ସ୍ୱାଧୀନତା ସଂଗ୍ରାମର ଲମ୍ବା ଅଭିଯାନ ୧୮୫୭ ସିପାହୀ ବିଦ୍ରୋହରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଅର୍ଥାତ ୧୯୪୫ ପରେ ଏହା ଆହୁରି ତୀବ୍ର ହୋଇଥିଲା । ଯୁଦ୍ଧରେ ଭାରତୀୟ ସେନା ସହଯୋଗ ପାଇବା ପରେ ଆଶା କରାଯାଉଥିଲା ଏହାର ପ୍ରତିବଦଳରେ ଇଂରେଜମାନେ ସ୍ୱାଧୀନତା ପ୍ରତ୍ୟର୍ପଣ କରିଦେବେ । ୧୯୪୫ରେ ନୂଆ ବ୍ରିଟିଶ ସରକାର ଭାରତକୁ ସ୍ୱାଧିୀନତା ଦେବା ପାଇଁ ପ୍ରତିବଦ୍ଧ ଥିଲେ । ତାଙ୍କର ଆଶା ଥିଲା, ଯେମିତି ବି ହେଉ ଏକୀକୃତ ଭାରତକୁ ସ୍ୱାଧୀନତା ପ୍ରଦାନ କରିବେ । ଏ ନେଇ ବାରମ୍ବାର ଆଲୋଚନା ପରେ ବି ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଏବଂ ମୁସଲିମ ଲିଗ ଭାରତର ସ୍ୱରୂପକୁ ନେଇ ସହମତ ହେଲେ ନାହିଁ । ଶେଷରେ ୧୯୪୬ରେ ମୁସଲିମ ଲିଗ ନେତା ମହମ୍ମଦ ଅଲି ଜିନ୍ନା ମୁସଲିମ ଦେଶ ଗଠନ ପାଇଁ ଦାବି କରି ଅଡିବସିଲେ ।
ବ୍ରିଟିଶ ସରକାରଙ୍କ ହୃଦବୋଧ ହେଲା ଯେ, ବିଭାଜନ ହିଁ ଏକମାତ୍ର ସମାଧାନ ଅଟେ । ଭାରତର ଶେଷ ଭାଇସରାୟ ଆଡମିରାଲ ଲର୍ଡ ଲୁଇସ ମାଉଣ୍ଟବେଟେନ ୧୯୪୭ ଜୁନ ୨ ତାରିଖରେ ଘୋଷଣାରେ ସ୍ୱୀକାର କରିନେଲେ ଯେ, ହିନ୍ଦୁଙ୍କୁ ଭାରତ ଏବଂ ମୁସଲିମଙ୍କୁ ପାକିସ୍ତାନ ଭାବେ ବିଭାଜିତ ହୋଇ ରହିବାକୁ ପଡ଼ିବ । ଏଥିରେ ପଶ୍ଚିମ ପାକିସ୍ତାନ ଅର୍ଥାତ ପାକିସ୍ତାନ ଏବଂ ପୂର୍ବ ପାକିସ୍ତାନ ଅର୍ଥାତ (ବାଂଲାଦେଶ)ର ଭୌଗୋଳିକ କ୍ଷେତ୍ର ସାମିଲ ହେବ ।
ଦେଶ ବିଭାଜନ ହେବା ପରେ ସେନା ବିଭାଜନ ବି ହୋଇଥିଲା । ଭାଇସରାୟ ଲର୍ଡ ମାଉଣ୍ଟବେଟେନ ସେନା ବିଭାଜନ ବିରୋଧରେ ଥିଲେ । ସେ ଜିନାଙ୍କୁ ପ୍ରସ୍ତାବ ଦେଇଥିଲେ ଯେ, ସେନା ଯେମିତି ଅଛି ସେମିତି ରହିବ । ହେଲେ ଜଣେ ଇଂରେଜ କମାଣ୍ଡର ସେନା ମୁଖ୍ୟ ହୋଇ ରହିବେ । ତାଙ୍କ ଅଧୀନରେ ସେନା ରହିବ । ଏହି ଇଂରେଜ ଅଫିସର ଭାରତ ଏବଂ ପାକିସ୍ତାନ ଦୁଇ ଦେଶ ପ୍ରତି ଉତ୍ତରଦାୟୀ ରହିବେ ଏବଂ ସୁରକ୍ଷା ଦାୟିତ୍ୱ ନେବେ । ହେଲେ ଜିନ୍ନା ଏହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ । ସେ ପ୍ରସ୍ତାବକୁ ଖାରଜ କରିବା ସହ ସେନା ବିଭାଜନ ପାଇଁ ଅଡି ବସିଥିଲେ ।
ବ୍ରିଟିଶ ସେନାଙ୍କୁ ପ୍ରତ୍ୟାହାର କରି ନିଆଗଲା
ମାଉଣ୍ଟବେଟେନ ସ୍ୱାଧୀନତାର ତାରିଖ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ବୋଲି ଧାର୍ଯ୍ୟ କରିଥିଲେ । ଏହି ତାରିଖ ଘୋଷଣା କରାଯିବା ପରେ ବ୍ରିଟିଶ ସେନାଙ୍କୁ ତାଙ୍କ ବାରାକକୁ ଫେରାଇ ଅଣାଗଲା । ଇଂରେଜ ଦେଶ ଛାଡି ଯିବା ଏବଂ ଭାରତ-ପାକିସ୍ତାନ ବିଭାଜିତ ହେବା ଏକପ୍ରକାର ସ୍ଥିର ହୋଇଗଲା । ବ୍ରିଟିଶ ଓକିଲ ସିରିଲ ରେଡକ୍ଲିଫଙ୍କୁ ସୀମା ନିର୍ଦ୍ଧାରଣ ଦାୟିତ୍ୱ ଦିଆଯାଇଥିଲା । ରେଡକ୍ଲିଫ ଭାରତ-ପାକିସ୍ତାନର ଭୌଗୋଳିକ ସୀମା ନିର୍ଦ୍ଧାରଣ ତ କରିଦେଲେ । ହେଲେ ସେନା ବିଭାଜନ କିପରି କରାଯିବ ସେ ନେଇ ନିଷ୍ପତ୍ତି ନିଆଯାଇ ନଥିଲା ।
୧୯୪୭ ଅଗଷ୍ଟ ୧୪ ତାରିଖ ଦିନ ପୁରୁଣା ଭାରତୀୟ ସୈନ୍ୟବାହିନୀକୁ ଭାଙ୍ଗିଦେବାକୁ ନିର୍ଦ୍ଦେଶ ଦିଆଗଲା । ଏହି ଅର୍ଡର ଉପରେ ଫିଲ୍ଡ ମାର୍ଶାଲ ସାର କ୍ଲାଉଡ ଔଚିନଲେକ ଏବଂ ମେଜର ଜେନରାଲ ରେଜିନାଲ୍ଡ ସେବରୀ ହସ୍ତାକ୍ଷର କରିଥିଲେ । ବ୍ରିଟିଶ ଭାରତୀୟ ସେନାର ଏହା ଥିଲା ଶେଷ ଆଦେଶ ।
ବିଭାଜିତ ହେଲା ଭାରତୀୟ ସେନା
ଭାରତରେ ବ୍ରିଟିଶ ଶାସନର ଅନ୍ତ ହେବା ପରେ ଭାରତୀୟ ସେନା ଏବଂ ତାର ପ୍ରଶାସନର ମଧ୍ୟ ଅନ୍ତ ଘଟିଥିଲା । ସେନାବାହିନୀକୁ କୁହାଗଲା, ସେ ନିଜ ଇଚ୍ଛା ଅନୁସାରେ ଭାରତ କିମ୍ବା ପାକିସ୍ତାନକୁ ବାଛି ପାରିବେ । ହେଲେ ସେମାନଙ୍କ ସାମ୍ନାରେ ଗୋଟିଏ ସର୍ତ୍ତ ରଖାଯାଇଥିଲା । ଏଚଏମ ପଟେଲଙ୍କ ପୁସ୍ତକ ‘ରାଇଟ୍ସ ଅଫ ପ୍ୟାସେଜ’ରେ ଉଲ୍ଲିଖିତ ତଥ୍ୟ ଅନୁସାରେ ସର୍ତ୍ତ ଥିଲା ଯେ, ପାକିସ୍ତାନର କୌଣସି ମୁସଲିମ ଭାରତୀୟ ରାଜ୍ୟରେ ସାମିଲ ହୋଇପାରିବ ନାହିଁ । ସେହିପରି ଭାରତର କୌଣସି ଅଣ ମୁସଲିମ ପାକିସ୍ତାନର ସାମରିକ ବାହିନୀରେ ସାମିଲ ହୋଇ ପାରିବେନାହିଁ ।
ବ୍ରିଟେନର ନ୍ୟାସନାଲ ଆର୍ମି ମ୍ୟୁଜିୟମର ରିପୋର୍ଟ ଅନୁସାରେ, ବିଭାଜନ ପରେ ଦୁଇ ତୃତୀୟାଂଶ ସେନା ଭାରତକୁ ମିଳିଥିଲା ଏବଂ ଏକ ତୃତୀୟାଂଶ ପାକିସ୍ତାନକୁ ଚାଲି ଯାଇଥିଲା । ସେହି ଅନୁସାରେ ଦେଖିଲେ, ୨୬୦, ୦୦୦ ଯବାନ ଭାରତକୁ ବାଛିଥିବାବେଳେ ୧୩୧,୦୦୦ ଜଣ ଯବାନ ପାକିସ୍ତାନକୁ ବାଛିଥିଲେ।
ପାକିସ୍ତାନକୁ ବାଛିଥିବା ଅଧିକାଂଶ ସେନା ମୁସଲିମ ଥିଲେ । ନେପାଳରେ ଭର୍ତ୍ତି କରାଯାଇଥିବା ଗୋରଖା ବ୍ରିଗେଡଙ୍କୁ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିଭାଜିତ କରି ଦିଆଗଲା । ସେନାର ବିଭାଜନ ଫିଲ୍ଡ ମାର୍ଶାଲ ଔଚିନଲେକଙ୍କ ତତ୍ତ୍ୱାବଧାନରେ ହୋଇଥିଲା ।
ଅଧିକ ପଢ଼ନ୍ତୁ: ଆସିଲା ବଡ଼ ଅପଡେଟ୍, ବୁଧବାର ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ
ବାୟୁସେନା ଏବଂ ନୌସେନାର ବିଭାଜନ ବି ହୋଇଥିଲା
ବ୍ରିଟିଶ ଭାରତୀୟ ସେନା ପରି ବାୟୁ ଏବଂ ନୌସେନାର ବିଭାଜନ ମଧ୍ୟ ହୋଇଥିଲା । ବାୟୁସେନାରେ ୧୩ ହଜାର କର୍ମଚାରୀ ଥିଲେ । ଏଥିରୁ ୧୦ ହଜାର ଭାରତକୁ ଏବଂ ୩ ହଜାର ପାକିସ୍ତାନକୁ ମିଳିଥିଲା । ସେହିପରି ନୌସେନାରେ ୮୭୦୦ ସୈନିକ ଥିବାବେଳେ ଭାରତ ଭାଗରେ ୫୭୦୦ ଏବଂ ପାକିସ୍ତାନ ଭାଗରେ ୩ ହଜାର ସେନା ପଡିଥିଲେ ।
ଏହି ପରିବର୍ତ୍ତନରେ ସହାୟତା କରିବା ପାଇଁ ଅନେକ ବ୍ରିଟଶ ଅଧିକାରୀ ଭାରତରେ ଅଟକି ରହିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଭାରତର ପ୍ରଥମ ସେନାଧ୍ୟକ୍ଷ ଜେନରାଲ ସର ରବର୍ଟ ଲକହାର୍ଟ ଏବଂ ପାକିସ୍ତାନର ପ୍ରଥମ ସେନାଧ୍ୟକ୍ଷ ଜେନରାଲ ଫ୍ରାଙ୍କ ମେସେର୍ବୀ ।
ଦୁଇ ପ୍ରତିଶତ ମୁସଲିମ ସେନାଙ୍କୁ ମନୋନୀତ କରିଥିଲା ଭାରତ
ରିପୋର୍ଟ ଅନୁସାରେ, ୯୮ ପ୍ରତିଶତ ମୁସଲିମ ସୈନିକ ପାକିସ୍ତାନକୁ ନିଜ ଦେଶ ଭାବେ ବାଛିଥିଲେ । ମାତ୍ର ୫୫୪ଜଣ ମୁସଲିମ ଅଧିକାରୀ ଭାରତରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ବିଭାଜନ ସମୟରେ ଭାରତୀୟ ସେନାରେ ପାଖାପାଖି ୩୬ ପ୍ରତିଶତ ମୁସଲମାନ ଥିଲେ । ବିଭାଜନ ପରେ ଏହା ହ୍ରାସ ପାଇ ୨ ପ୍ରତିଶତ ହୋଇଥିଲା । ଏହି ଦୁଇ ପ୍ରତିଶତ ସେନା ମଧ୍ୟରେ ବ୍ରିଗେଡିୟର ମହମ୍ମଦ ଉସମାନ, ବ୍ରିଗେଡିୟର ମହମ୍ମଦ ଅନିଶ ଅହମ୍ମଦ ଖାନ ଏବଂ ଲେଫ୍ଠନାଣ୍ଟ କର୍ଣ୍ଣେଲ ଇନାୟତ ହବିବୁଲ୍ଲାଙ୍କ ପରି କିଛି ଅଧିକାରୀ ଥିଲେ ଯେଉଁମାନ ଭାରତକୁ ନିଜର ଦେଶ ବୋଲି ଭାବୁଥିଲେ ।
ବିଦାୟ ନେଲା ବ୍ରିଟିଶ ରେଜିମେଣ୍ଟ
ସ୍ୱାଧୀନତା ପରେ ବ୍ରିଟିଶ ସେନା ରେଜିମେଣ୍ଟକୁ ଧିରେ ଧିରେ ଉପମହାଦ୍ୱୀପରୁ ପ୍ରତ୍ୟାହାର କରି ନିଆଗଲା । ଏଥିରେ ୱଜିରସ୍ତାନ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତର ଅନ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଯୋଜନାବଦ୍ଧ ପ୍ରତ୍ୟାହାର ସାମିଲ ଥିଲା । ଭାରତ ଛାଡିଥିବା ଶେଷ ୟୁନିଟ ଥିଲା ପ୍ରଥମ ବାଟାଲିଅନ ଓ ସମରସେଟ୍ ଲାଇଟ୍ ଇନଫ୍ୟାଣ୍ଟ୍ରି । ଏହି ୟୁନିଟ ୧୯୪୮ ଫେବୃଆରୀ ୨୮ ତାରିଖରେ ମୁମ୍ବାଇରେ ପହଞ୍ଚିଥିଲେ । ଯାହା ବି ହେଉ, ବ୍ରିଟେନର ବିଶ୍ୱ ସ୍ତରରେ ସାମରିକ କ୍ଷମତା ହ୍ରାସ ପାଇଥିଲା । କାରଣ ସେମାନଙ୍କ ପାଖରେ ଆଉ ଭାରତୀୟ ସେନା ନଥିଲେ । ଅନେକ ବ୍ରିଟିଶ ଅଧିକାରୀ ଭାରତ ଏବଂ ଭାରତୀୟ ସେନାଙ୍କୁ ଦୁଃଖଦ ମନରେ ଛାଡି ଯାଇଥିଲେ ।
ଅଧିକ ପଢ଼ନ୍ତୁ: ବନ୍ଦୀ ଅଦଳ ବଦଳ ପାଇଁ ରାଜି ହେଲାନି ପାକିସ୍ତାନ, ୨୧୪ ପଣବନ୍ଦୀଙ୍କୁ ହତ୍ୟା କଲା BLA
ବି.ଦ୍ର.- ଏହା ଲେଖିକାଙ୍କ ନିଜସ୍ୱ ମତ ।