ଯୁଦ୍ଧ ପରିସ୍ଥିତି ଜଟିଳ ହେଉଥିବା ବେଳେ ଆମେରିକା ଓ ଇସ୍ରାଏଲକୁ କଡ଼ା ଜବାବ ଦେଇଛି ଇରାନ । କହିଲା, ଆକ୍ରମଣ ହୋଇଥିଲେ ବି ଜାରି ପରମାଣୁ କାର୍ଯ୍ୟକ୍ରମ । ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମିନେଇଙ୍କ ଜଣେ ସହଯୋଗୀ ଏହା କହିଛନ୍ତି । ଏବେ ବି ଇରାନ ପାଖରେ ବିପୁଳ ପରିମାଣର ୟୁରାନିୟମ୍ ଗଚ୍ଛିତ ଥିବାର ସେ କହିଛନ୍ତି । ଗତ ଜୁନ୍ ୨୧ରେ ଆମେରିକା ପକ୍ଷରୁ ଇରାନର ୩ଟି ଆଣବିକ ଘାଟି ଉପରେ ଆକ୍ରମଣ କରିଥିଲା ।
ଇରାନକୁ ପରମାଣୁ କାର୍ଯ୍ୟକ୍ରମରୁ ବିରତ ରଖିବା ପାଇଁ ଆମେରିକା ଯତପରୋନାସ୍ତି ଉଦ୍ୟମ କରୁଛି । ତେବେ ଆମେରିକାର ଆଖି ରହିଛି ଇରାନର ୟୁରାନିୟମ୍ ଉପରେ । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଇରାନ ପାଖରେ ୪ କ୍ୱିଣ୍ଟାଲ ୟୁରାନିୟମ୍ ଅଛି । ଏଥିରେ ୧୦ଟି ପରମାଣୁ ଅସ୍ତ୍ର ତିଆରି ହୋଇପାରିବ । ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଆମେରିକା ଆକ୍ରମଣ କରିବାର ଅବ୍ୟବହିତ ପୂର୍ବରୁ ଇରାନ୍ ଏହି ୟୁରାନିୟମକୁ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଛି । ସାଟେଲାଇଟ୍ ଚିତ୍ର କହୁଛି, ଆମେରିକା ଫର୍ଡୋ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ କରିବା ପୂର୍ବରୁ ୧୬ଟି ଟ୍ରକରେ କିଛି ଜିନିଷ ରଖାଯାଇଥିଲା । ଆମେରିକାର ଆକ୍ରମଣ ପରେ ଏହି ଘାଟି ସବୁ କ୍ଷତିଗ୍ରସ୍ତ ହୋଇଛି । ଏ ଚିତ୍ର ସାମନାକୁ ଆସୁଛି । କିନ୍ତୁ ଏହି ଟ୍ରକ ଗୁଡିକ କୁଆଡେ ଗଲା, ତାହା ଜଣାପଡୁନାହିଁ । ଏହି ୟୁରାନିୟମ୍ ଇରାନର ପୁରୁଣା ରାଜଧାନୀ ଇସଫାହନ ନିକଟରେ ଅଣ୍ଡରଗ୍ରାଉଣ୍ଡ କରାଯାଇ ରଖାଯାଇଛି ବୋଲି ସନ୍ଦେହ କରାଯାଉଛି । ଇରାନ ପରମାଣୁ କାର୍ଯ୍ୟକ୍ରମରୁ ପଛକୁ ଫେରିବନି ବୋଲି କୁହାଯାଇଛି ।
Also Read
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଧସେଇ ପଶିଥିଲା ଆମେରିକା । ଇରାନ ଉପରେ ଆମେରିକା କରିଥିଲା ବଡ଼ ଧରଣର ଆକ୍ରମଣ । ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ପଙ୍କ ସୂଚନା ଦେଇ କହିଥିଲେ, ଏବେ ଶାନ୍ତିର ସମୟ ଆସିଛି । ସୋସିଆଲ ମିଡିଆ X ରେ ଟ୍ରମ୍ପ ପୋଷ୍ଟ କରି ଲେଖିଥିଲେ, "ଆମେ ସଫଳତା ପୂର୍ବକ ଇରାନର ୩ଟି ନ୍ୟୁକ୍ଲିୟର ସାଇଟ୍ ଫରଡୋ, ନଟାଞ୍ଜ ଏବଂ ଏସଫାହାନରେ ଆଟାକ୍ କରିଛୁ । ଆମେରିକାର ବୀର ସୈନ୍ୟ ମାନଙ୍କୁ ଶୁଭେଚ୍ଛା । ବିଶ୍ୱରେ କେଉଁ ବି ସେନା ଏପରି କରିପାରିନାହାନ୍ତି । ବର୍ତ୍ତମାନ ଶାନ୍ତିର ସମୟ ଆସିଛି ।"
ସେପଟେ ଏହି ଆକ୍ରମଣ ନେଇ ଇରାନ ପ୍ରତିକ୍ରିୟା ରଖିଥିଲା । ଆମେରିକାର ଆକ୍ରମଣକୁ ନିନ୍ଦା କରିଥିଲା ଇରାନ ।