• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଦେଶ ସମ୍ଭାଳିବାକୁ ଅକ୍ଷମ ତାଲିବାନ୍ ସରକାର । ଥରେ ନୁହେଁ କି ଦୁଇ ଥର ନୁହେଁ ବନ୍ଧୁକ ମୁନରେ ଆଫଗାନିସ୍ତାନ ଅକ୍ତିଆର କରିବା ପରେ ୧୦ ଥରରୁ ଅଧିକ ଆକ୍ରମଣ ହୋଇସାରିଲାଣି । ୧୫ ଅଗଷ୍ଟ ୨୦୨୧ରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ ଅକ୍ତିଆର୍ କରିଥିଲା । ସେବେଠାରୁ ଆଫଗାନିସ୍ତାନରେ କ୍ରମାଗତ ବିସ୍ଫୋରଣ ଘଟିଚାଲିଛି । ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍ (ଆଇଏସ୍-କେ) ଅଧିକାଂଶ ଆକ୍ରମଣ ପାଇଁ ନିଜକୁ ଦାୟୀ କରୁଛି ।

ଆମେରିକା ଆଫଗାନିସ୍ତାନ ଛାଡିବା ପରେ ତାଲିବାନକୁ ଟାର୍ଗେଟ କରୁଛି ଆଇଏସ-କେ । ତାଲିବାନ ଶାସନରେ ଦିନକୁ ଦିନ କଳାବାଦଲ ଘୋଟିଆସୁଛି । କେତେବେଳେ ଭୋକ, କେତେବେଳେ ଶୀତ, ଆଉ ଲଗାତାର ବିସ୍ଫୋରଣ ।  ତାଲିବାନ ଶାସନରେ ଆଫଗାନିସ୍ତାନର ସ୍ଥିତି ଭଲ ଥିବା ପରି ମନେ ହେଉନାହିଁ । ହେଲେ ତାଲିବାନ ନେତାମାନେ କିନ୍ତୁ ଏକଥା ମାନିବାକୁ ରାଜି ନୁହେଁ । ସବୁକିଛି ନିୟନ୍ତ୍ରଣରେ ଅଛି ତଥା ଆଫଗାନ୍ ଲୋକମାନେ ସୁରକ୍ଷିତ ଅଛନ୍ତି ବୋଲି କହୁଛନ୍ତି ।

ତାଲିବାନର ଅଢ଼େଇ ମାସର ଶାସନ କାଳରେ ଅନେକ ବଡ଼ ବଡ଼ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୩୩୦ ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ୪୮୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

କାବୁଲ ବିମାନବନ୍ଦର ବିସ୍ଫୋରଣ

୨୬ ଅଗଷ୍ଟ ସନ୍ଧ୍ୟାରେ ହୋଇଥିବା କାବୁଲ ବିମାନବନ୍ଦର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଅତି କମରେ ୧୮୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍ ନିଜକୁ ଦାୟୀ କରିଥିଲା ।

କାବୁଲ ଏବଂ ଜଲାଲାବାଦରେ ବିସ୍ଫୋରଣ 

ସେପ୍ଟେମ୍ବର ୧୮ରେ ନଙ୍ଗରହରର ରାଜଧାନୀ ଜାଲାଲାବାଦରେ ଚାରିଟି ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୩୦ ଜଣ ଆହତ ହୋଇଥିଲେ । ଏହି ବିସ୍ଫୋରଣରେ ତାଲିବାନ ପାଟ୍ରୋଲିଂ ଗାଡିଗୁଡ଼ିକୁ ଟାର୍ଗେଟ କରାଯାଇଥିଲା । ଏହା ସହିତ ସେହି ଦିନ କାବୁଲରେ ମଧ୍ୟ ଏକ ବିସ୍ଫୋରଣ ହୋଇଥିଲା । କିନ୍ତୁ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିଲେ । ଏହି ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍ ମଧ୍ୟ ଦାୟୀ ବୋଲି ଦାବି କରିଥିଲା ।

ଜଲାଲାବାଦ ବିସ୍ଫୋରଣ

୨୨ ସେପ୍ଟେମ୍ବରରେ ଜାଲାଲାବାଦରେ ଏକାଧିକ ବିସ୍ଫୋରଣ ହୋଇଥିଲା । ଆଉ ସେହି ଦିନ ବନ୍ଧୁକଧାରୀମାନେ ମଧ୍ୟ ଆକ୍ରମଣ କରିଥିଲେ। ଏହି ସମଗ୍ର ଆକ୍ରମଣରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି । ଆକ୍ରମଣକାରୀମାନେ ଏକ ଗ୍ୟାସ ଷ୍ଟେସନରେ ଗାଡି ଉପରକୁ ଗୁଳି ଚଳାଇବା ପରେ ଅତି କମରେ ଦୁଇ ତାଲିବାନ ଯୁଦ୍ଧବିମାନ ଏବଂ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିଲା ।

କାବୁଲ ବିସ୍ଫୋରଣ

୩ ଅକ୍ଟୋବରରେ ପୁଣି ଥରେ ରାଜଧାନୀ କାବୁଲରେ ବିସ୍ଫୋରଣ ହୋଇଥିଲା । ଇଦଗାହ ମସଜିଦ ଫାଟକ ନିକଟରେ ହୋଇଥିବା ଆକ୍ରମଣରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ଙ୍କ ମା’ଙ୍କ ସ୍ମାରକସ୍ଥଳୀକୁ ଟାର୍ଗେଟ କରାଯାଇ ବିସ୍ଫୋରଣ କରାଯାଇଥିଲା ।

କୁନ୍ଦୁଜ୍ ବିସ୍ଫୋରଣ

ଅକ୍ଟୋବର ୮ରେ ପ୍ରାର୍ଥନା ସମୟରେ କୁନ୍ଦୁଜରେ ଥିବା ଏକ ଶିଆ ମସଜିଦରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିଲା । ଆଉ ଏଥିରେ ୧୪୩ରୁ ଅଧିକ ଆହତ ହୋଇଥିଲେ । ଅନେକ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୦ବୋଲି ଜଣାପଡିଥିଲା । ଏହି ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍ ମଧ୍ୟ ନିଜକୁ ଦାୟୀ କରିଥିଲା ।

କାନ୍ଦାହାର ବିସ୍ଫୋରଣ

ଅକ୍ଟୋବର ୧୫ରେ ପୁଣି ଥରେ ପ୍ରାର୍ଥନା ସମୟରେ କାନ୍ଦାହାରର ଇମାମ ବରଗାହ ଶିଆ ମସଜିଦରେ ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

କାବୁଲ ହସ୍ପିଟାଲ ବିସ୍ଫୋରଣ

୨ ନଭେମ୍ବରରେ ପୁଣି ଅଶାନ୍ତ ହେଲା ଆଫଗାନିସ୍ତାନର ରାଜଧାନୀ । କାବୁଲର ଏକ ମିଲଟାରୀ ହସ୍ପିଟାଲ ବାହାରେ ଆତ୍ମଘାତୀ ସିରିଏଲ ବୋମା ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣାଗଲା । ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ କାବୁଲର ମିଲଟାରୀ ହସ୍ପିଟାଲ ନିକଟରେ ବିସ୍ଫୋରଣ ଓ ଗୁଳି ବିନିମୟ ହୋଇଛି ।