Iraq Child Marriage Law: ଇରାକ୍ ସରକାରଙ୍କ ବର୍ବର ନିଷ୍ପତ୍ତି, ମାତ୍ର ୯ ବର୍ଷରେ ବିବାହକୁ ଅନୁମତି

ମାତ୍ର ୯ ବର୍ଷର ଝିଅକୁ ବିବାହ ଅନୁମତି ! ଇରାକ୍‌ରେ ମାତ୍ର ୯ ବର୍ଷର ଛୋଟ ଝିଅଙ୍କୁ ବାଲ୍ୟ ବିବାହ କରିବାକୁ ଅନୁମତି ମିଳିଛି ।

Iraq Child Marriage Law

ମାତ୍ର ୯ ବର୍ଷର ଝିଅକୁ ବିବାହ ଅନୁମତି! ଇରାକ୍‌ରେ ମାତ୍ର ୯ ବର୍ଷର ଛୋଟ ଝିଅଙ୍କୁ ବାଲ୍ୟ ବିବାହ କରିବାକୁ ଅନୁମତି ମିଳିଛି । ଯୁବକ ବୟସର ଯେକୌଣସି ବ୍ୟକ୍ତି ମାତ୍ର ୯ ବର୍ଷର ଛୋଟ ଝିଅକୁ ବିବାହ କରିପାରିବେ ବୋଲି ଇରାକ୍‌ ସରକାର ଘୋଷଣା କରିଛନ୍ତି । ଏହା ସହ ମହିଳାମାନଙ୍କୁ ଛାଡପତ୍ର, ଶିଶୁ ସୁରକ୍ଷା ଏବଂ ଉତ୍ତରାଧିକାରୀ ଅଧିକାରରୁ ବଞ୍ଚିତ କରିବାକୁ ମଧ୍ୟ ସଂଶୋଧନ ପ୍ରସ୍ତାବ ଦିଆଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହି ବିଲ୍ ନାଗରିକମାନଙ୍କୁ ପାରିବାରିକ କାର୍ଯ୍ୟ ଉପରେ ନିଷ୍ପତ୍ତି ନେବାକୁ ସ୍ୱତନ୍ତ୍ରତା ପ୍ରଦାନ କରିବ ବୋଲି ଇରାକ୍ ସରକାର କହିଛନ୍ତି ।

ଇରାକ୍‌ରେ ସିଆ ଦଳର ଏକ ମିଳିତ ମଞ୍ଚ ଦ୍ୱାରା ରକ୍ଷଣଶୀଳ ସରକାର ଚାଲୁଛି । ତେବେ ଏପରି ବିଲ୍ ପାସ୍ କରି ପୁଣି ଥରେ ସରକାର ମହିଳାଙ୍କ ଗୋଡ଼ରେ ବେଡି ବାନ୍ଧିଛନ୍ତି, ତାହା ନିଃସନ୍ଦେହ । ଅନୈତିକ ସମ୍ପର୍କରୁ ଝିଅମାନଙ୍କୁ ସୁରକ୍ଷା ଦେବା ପାଇଁ ଏପରି ନିୟମ ଲାଗୁ କରାଯାଇଥିବା ବୋଲି ସଫେଇ ଦେଇଛନ୍ତି ଇରାକ୍ ସରକାର । ତେବେ ଏହି ଆଇନର ଦ୍ୱିତୀୟ ସଂଶୋଧନ ଗତ ସେପ୍ଟେମ୍ବର ୧୬ ରେ ପାରିତ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଟେଲିଗ୍ରାମ ସିଇଓଙ୍କ ଅଜବ ଘୋଷଣା ! ସ୍ପର୍ମ ନେଲେ ମିଳିବ ମାଗଣା IVF ଚିକିତ୍ସା

ଇରାକ୍‌ର ମିଳିତ ସରକାର କହିଛନ୍ତି ଯେ ପ୍ରସ୍ତାବିତ ସଂଶୋଧନ ଇସଲାମୀୟ ସାରିଆ ଆଇନର ଅନୁରୂପ ଅଟେ । ଏହା ମୁଖ୍ୟତଃ ଯୁବକ ଯୁବତୀଙ୍କୁ ଅନୈତିକ ସମ୍ପର୍କରୁ ରକ୍ଷା କରିବା ପାଇଁ ପାରିତ ହୋଇଛି । ସଂସଦୀୟ ସଂଖ୍ୟା ଗରିଷ୍ଠତା ଥିବାରୁ ଇରାକ୍‌ରେ ମହିଳାମାନଙ୍କର ପ୍ରବଳ ବିରୋଧ ସତ୍ତ୍ୱେ ଏହି ଆଇନ ପ୍ରଣୟନ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

UNICEF ଅନୁଯାୟୀ, ଇରାକରେ ବାଲ୍ୟ ବିବାହ ପ୍ରଚଳିତ ଅଛି । ପ୍ରାୟ ୨୮ ପ୍ରତିଶତ ଇରାକୀ ମାତ୍ର ୧୮ ବର୍ଷ ବୟସରେ ଭିତରେ ହିଁ ବିବାହ କରିଯାଆନ୍ତି । ଏପରି ନିୟମ ପାଳନ ଦ୍ୱାରା ଏହି ହାରରେ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇପାରେ । ଇରାକ୍ ମିଡିଆ ରିପୋର୍ଟ ମୁତାବକ, ପର୍ଶନାଲ୍ ଷ୍ଟେଟ୍‌ସ ଲ’ ୧୯୫୯ର ୧୮୮ତମ ନିୟମକୁ ବଦଳାଯାଇଛି । ଇରାକ ସଂସଦରେ ଝିଅଙ୍କ ବିବାହ ବୟସ ୯ବର୍ଷ ରଖିବାକୁ ଇରାକ୍ ନ୍ୟାୟ ମନ୍ତ୍ରଣାଳୟ ପୂର୍ବରୁ ପ୍ରସ୍ତାବ ଦେଇଥିଲା ।

ପୂର୍ବରୁ ମହିଳାଙ୍କ ଆଇନଗତ ବିବାହ ବୟସ ୧୮ ବର୍ଷ ରହିଥିଲା । ଏହି ନିୟମକୁ ସଂଶୋଧନ କରି ଝିଅମାନଙ୍କ ବାହାଘର ବୟସ ୯ବର୍ଷ କରାଯାଇଛି । ତେବେ ଏହାପୂର୍ବରୁ ଅବ୍ଦୁଲ କରୀମ କାଶିମ୍ ସରକାର ବିବାହ ବୟସ ୧୮ ରଖିଥିଲେ । ଏହି ବିଲ୍ ପାସ୍ ହେବା ଫଳରେ ଦେଶରେ ପୁଅ ଓ ଝିଅଙ୍କର ବିବାହ ବୟସ ୧୫ ଏବଂ ୯ ବର୍ଷ ହୋଇଛି । ଏପରି ହେଲେ ବାଲ୍ୟ ବିବାହ, ଶୋଷଣ ବୃଦ୍ଧି, ଛାଡ଼ପତ୍ର, ପାରିବାରିକ ହିଂସା ଆଦି ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି ।

ଏଥିସହ ମହିଳାଙ୍କ ଅଧିକାର ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ ପାଇଁ ଦଶନ୍ଧି ଧରି ଯେଉଁ ପ୍ରଗତି ହୋଇଛି ତାହା କ୍ଷୁର୍ଣ୍ଣ ହେବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରିଛନ୍ତି । ଏପରି ହେଲେ ନାରୀ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ କୁପ୍ରଭାବ ପଡ଼ିବ । ଏହାଦ୍ୱାରା ଡ୍ରପଆଉଟ୍ ହାର ବୃଦ୍ଧି ପାଇବ, କମ୍ ବୟସରେ ଗର୍ଭଧାରଣ ଏବଂ ଘରୋଇ ହିଂସା ବଢିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଇରାକ୍ ସରକାରଙ୍କ ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ଆଗତ ଏହି ବିଲ୍‌କୁ ଇରାକର ମହିଳା ଏବଂ ବହୁ ମାନବାଧିକାର ସଂଗଠନ ତୀବ୍ର ବିରୋଧ କରିଛନ୍ତି ।

ଏହାକୁ ନେଇ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ନାରୀ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ ପଡ଼ିବାକୁ ଥିବା କୁପ୍ରଭାବକୁ ଇରାକ୍ ସରକାର ଦେଖିପାରୁନାହାନ୍ତି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଏହାଦ୍ୱାରା ଡ୍ରପଆଉଟ୍ ହାର ବୃଦ୍ଧି ପାଇବ, କମ୍ ବୟସରେ ଗର୍ଭଧାରଣ ଏବଂ ଘରୋଇ ହିଂସା ବଢିଯିବ ବୋଲି ସାମାଜିକ କର୍ମୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ: INR VS USD: ଟ୍ରମ୍ପ ଜିତିବା ପରେ… ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା