• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁଦ୍ଧଗ୍ରସ୍ତ ଦେଶରେ ଭାରତୀୟଙ୍କୁ ନିର୍ଯାତନା । ୟୁକ୍ରେନରେ ଘମାଘୋଟ୍ ଲଢେଇ ମଧ୍ୟରେ ଦେଶ ଛାଡ଼ିବାକୁ ବିକଳ ହେଉଛନ୍ତି ଭାରତୀୟ । କିଛି ଲୋକ ସ୍ୱଦେଶ ଫେରିସାରିଥିବା ବେଳେ ଆହୁରି ଅନେକ ଲୋକ ସେଠାରେ ବିମାନ ଅପେକ୍ଷାରେ ବସିଛନ୍ତି । କିଛି ଛାତ୍ର ତ ଚାଲି ଚାଲି ସୀମା ପାରି କରିବାକୁ ଚେଷ୍ଟା କରୁଛନ୍ତି । ତେବେ ସେଠାରେ ଫସି ରହିଥିବା କିଛି ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଉପରେ ଆକ୍ରମଣ ଏବଂ ହିଂସା ହୋଇଥିବା ଦେଖିବାକୁ ମିଳୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ଏକ ଭିଡିଓ ସେୟାର କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଫତେହବାଦର ଛାତ୍ରମାନଙ୍କ ଉପରେ ଆକ୍ରମଣ

ପୋଲାଣ୍ଡ ପଳାୟନ କରୁଥିବା ବେଳେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ଆସିଛି । ଆକ୍ରମଣର ଶିକାର ହୋଇଥିବା ଛାତ୍ର ଫତେହାବାଦର ବାସିନ୍ଦା । ମାଡ଼ପିଟରେ ଜଣେ ଛାତ୍ରଙ୍କ ହାତ ଭାଙ୍ଗି ଯାଇଛି । ତେବେ ଯୁଦ୍ଧ ଭୟ ଭିତରେ ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରି ଫତେହାବାଦର ଛାତ୍ର ଜଣକ ଏକ ଭିଡିଓ ଜାରି କରିଛନ୍ତି । ଆକ୍ରମଣକାରୀମାନେ ୟୁକ୍ରେନ ସୈନ୍ୟ ବୋଲି ଭାରତୀୟ ଛାତ୍ର କହିଛନ୍ତି । ଯୁଦ୍ଧରେ ଭାରତ ୟୁକ୍ରେନକୁ ସମର୍ଥନ କରୁ ନଥିବାରୁ ସେମାନେ ରାଗ ଜରଜର ହୋଇ ଏପରି କରିଥିବା କହିଛନ୍ତି ।

ରାଇସେନ୍‌ ଛାତ୍ର ବଖାଣିଲେ ଅନୁଭୂତି

ସେହିପରି ମଧ୍ୟପ୍ରଦେଶ ରାଇସେନ୍‌ର ଜଣେ ଛାତ୍ର ମଧ୍ୟ ୟୁକ୍ରେନ ସୈନ୍ୟଙ୍କ ଅସଦାଚରଣର ଏକ ଭିଡିଓ ଜାରି କରିଛନ୍ତି । ସୀମାରେ କ୍ରୋଧିତ ସୈନ୍ୟମାନେ କେବଳ ୟୁକ୍ରେନବାସୀଙ୍କୁ ଯିବାକୁ ଦେଉଛନ୍ତି । ସୀମାନ୍ତରେ ଭାରତୀୟ ଛାତ୍ରମାନଙ୍କୁ ଅତି ନିର୍ମମ ଭାବେ ମାଡ ମାରୁଛନ୍ତି । ୟୁକ୍ରେନର ଖାରକିଭ୍‌ରେ ଫସି ରହିଥିବା ରାଇସେନ୍ ଜିଲ୍ଲାର ଜଣେ ଛାତ୍ର ଏକ ଭିଡିଓ ପଠାଇବା ସହ ସେଠାକାର ସ୍ଥିତି ସମ୍ପର୍କରେ କହିଛନ୍ତି । ତୁରନ୍ତ ସେମାନଙ୍କୁ ଫେରାଇ ଆଣିବାକୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ସେପଟେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ସରକାରଙ୍କ ଉପରେ ବର୍ଷିଛନ୍ତି । ଭାରତର ନାଗରିକଙ୍କୁ ଏପରି ଅବସ୍ଥାରେ ଛଡ଼ାଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ଏହାସହ ହିଂସାର ଶିକାର ହୋଇଥିବା ଛାତ୍ରଙ୍କୁ ସମବେଦନା ଜଣାଇଛନ୍ତି । ଭାରତ ସରକାର ସେମାନଙ୍କୁ ସେଠାରୁ ବାହାର କରିବା ପାଇଁ ତୁରନ୍ତି କିଛି ଯୋଜନା ପ୍ରସ୍ତୁତ କରିବା ଉଚିତ୍‌ ବୋଲି ରାହୁଲ କହିଛନ୍ତି ।