଁଠି ଲୁଚେଇ ରଖିଛି, ତାର ପତ୍ତା ମିଳୁନି । ସେଥିପାଇଁ ନୂଆ ଷ୍ଟ୍ରାଟେଜି ଆପଣେଇ, ଗାଜାବାସୀଙ୍କୁ ଅର୍ଥଲୋଭ ଓ ସୁରକ୍ଷାର ଭରସା ଦେଉଛି ଇସ୍ରାଏଲ୍ । ଆକାଶ ମାର୍ଗରୁ ବିମାନ ସହାୟତାରେ ଏହିଭଳି ହଜାର ହଜାର ଲିଫଲେଟ୍ ଗାଜାପଟ୍ଟିର ଜନବସତି ଅଞ୍ଚଳରେ ଫିଙ୍ଗାଯାଇଛି ।

ଯେଉଁଥିଲେ ଲେଖାଅଛି- ଯିଏ ବି ଅପହୃତ ଇସ୍ରାଏଲୀଙ୍କୁ ବନ୍ଦୀ ରଖାଯାଇଥିବା ସ୍ଥାନ ସଂପର୍କରେ ସୂଚନା ଦେବ, ତାଙ୍କୁ ଅର୍ଥ ପୁରସ୍କାର ଦିଆଯିବ। ତାଙ୍କ ପରିଚୟ ଗୋପନ ରଖାଯିବ ଏବଂ ତାଙ୍କର ସୁରକ୍ଷା ସୁନିଶ୍ଚିତ କରାଯିବ । ଶାନ୍ତିରେ ରହିବାକୁ ଓ ପିଲାଙ୍କ ଭଲ ଭବିଷ୍ୟତ ଚାହୁଁଥିଲେ ମାନବୀୟ ସହଯୋଗ କରନ୍ତୁ । ସେପଟେ ହମାସ୍ ପୂର୍ବରୁ ଦୁଇ ଆମେରିକୀୟ ବନ୍ଦୀଙ୍କୁ ଛାଡ଼ିଥିବା ବେଳେ, ୨ ଦିନ ତଳେ ୨ ବୟୋବୃଦ୍ଧ ଇସ୍ରାଏଲୀ ମହିଳାଙ୍କୁ ମୁକ୍ତ କରି, ବିଶ୍ୱ ଆଗରେ ନିଜ ଛବି ସଫା କରିବାକୁ ଚେଷ୍ଟା କରିଛି ।

ହମାସ୍ ବନ୍ଧକଙ୍କୁ ନଛାଡ଼ିବା ଯାଏଁ, ଇସ୍ରାଏଲ ଗାଜାରେ ଏୟାରଷ୍ଟ୍ରାଇକ୍ ବଢ଼ାଇ ଚାଲିବ ବୋଲି ଧମକ ଦେଇଛି । ଅନ୍ୟପକ୍ଷରେ ଦିନକୁ ଦିନ ଉଗ୍ର ହେଉଥିବା ଯୁଦ୍ଧରେ କିପରି ବିରାମ ଲାଗିବ, ସେହି ପ୍ରସଙ୍ଗରେ ଜାତିସଂଘରେ ଆଲୋଚନା ହୋଇଛି । ଏଥିରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଏକପ୍ରକାର ହମାସ୍ ସପକ୍ଷରେ ମତ ଦେବାରୁ, ଏହାର ତୀବ୍ର ବିରୋଧ କରିଛି ଇସ୍ରାଏଲ୍ । ସେ ଏହି ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଇସ୍ରାଏଲ୍ ରାଷ୍ଟ୍ରଦୂତ କହିଥିବା ବେଳେ, ଜାତିଂସଘ ଅଧିକାରୀଙ୍କ ଭିସା ଖାରଜ କରିଦେଇଛନ୍ତି ବେଞ୍ଜାମିନ ନେତାନ୍ୟାହୁ ସରକାର ।