/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747128938.jpeg)
ବିଶ୍ୱାସଘାତକ ପାକିସ୍ତାନ
ଅପରେସନ ‘ସିନ୍ଦୂର’ରେ ଆତଙ୍କୀକୁ କଡ଼ା ଜବାବ ଦେଇଛି ଭାରତ। ମେ ୭ରୁ ଆକ୍ରମଣରେ ୯ ଆତଙ୍କବାଦୀ ଆଡ୍ଡା ଧ୍ବଂସ କରିବା ସହିତ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ଡିଜିଏମଓ ଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ସବୁଠାରୁ ବଡ଼ କଥା ହେଉଛି ଏମାନଙ୍କ ମଧ୍ୟରେ ୩ କୁଖ୍ୟାତ ଆତଙ୍କ ରହିଛନ୍ତି। ନିପାତ ହୋଇଥିବା ଆତଙ୍କୀ ମଧ୍ୟରେ ୟୁସୁଫ ଆଝାର, ଅବଦୁଲ ମଲିକ ରଉଫ ଆଝାର, ମୁଦାସିର ଅହମ୍ମଦ ରହିଛି। ଏମାନେ କାନ୍ଦାହାର ବିମାନ ଅପହରଣ ଏବଂ ପୁଲଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଥିଲେ।
ଭାରତକୁ ଯୁଦ୍ଧ ବନ୍ଦ କରିବା ପାଇଁ ପାକିସ୍ତାନ ଫୋନ୍ କରିଥିଲା। ଏପରି ବି ପାକିସ୍ତାନ ଆମେରିକାକୁ ମଧ୍ୟସ୍ଥତା କରିବାକୁ ସର୍ତ୍ତ ରଖିଥିଲା। ସବୁ ସତ୍ତ୍ବେ ବି ପାକସ୍ତାନ ଯେ ତାର ପୁରୁଣା ରୋଗ ଛାଡ଼ିବ, ତାହା ନୁହେଁ। ସେ କିଛି ଦିନର ନୀରବତା ପରେ ପୁଣି ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କରିଦେବ, ଏକଥାକୁ ଭୁଲିଯିବା ଉଚିତ୍ ନୁହେଁ। ଭାରତ ବି ସିଧାସଳଖ ଏଥର ଶୁଣାଇ ଦେଇଛି- ଯଦି ଭବିଷ୍ୟତରେ କେବେ ଭାରତ ଆତଙ୍କବାଦୀ ଆକ୍ରମଣ କରେ, ତେବେ ଆମେ ଯୁଦ୍ଧ ଘୋଷଣା କରିବୁ।
ପହଲଗାମ ଆକ୍ରମଣ ଦେଶବାସୀଙ୍କ ଯଥେଷ୍ଟ କଷ୍ଟ ଦେଇଛି। ଏ କଷ୍ଟ ଭୁଲିବାର ନାହିଁ। ଜୀବନ ସାରା ଯନ୍ତ୍ରଣା ଭୋଗିବେ ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ସାଧାରଣଜନତାଙ୍କ ପତ୍ନୀ ଏବଂ ପରିବାର। ଖାସ୍ ଏମାନଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ଭାରତ ବହୁତ ଚେଷ୍ଟା କରି ପାକିସ୍ତାନକୁ ପାନେ ଦେଇଛି। ତଥାପି ସେ ଫୁଟାଣି ଛାଡ଼ୁନି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି- ପାକିସ୍ତାନର ଆକ୍ରମଣରେ ଭାରତୀୟ ସେନାର କୌଣସି କ୍ଷତି ହୋଇନାହିଁ। ସମସ୍ତ ପାଇଲଟ ସୁରକ୍ଷିତ ଭାବେ ଫେରିଛନ୍ତି।
ପାକିସ୍ତାନ ଅର୍ଥନୀତି ଦୁର୍ବଳ
ପହଲ୍ଗାମ ଆତଙ୍କବାଦ ଆକ୍ରମଣର ଅତି ଚମତ୍କାର ଭାବେ ପ୍ରତିଶୋଧ ନେଇଛି ଭାରତ। ଦୀର୍ଘ ୩ ଦିନ ଧରି ଚାଲିଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ। ଅପରେସନ ସିନ୍ଦୂର ମାଧ୍ୟମରେ ଭାରତୀୟ ସେନା ବଦ୍ଲା ନେଇଛନ୍ତି। ପାକ୍ର ସମସ୍ତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଛନ୍ତି । ପାକିସ୍ତାନ ତୁଳନାରେ ଭାରତ ବେଶ୍ ଶକ୍ତିଶାଳୀ। ଏକଥା ପାକିସ୍ତାନ ଜାଣି ବି ପହଲଗାମରେ ନୀରିହଙ୍କୁ ଗୁଳି ଚଳାଇଲା। ଅକାଳରେ ଝରିପଡ଼ିଲେ ୨୬ ସାଧାରଣ ଜନତା। ଭାରତ ପାଖରେ ରହିଛି ଆଧୁନିକ କ୍ଷେପ୍ରଣାସ୍ତ୍ର ଏବଂ ପ୍ରଯୁକ୍ତି ।
ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରର ଆକାର ପାଖାପାଖି ୭୦୦୦୦ କୋଟି ଡଲାର ରହିଥିବାବେଳେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଆକାର ୧୫୦୦ କୋଟି ଡଲାରରୁ ବି କମ୍ । ଭାରତ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ହୋଇଥିବାବେଳେ ପାକିସ୍ତାନ ରହିଛି ୪୩ ତମ ସ୍ଥାନରେ । ପାକିସ୍ତାନ ଜିଡିପି ମାତ୍ର ୩୭୦ ବିଲିୟନ ଡଲାର । ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ପରିଗଣିତ ହେଉଛି ଭାରତ । ପାକିସ୍ତାନ ସବୁ ସମୟରେ ଋଣ କରିଥାଏ। ଏପରି କି ମାତ୍ର ୩ ଦିନର ଯୁଦ୍ଧରେ ପାକିସ୍ତାନ ଋଣ ପାଇଁ ଅନୁରୋଧ କରିଥିଲା। ପାକିସ୍ତାନର ଦୀର୍ଘସ୍ଥାୟୀ ଆର୍ଥିକ ସଂକଟ ଏହାର ବାହ୍ୟ ଋଣକୁ ପ୍ରଭାବିତ କରିବା ସହିତ କବଳିତ କରିଛି।
ପାକିସ୍ତାନ ବିଶ୍ବାସଯୋଗ୍ୟ ରାଷ୍ଟ୍ର ନୁହେଁ
ପାକିସ୍ତାନ କେବେ ବି ବିଶ୍ବାସଯୋଗ୍ୟ ରାଷ୍ଟ୍ର ନୁହେଁ। କେବଳ ଛାନିଆରେ ଅସ୍ତ୍ରବିରତି ପାଇଁ ଆଲୋଚନା କଲା ବା ଆଣ୍ଠେଇଲା। କିନ୍ତୁ କଥାହେବାର ମାତ୍ର ୩ ଘଣ୍ଟା ପରେ ପୁଣି ଅସ୍ତ୍ରବିରତି ଉଲଂଘନ କରିଥିଲା। ତେଣୁ ପାକିସ୍ତାନ ଅତୀତରେ ବାରମ୍ବାର ଏପରି ଧୋକ୍କା ଦେବାର ନଜିର ରହିଛି। ଭାରତ ଏବଂ ପାକିସ୍ତାନ ସ୍ଥଳ, ବାୟୁ ଏବଂ ସମୁଦ୍ରରେ ସମସ୍ତ ପ୍ରକାର ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଏକ ଚୁକ୍ତି ଘୋଷଣା କରିଛନ୍ତି। କିନ୍ତୁ ପାକିସ୍ତାନ ଏହି କଥାକୁ କେତେ ରଖୁଛି ତାହା ହିଁ ଦେଖିବାର କଥା।
ଆଗାମୀ ମିଶନ୍ ପାଇଁ ସେନା ପ୍ରସ୍ତୁତ
ଭାରତୀୟ ସେନା ପାକିସ୍ତାନ ଠାରୁ ଯଥେଷ୍ଟ ଶକ୍ତିଶାଳୀ। ସିନ୍ଦୂର ଅପରେସନରେ ପାକିସ୍ତାନ ଭାରତର ଯୁଦ୍ଧ ବିମାନର ଚେଷ୍ଟା କରି ମଧ୍ୟ କୌଣସି କ୍ଷତି କରିପାରିନାହିଁ। ପାକିସ୍ତାନକୁ ପାନେ ଦେବାକୁ ଆମର ପରବର୍ତ୍ତୀ ମିଶନ ପାଇଁ ସେନା ପ୍ରସ୍ତୁତ ରହିଛନ୍ତି ବୋଲି ତିନି ସେନାର ମୁଖ୍ୟମାନେ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମ ସେନା ସମସ୍ତ ପ୍ରକାର ମୁକାବିଲା ପାଇଁ ପ୍ରସ୍ତୁତ। ଆମେ ଆମର ପରାକ୍ରମ ଏଇ ନିକଟରେ ସାରା ବିଶ୍ୱକୁ ଦେଖାଇଛୁ।
ଆମେ ଚୀନ୍ର ମିସାଇଲ ଡ୍ରୋନ୍କୁ ସାମ୍ନା କରିବାରେ ସଫଳ ହୋଇଛୁ। ଆମର ଏୟାର ଡିଫେନ୍ସି ସିଷ୍ଟମ ପରୀକ୍ଷାରେ ସଫଳ ହୋଇଛି । ଗତ ଦଶନ୍ଧି ଧରି ଭାରତ ସରକାରଙ୍କଠାରୁ ମିଳିଥିବା ବଜେଟ୍ ଏବଂ ନୀତିଗତ ସମର୍ଥନ ଯୋଗୁଁ ଏକ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀର ବିକାଶ ଏବଂ କାର୍ଯ୍ୟକ୍ଷମତା ସମ୍ଭବ ହୋଇପାରିଛି ବୋଲି ସେନା ପକ୍ଷରୁ କୁହାଯାଇଛି। ଆମେ ଆମ ସେନା ପାଇଁ ଗର୍ବିତ। ଆମର ସେନାରେ ଚାକିରି କରିଥିବା ସମସ୍ତ କର୍ମଚାରୀ ପରିବାରକୁ ପର କରି ଆମ ସହିତ ରହିଛନ୍ତି। ସେମାନଙ୍କ ଦେଶପ୍ରେମ ଆଉ ଦମ୍ଭକୁ ନେଇ ଆମେ ଗର୍ବ କରୁଛୁ।
ପାକ୍ ଅଧିକୃତ କାଶ୍ମୀର ଭାରତର
ପାକ୍ ଅଧିକୃତ କାଶ୍ମୀର (ପିଓକେ) ଆମର ଆଉ ଏହାକୁ ଆମକୁ ତୁରନ୍ତ ମିଳିବା ଦରକାର। ଯଦି ପାକିସ୍ତାନ ସହିତ ଆଲୋଚନା କରାଯିବ, ତେବେ ପାକ୍ ଅଧିକୃତ କାଶ୍ମୀର ଆମକୁ ଫେରାଇବା ପ୍ରସଙ୍ଗରେ ଆଲୋଚନା କରାଯିବ। ଇତିହାସ ସାକ୍ଷୀ ରହିଛି, ପିଓକେ ସର୍ବଦା ଭାରତର ରହିଛି ଆଉ ରହିବ ବି। ପାକିସ୍ତାନ ଏହାକୁ ଜୋର ଜବରଦସ୍ତ ନିଜର ସାବ୍ୟସ୍ତ କରିବାକୁ ଚାହୁଁଛି। ଏଥିପାଇଁ ବାରମ୍ବାର ଆତଙ୍କବାଦୀ ଆକ୍ରମଣ କରୁଛି। ପିଓକେ ଓ ଆତଙ୍କବାଦୀ ପ୍ରସଙ୍ଗ ଛଡ଼ା ଆଉ କୌଣସି ବିଷୟରେ ଆଲୋଚନା କରାଯିବ ନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭାରତ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଆମେରିକା କି ଅନ୍ୟ କୌଣସି ରାଷ୍ଟ୍ରର ମଧ୍ୟସ୍ଥତା ଆମର ଆବଶ୍ୟକ ନାହିଁ।
ମାନବିବତା ଭୁଲିନାହିଁ ଭାରତ
ପାକିସ୍ତାନୀ ସେନା କିମ୍ବା ତା’ର ଆଡ୍ଡାକୁ ଧ୍ବଂସ କରିବା ଆମର ଉଦେଶ୍ୟ ନ ଥିଲା। କିନ୍ତୁ ପାକ୍ ସେନା ଆମକୁ ଜବାବ ଦେବାକୁ ବାଧ୍ୟ କରିଥିଲା । ଆମେ କେବେ ବି ପାକିସ୍ତାନର ସାଧାରଣଜନତାକୁ ଟାରଗେଟ୍ କରିନାହିଁ। ଆମେ ପାକିସ୍ତାନ ପ୍ରତି ମାନବିକତା ଦେଖାଇଛୁ, କିନ୍ତୁ ପାକିସ୍ତାନ ସେ ନେଇ ଟିକେ ବି ଚିନ୍ତା କରିନାହିଁ। ଆମ ସେନା ଯଥେଷ୍ଟ ପରାକ୍ରମ ଦେଖାଇ ଏଲଓସି ପାର କରି ଆକ୍ରମଣ କରିଛନ୍ତି। ଆମେ ନିଶ୍ଚିତ ଥିଲୁ ପାକିସ୍ତାନ ଆକ୍ରମଣ କରିବ। ସେଥିପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିଲୁ। ଭାରତ ବିରୋଧରେ ପାକିସ୍ତାନ ୟୁଏଭି ଏବଂ ପିଏଲ ୧୫ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଏହାର ଧ୍ବଂସାବଶେଷ ଠାବ କରାଯାଇଛି।
ଭାରତ ବେଶ୍ ଭଲଭାବେ ଜାଣିଛି, ଯୁଦ୍ଧର ପରିଣତି ବେଶ୍ ଭୟଙ୍କର। ଯୁଦ୍ଧ କୌଣସି ସମୟରେ କୌଣସି ବି ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ। ମାତ୍ର ପାକିସ୍ତାନ ଯୁଦ୍ଧ କରିବାକୁ ବାଧ୍ୟ କରିଥିଲା ଆଉ ଶେଷରେ ଆଣ୍ଠେଇଲା।
-Email id : [email protected]
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)