• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭୟଙ୍କର ହେଉଛି ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଯୁଦ୍ଧ । ଯୁଦ୍ଧରେ ଏବେ ସୁଦ୍ଧା ଉଭୟ ପକ୍ଷରୁ ୧୬ଶହରୁ ଅଧିକ ଜୀବନ ଗଲାଣି । ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ହମାସ୍ ଆତଙ୍କବାଦୀଙ୍କ ଉପରେ ହମଲାକୁ ଅଧିକ ଜୋରଦାର କରିଛି ଇସ୍ରାଏଲ୍ । ଗାଜାପଟ୍ଟି ଉପରେ ଘନ ଘନ ବୋମାମାଡ଼ ପରେ, ଏବେ ଇସ୍ରାଏଲର ସ୍ଥଳସେନା ଆରମ୍ଭ କରିଛି ଅପରେସନ୍ । ଆତଙ୍କୀଙ୍କୁ ଖୋଜି ଖୋଜି ହେଉଛି ଏନକାଉଣ୍ଟର୍ । ଏପଟେ ଇସ୍ରାଏଲ ପିଏମଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଥିବା ବେଳେ, ଦେଖିବା କାହା ସମର୍ଥନରେ ବାହାରିଛନ୍ତି କେଉଁ ଦେଶ ।

ଇସ୍ରାଏଲ ରାଜରାସ୍ତାରେ ଫିଲ୍ମ ଷ୍ଟାଇଲରେ ସୁଟ୍ଆଉଟ୍ । ଦୁଇ ହମାସ୍ ଆତଙ୍କୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଛି ଇସ୍ରାଏଲୀ ବର୍ଡର ପୋଲିସ । ଗାଜା ସୀମାବର୍ତ୍ତୀ ରାସ୍ତାଘାଟ, ଗଳିକନ୍ଦି ଓ ଛକ ବଜାରରେ ଏମିତି ୨୪ ଘଣ୍ଟା ଚାଲିଛି ମିଶନ୍ ଆଇରନ୍ ସୋର୍ଡ । ଫିଲିସ୍ତିନ ହମାସ୍ ଆତଙ୍କୀଙ୍କୁ ଚରମବାଣୀ ଶୁଣାଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । କହିଛନ୍ତି- ଆମେ ଯୁଦ୍ଧ ଆରମ୍ଭ କରିନୁ, କିନ୍ତୁ ଶେଷ କରିବୁ । ପ୍ରତିଶୋଧ ଏତେ ଭୟଙ୍କର ହେବ ଯେ, ହମାସ୍ ନିଜ ଭୁଲ ପାଇଁ ଅନୁତାପ କରିବ । ଇସ୍ରାଏଲର ଶତ୍ରୁ ଏହାକୁ ଦଶନ୍ଧି ଦଶନ୍ଧି ଧରି ଭୁଲି ପାରିବେନି ।

ସେପଟେ ଧୂଆଁ ଓ ନିଆଁର ସହର ପାଲଟିଛି ପୃଥିବୀର ଅନ୍ୟତମ ଭିଡ଼ବହୁଳ ଇଲାକା ଗାଜା ପଟ୍ଟି । ମାତ୍ର ୩୬୨ ବର୍ଗ କିଲୋମିଟର ଅଞ୍ଚଳରେ ରହନ୍ତି ୨୦ ଲକ୍ଷ ଲୋକ । ହମାସ୍ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ଇସ୍ରାଏଲ ଏୟାରଷ୍ଟ୍ରାଇକ୍ ଜାରି ରଖିଥିବା ବେଳେ, ବହୁ ନିରୀହ ଲୋକ ଓ ଶିଶୁ ପ୍ରାଣ ହରାଉଛନ୍ତି । ବହୁ କୋଠା ଧୂଳିସାତ ହେଉଛି । ଏହି ଅଞ୍ଚଳକୁ ପ୍ରାୟ ୩ ଲକ୍ଷ ଇସ୍ରାଏଲୀ ସୈନ୍ୟ ଘେରାବନ୍ଦୀ କରିବା ସହ ଖାଦ୍ୟ, ବିଦ୍ୟୁତ ଓ ଇନ୍ଧନ ଯୋଗାଣ ବନ୍ଦ କରିଦେଇଛନ୍ତି । ସେପଟେ ଛାନିଆ ହମାସ୍ ଧମକ ଦେଇଛି ଯେ, ଏୟାରଷ୍ଟ୍ରାଇକ ବନ୍ଦ ନହେଲେ ସବୁ ବନ୍ଧକଙ୍କୁ ମାରିଦେବୁ ।

ଇସ୍ରାଏଲ ଜାତୀୟ ପତାକା ଭଳି ଧଳା ଓ ନୀଳ ରଙ୍ଗରେ ଆଲୋକିତ ଆମେରିକାର ହ୍ୱାଇଟହାଉସ ଓ ପ୍ୟାରିସର ଏଫିଲ୍ ଟାୱାର୍ । ଲଣ୍ଡନରେ ମୁହାଁମୁହିଁ ଶହ ଶହ ସଂଖ୍ୟାରେ ଇସ୍ରାଏଲ୍ ସମର୍ଥକ ଓ ବିରୋଧୀ । ତେବେ ଖାଲି ଲଣ୍ଡନ ନୁହେଁ, ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ପୁଣି ଥରେ ଦୁଇଫାଳ ପୃଥିବୀ ।

ନଜର ପକାନ୍ତୁ କେଉଁ ଦେଶ କାହାର ଦୃଢ଼ ସମର୍ଥକ

ଇସ୍ରାଏଲକୁ ଖୋଲାଖୋଲି ସମର୍ଥନ କରୁଛନ୍ତି ଆମେରିକା, ବ୍ରିଟେନ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନରୱେ, ଅଷ୍ଟ୍ରିଆ, ଜର୍ମାନୀ, କାନାଡ଼ା, ପୋଲାଣ୍ଡ, ଓ ଭାରତ । ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି ଇରାନ୍, କାତାର, ତୁର୍କୀ, ଲେବାନନ୍, ସିରିଆ, ୟେମେନ୍, ଆରବ୍ ଲିଗ୍ ଓ ଜୋର୍ଡାନ୍ । ଏହି ଯୁଦ୍ଧସ୍ଥିତିରେ କାତାର୍ ମଧ୍ୟସ୍ଥତା କରିବାକୁ ଆଗେଇ ଆସି ସର୍ତ୍ତ ରଖିଛି ଯେ, ଇସ୍ରାଏଲ୍ ନିଜ ଜେଲରେ ବନ୍ଦୀ ରଖିଥିବା ୩୬ ମହିଳା ଓ ଶିଶୁ ପାଲେଷ୍ଟାଇନ ନାଗରିକଙ୍କୁ ଛାଡ଼ିଲେ, ହମାସ୍ ଆତଙ୍କୀ ଅପହରଣ କରିଥିବା ଇସ୍ରାଏଲୀ ମହିଳା ଓ ଶିଶୁଙ୍କୁ ଛାଡ଼ିବ। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଜି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନିରୀହଙ୍କ ଉପରେ ଆତଙ୍କୀଙ୍କ ଆକ୍ରମଣକୁ ନିନ୍ଦା କରିବା ସହିତ, ଏହି କଠିନ ସ୍ଥିତିରେ ଇସ୍ରାଏଲ ସହ ଭାରତ ଦୃଢ଼ ଭାବେ ଠିଆ ହୋଇଛି ବୋଲି ମୋଦି ଭରସା ଦେଇଛନ୍ତି । ଇସ୍ରାଏଲ ଯୁଦ୍ଧ ପାଇଁ ବଢ଼ିବ କି ପେଟ୍ରୋଲ-ଡିଜେଲ ଦର? ଋଷ-ୟୁକ୍ରେନ ଯୁଦ୍ଧ ଗତବର୍ଷଠୁ ବିଶ୍ୱସ୍ତରରେ ତୈଳଦରକୁ ପ୍ରଭାବିତ କରିଥିବା ବେଳେ, ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ ପ୍ରଭାବରେ ଗତକାଲି ଅଶୋଧିତ ତୈଳ ଦରରେ ଅଚାନକ ବୃଦ୍ଧି ଦେଖିବାକୁ ମିଳିଛି । ଯୁଦ୍ଧ ଜାରି ରହିଲେ ଏହା ୧୦ ପ୍ରତିଶତ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।