• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ହମାସ୍ ଉପରେ ଭାରି ପଡ଼ୁଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଅଚନାକ୍ ହମଲାର ଖୋଜି ଖୋଜି ବଦଲା ନେଉଛି ଇସ୍ରାଏଲ୍ । ରାତିକ ଭିତରେ ଧ୍ୱଂସ ହେଲା ୫ଶହ ହମାସ୍ ଆତଙ୍କୀ ଆଡ୍ଡା । ଗାଜା ଷ୍ଟ୍ରିପକୁ ଟୋଟାଲ୍ ବ୍ଲକେଡ୍ ପାଇଁ ନିର୍ଣ୍ଣାୟକ ଘୋଷଣା । ଗାତରୁ ମୂଷା ବାହାରିବା ଭଳି ଆଗକୁ ଗାଜା ପଟ୍ଟିରୁ ଗୋଟି ଗୋଟି କରି ବାହାରିବେ ଲୁଚି ରହିଥିବା ହମାସ୍ ଆତଙ୍କୀ । ପାଲେଷ୍ଟାଇନ୍ ସମର୍ଥିତ ଏହି ଆତଙ୍କୀ ସଂଗଠନର ମୂଳପୋଛ କରିବା ପାଇଁ ବଜ୍ରଶପଥ ନେଇଛି ଇସ୍ରାଏଲ୍ ସରକାର ।

ସେଥିପାଇଁ ଗାଜାକୁ ଲାଗିଥିବା ଅଧିକାଂଶ ଅଞ୍ଚଳକୁ ହମାସ୍ କବଳରୁ ମୁକ୍ତ କରି ଇସ୍ରାଏଲ୍ ସେନା ନିଜ ଅକ୍ତିଆରକୁ ନେଇସାରିଥିଲେ ବି, ଯୁଦ୍ଧ ଜମାରୁ ଧିମା ପଡ଼ିନି । ୭ରୁ ଅଧିକ ସ୍ଥାନରେ ସଂଘର୍ଷ ଜାରି ରହିଛି । ଉଭୟ ପଟରୁ ରକେଟ୍ ମାଡ଼ ଜାରି ରହିଛି । ଗାଜା ପଟ୍ଟିକୁ ଘେରି ରହିଛନ୍ତି ଲକ୍ଷାଧିକ ଇସ୍ରାଏଲ୍ ସୈନ୍ୟଙ୍କୁ ଦିଆଯାଇଛି ଚରମ ନିର୍ଦ୍ଦେଶ । ଲୁଚିଥିବା ଆତଙ୍କୀଙ୍କୁ ବାହାର କରିବା ପାଇଁ ଗାଜା ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଘେରାବନ୍ଦୀ କରି; ବିଦ୍ୟୁତ, ଖାଦ୍ୟ ଓ ଇନ୍ଧନ ଯୋଗାଣ ରୋକିଦେବା ପାଇଁ ସେନାବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ୍ ପ୍ରତିରକ୍ଷାମନ୍ତ୍ରୀ । ଯାହାଫଳରେ ଆପେ ଆପେ ଆତଙ୍କୀମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେବେ ବୋଲି ଆଶା କରାଯାଉଛି । ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ ୩ ଦିନରେ ପହଞ୍ଚିଥିବା ବେଳେ, ଉଭୟ ପକ୍ଷରୁ ମୃତ୍ୟୁସଂଖ୍ୟା ୧୧ଶହ ଟପିଲାଣି ।

ଇସ୍ରାଏଲର ସମସ୍ତ ପ୍ରାପ୍ତବୟସ୍କ ନାଗରିକ ଜଣେ ଜଣେ ସୈନ୍ୟ । ୧୮ ବର୍ଷ ଟପିଲେ ସେନାରେ ଯୋଗ ଦେବା ବାଧ୍ୟତାମୂଳକ । ଆଉ ସେନାରୁ ଅବସର ପରେ ମଧ୍ୟ, କେତେବେଳେ ବି ପଡ଼ିପାରେ ଡାକରା । ସେନାରୁ ଅବସର ପରେ କାଲିଯାଏଁ ସାମ୍ବାଦିକତା କରୁଥିଲେ ହନାନ୍ୟା ନଫ୍ତାଲି । ହେଲେ ଆଜି ସେ ୟୁନିଫର୍ମ ପିନ୍ଧି ପୁଣି ବାହାରିଛନ୍ତି ଦେଶମାତୃକାକୁ ସୁରକ୍ଷା ଦେବା ପାଇଁ । ଆଉ ଅଜଣା ଆତଙ୍କକୁ ମନରେ ଚାପି ରଖି ତାଙ୍କୁ ବିଦାୟ ଜଣାଉଛନ୍ତି ତାଙ୍କର ପତ୍ନୀ ।

ଇସ୍ରାଏଲରେ ରିଜର୍ଭ ଡ୍ୟୁଟି ବାଧ୍ୟତାମୂଳକ ହୋଇଥିବାରୁ, ପ୍ରାୟ ୩ ଲକ୍ଷ ଯୁବ ନାଗରିକଙ୍କୁ ଯୁଦ୍ଧସ୍ଥିତିରେ ଦେଶର ସୁରକ୍ଷା ପାଇଁ ପୁଣି ସେନା ଡ୍ୟୁଟିରେ ଯୋଗ ଦେବାକୁ ଡାକିଛି ଇସ୍ରାଏଲ୍ । ଖାଲି ଦେଶ ଭିତରେ ନୁହେଁ, ଦେଶ ବାହାରେ ଥିବା ଇସ୍ରାଏଲୀଙ୍କୁ ବି ଡାକରା ଆସିଛି । କେବଳ ସେଥିପାଇଁ ରାଜସ୍ଥାନ ବୁଲିବାକୁ ଆସିଥିବା ଏହି ଇସ୍ରାଏଲୀ ପର୍ଯ୍ୟଟକମାନଙ୍କୁ ସ୍ୱଦେଶ ଫେରିବାକୁ ପଡ଼ୁଛି ।

ଇସ୍ରାଏଲ ନିଜର ଲକ୍ଷ ଲକ୍ଷ ରିଜର୍ଭ ଫୋର୍ସକୁ ଡକାଇବା ପରେ ଯୁଦ୍ଧ ଆଗକୁ ଆହୁରି ଭୟାନକ ହୋଇପାରେ ଆଶଙ୍କା କରାଯାଉଛି । ଏଭିତରେ ଆମେରିକା ପଠାଇଛି ଏହାର ବିଶାଳ ଯୁଦ୍ଧପୋତ USS ଜେରାଲ୍ଡ ଆର୍. ଫୋର୍ଡ ।