• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅକ୍ଟୋବର ୭ରୁ ନଭେମ୍ବର ୭ । ଇସ୍ରାଏଲ-ହମାସ ଯୁଦ୍ଧକୁ ପୂରିଛି ମାସେ । ଅକ୍ଟୋବର ୭ରେ ହମାସର ଅତର୍କିତ ଆକ୍ରମଣ ଜବାବରେ ଜୋରଦାର ପ୍ରତିଆକ୍ରମଣ ଜାରି ରଖିଛି ଇସ୍ରାଏଲ । ସମଗ୍ର ଗାଜା ଅଞ୍ଚଳ ଧ୍ୱଂସସ୍ତୁପରେ ପରିଣତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଲାଣି । ତେବେ ଅସ୍ତ୍ରବିରତି ଦାବିକୁ ପୁଣି ଅଗ୍ରାହ୍ୟ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ହମାସର ମୂଳୋତ୍ପାଟନ ଏକମାତ୍ର ଲକ୍ଷ୍ୟ ବୋଲି ସେ ଦୋହରାଇଛନ୍ତି । ଏପଟେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ନେଇ ଚିନ୍ତାବ୍ୟକ୍ତ କରିଛି ମିଳିତ ଜାତିସଂଘ ।

ତେବେ ଇସ୍ରାଏଲର ପ୍ରତିଆକ୍ରମଣ କେବେ ବନ୍ଦ ହେବ କହିବା ମୁସ୍କିଲ । କାରଣ ହମାସକୁ ସମୂଳେ ନାଶ କରିବାକୁ ପଣ କରିଛି ଇସ୍ରାଏଲ । ଆଉ ସେଇ ଲକ୍ଷ୍ୟରେ ଗାଜାରେ ଚାଲିଛି ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନ । ହମାସ ଆତଙ୍କୀଙ୍କୁ ଭୂମିତଳ ଟନେଲରୁ କାଢିବା ଲାଗି ବିଭିନ୍ନ ପନ୍ଥା ଆପଣେଇଛି ଇସ୍ରାଏଲ । ତେବେ ଏହି ଇଣ୍ଡରଗ୍ରାଉଣ୍ଡ ଟନେଲ ବ୍ୟବସ୍ଥା ଏତେ ଜଟିଳ ଯେ ଏହା ଭିତରେ ପଶିବା ମୁସ୍କିଲ । ଏହାସତ୍ତ୍ୱେ ହମାସକୁ ମୂଳପୋଛ ନକରିବା ଯାଏଁ ଅସ୍ତ୍ରବିରତିର ପ୍ରଶ୍ନ ନାହିଁ ବୋଲି ରୋକଠୋକ ଭାବେ ଶୁଣାଇ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ଏହା ସହ ଗାଜାର ଭବିଷ୍ୟତକୁ ନେଇ ମଧ୍ୟ ବଡ଼ ଘୋଷଣା କରିଛନ୍ତି । ହମାସ ସଫା ହେବା ପରେ ଇସ୍ରାଏଲ, ଗାଜାର ସୁରକ୍ଷା ଦାୟିତ୍ୱରେ ରହିବ ବୋଲି ନେତାନ୍ୟାହୁ କହିଛନ୍ତି । ଅନ୍ୟପଟେ ଇରାନ ସମର୍ଥିତ ହେଜବୁଲ୍ଲା ଓ ହୁତି ବିଦ୍ରୋହୀ ଇସ୍ରାଏଲ ଉପରେ ବାରମ୍ବାର ଆକ୍ରମଣ କରୁଥିବାରୁ କ୍ଷୁବ୍ଧ ହୋଇଛି ଆମେରିକା । ତେହରାନକୁ ଚେତାବାନୀ ସ୍ୱରୂପ ପାରସ୍ୟ ଉପସାଗରରେ ପରମାଣୁ ଶକ୍ତି ସଂପନ୍ନ ଆକ୍ରମଣକାରୀ ବୁଡ଼ା ଜାହାଜ ମୁତୟନ କରିଛି ବାଇଡେନ ପ୍ରଶାସନ ।

ଯୁଦ୍ଧ ପରିସର ଯେଭଳି ନବଢେ ତାକୁ ଆଖିରେ ରଖି ଆମେରିକା ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ପୂର୍ବରୁ ଆମେରିକାର ଏକ ଏୟାରକ୍ରାଫଟ କ୍ୟାରିୟର ଭୂମଧ୍ୟ ସାଗରରେ ମୁତୟନ ରହିଛି । ଇସ୍ରାଏଲ ସମର୍ଥନ ସ୍ୱରୂପ ୱାଶିଂଟନ ଏଭଳି ପଦକ୍ଷେପ ନେଇଛି । ଗାଜାରେ ଇସ୍ରାଏଲ ଆକ୍ରମଣ ରୋକିବା ଲାଗି ଭାରତ ଏହାର ପ୍ରଭାବ ବ୍ୟବହାର କରୁ ବୋଲି କହିଛି ଇରାନ ।

ପାଲେଷ୍ଟାଇନ ପ୍ରସଙ୍ଗ ନେଇ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାଜାରେ ଅସ୍ତ୍ରବିରତି ଲାଗି ଇରାନ ସମସ୍ତ ଅନ୍ତର୍ଜାତୀୟ ଉଦ୍ୟମରେ ସାମିଲ ହେବ । ଗାଜାରୁ ଅବରୋଧ ହଟାଇବା ସହ ଯୁଦ୍ଧଗ୍ରସ୍ତଙ୍କ ନିକଟରେ ରିଲିଫ ପହଞ୍ଚାଇବା ଅତି ଜରୁରୀ ବୋଲି ତେହେରାନ ପକ୍ଷରୁ ବିବୃତି ଜାରି କରାଯାଇଛି ।

ଅନ୍ୟପଟେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ନେଇ ଚିନ୍ତାବ୍ୟକ୍ତ କରିଛି ମିଳିତ ଜାତିସଂଘ । ତୁରନ୍ତ ଅସ୍ତ୍ରବିରତି ଲାଗି ଅପିଲ୍ କରିଥିଲେ ମଧ୍ୟ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ମତଭେଦ ଯୋଗୁଁ କୌଣସି ନିଷ୍ପତ୍ତି ହୋଇପାରିନି । ଇସ୍ରାଏଲ ଗାଜା କାର୍ଯ୍ୟାନୁଷ୍ଠାନକୁ ନେଇ ବଢିବାରେ ଲାଗିଛି ଚିନ୍ତା । ୧୦ ହଜାରରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୪ ହଜାରରୁ ଅଧିକ ଶିଶୁ ଅଛନ୍ତି । ଗାଜା ଶିଶୁଙ୍କ କବରସ୍ଥାନରେ ପରିଣତ ହୋଇଥିବା ଜାତିସଂଘ ପକ୍ଷରୁ କୁହାଯାଇଛି ।

ଏହା ସତ୍ତ୍ୱେ ଜାରି ରହିଛି ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ । ଇସ୍ରାଏଲର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆଉ ଜଣେ ହମାସ କମାଣ୍ଡର ୱାଏଲ ଆସେଫାର ମୃତ୍ୟୁ ହୋଇଥିବା ଆଇଡିଏଫ କହିଛି । ଡେର ଅଲ ବାଲାହ ବାଟାଲିୟନ ମୁଖ୍ୟ ଆସେଫାର ଅକ୍ଟୋବର ୭ ଆକ୍ରମଣରେ ପ୍ରମୁଖ ଭୂମିକା ଥିବା କହିଛି ଇସ୍ରାଏଲ ସେନା ।

ଅନ୍ୟପଟେ ହମାସ ଇସ୍ରାଏଲ ଯୁଦ୍ଧକୁ ନେଇ ଜାତିସଂଘ ଅସହାୟ ହୋଇପଡିଛି । ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ମତଭେଦ କାରଣରୁ ଅସ୍ତ୍ର ବିରତି ନେଇ ପ୍ରସ୍ତାବ ପାରିତ ହୋଇପାରିନି । ଗାଜାବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ଇସ୍ରାଏଲ ଆକ୍ରମଣକୁ ସାମୟିକ ବନ୍ଦ କରିବ ବୋଲି ଆମେରିକା ପ୍ରସ୍ତାବ ଦେଇଥିଲା । ମାତ୍ର ପୂର୍ଣ୍ଣ ଅସ୍ତ୍ରବିରତି ଉପରେ ଜୋର ଦେଇଥିଲେ ଅନେକ ସଦସ୍ୟ ରାଷ୍ଟ୍ର । ଫଳରେ ଦୁଇ ଘଣ୍ଟାର ରୁଦ୍ଧଦ୍ୱାର ବୈଠକ ସତ୍ତ୍ୱେ କୌଣସି ସହମତି ହୋଇପାରିନଥିଲା ।

ଅନ୍ୟପକ୍ଷରେ ପାଲେଷ୍ଟାଇନବାସୀଙ୍କ ଇସ୍ରାଏଲ ପ୍ରବେଶକୁ ବାରଣ ପରେ ଭାରତୀୟଙ୍କ ଲାଗି ସୃଷ୍ଟି ହୋଇଛି ନୂଆ ସୁଯୋଗ । ନିର୍ମାଣ କ୍ଷେତ୍ର ଲାଗି ଲକ୍ଷେ ଶ୍ରମିକ ଭାରତରୁ ନେବା ଲାଗି ଇସ୍ରାଏଲ ବିଲଡର ଆସୋସିଏସନ ନେତାନ୍ୟାହୁ ସରକାରକୁ ଅନୁରୋଧ କରିଛି । ଯୁଦ୍ଧ ପୂର୍ବରୁ ୯୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ଇସ୍ରାଏଲରେ କାମ କରୁଥିଲେ । ତେବେ ଅକ୍ଟୋବର ୭ ପରେ ସେମାନଙ୍କ ୱାର୍କ ପରମିଟକୁ ବାତିଲ କରି ଦିଆଯାଇଛି ।

ତେବେ ଏନେଇ ନୂଆଦିଲ୍ଲୀ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।