• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଶ୍ୱ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ମଙ୍କିପକ୍ସ ବା M-ପକ୍ସକୁ ନେଇ ଭାରତର ଚିନ୍ତା । ଉଚ୍ଚସ୍ତରୀୟ ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ମଙ୍କିପକ୍ସ ସଂକ୍ରମଣ ସ୍ଥିତି ଓ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନଡ୍ଡା । ଏବେ ସୁଦ୍ଧା ଭାରତରେ କୌଣସି ଏମ୍-ପକ୍ସ ସଂକ୍ରମଣ ମାମଲା ଚିହ୍ନଟ ହୋଇନି ।

ତେବେ ଏୟାରପୋର୍ଟ, ସାମୁଦ୍ରିକ ବନ୍ଦର ଓ ସ୍ଥଳସୀମାରେ ହେଲ୍ଥ ୟୁନିଟକୁ ସଚେତନ କରିବାକୁ, ଟେଷ୍ଟି ଲାବ୍ ପ୍ରସ୍ତୁତ କରିବାକୁ ଏବଂ ସଂକ୍ରମଣ ସ୍ଥିତି ଉପୁଜିଲେ ଚିହ୍ନଟ, ସଙ୍ଗରୋଧ ଓ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ଉପରେ କଡ଼ା ନଜର ରଖିଛି ବୋଲି ଏହି ବୈଠକ ପରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନଡ୍ଡା ।

ରୋଗକୁ ବ୍ୟାପିବାରୁ ରୋକିବା ପାଇଁ ଏବଂ ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ସରକାର ସବୁ ପ୍ରକାର ଆଗୁଆ ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ସେପଟେ ପାକିସ୍ତାନରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହେବା ପରେ ସାରା ଦେଶରେ ଆଲର୍ଟ ରହିଛି । ବିଭିନ୍ନ ବିମାନ ବନ୍ଦରରେ ଆରମ୍ଭ ହୋଇଛି ସ୍କ୍ରିନିଂ । ପାକିସ୍ତାନକୁ ଆସୁଥିବା ଲୋକଙ୍କଠାରେ ମଙ୍କି ପକ୍ସର କୌଣସି ଲକ୍ଷଣ ଅଛି କି ନାହିଁ, ତାକୁ ଗୁରୁତର ସହ ଅନୁଧ୍ୟାନ କରାଯାଉଛି । ସାନିଟାଇଜେସନକୁ ମଧ୍ୟ ବ୍ୟାପକ କରାଯାଇଛି ।

ସୂଚନାଯୋଗ୍ୟ, ସାଉଦି ଆରବରୁ ଫେରିଥିବା ଜଣେ ପାକିସ୍ତାନୀ ପ୍ରଥମେ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୪ ବର୍ଷୀୟ ନାଗରିକ ଗତ ୩ ତାରିଖରେ ସାଉଦି ଆରବରୁ ଆସି ପାକିସ୍ତାନରେ ପହଞ୍ଚିଥିଲେ । ତାଙ୍କ ଠାରେ ମଙ୍କିପକ୍ସ ରୋଗର ଲକ୍ଷଣ ଦେଖାଦେଇଥିଲା । ପେଶୱାର ହସ୍ପିଟାଲରେ ନମୁନା ପରୀକ୍ଷଣ ବେଳେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।

ସେପଟେ ଚଳିତ ବର୍ଷ ପାକିସ୍ତାନରେ ମଙ୍କିପକ୍ସରେ ଏହା ପ୍ରଥମ ସଂକ୍ରମିତ ବୋଲି ଜଣାପଡ଼ିଛି । ୨୦୨୩ରୁ ଏପର୍ଯ୍ୟନ୍ତ ପାକିସ୍ତାନରେ ୧୧ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଭାରତରେ NCDC ଓ ICMR ସହ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ବି ହୋଇଛି । ଭାଇରସ ରୋକିବାକୁ ସତର୍କତା ଉପରେ ଫୋକସ୍ କରିବା ସହିତ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି ଭାରତ ସରକାର ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସ ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ୨୦୨୨ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଆଫ୍ରିକାରେ ମଙ୍କିପକ୍ସ ଭାଇରସ ଦ୍ରୁତ ଗତିରେ ବଢୁବା ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ମଙ୍କିପକ୍ସ ଜୀବାଣୁ ଏପର୍ଯ୍ୟନ୍ତ ବିଶ୍ୱର ୭୦ ଟି ଦେଶରେ ବ୍ୟାପିଛି। ୧୫ଟି ଦେଶରେ ତାଜା ସଂକ୍ରମଣ ହୋଇଛି । ପଡୋଶୀ ପାକିସ୍ତାନ ସହ ଉଗାଣ୍ଡା, କଙ୍ଗୋ, ରୁୱାଣ୍ଡା, କେନିଆ, ବୁରୁଣ୍ଡି ଏବଂ ସ୍ୱିଡେନକୁ ମଧ୍ୟ ବ୍ୟାପିସାରିଛି ମଙ୍କିପକ୍ସ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪,୦୦୦ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ରୋଗରେ ସଂକ୍ରମିତ ହୋଇ ବର୍ତ୍ତମାନ ସୁଦ୍ଧା ୫୪୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ।

ସୂଚନାଯୋଗ୍ୟ, ୨୦୨୨ ମସିହାରେ ଏହି ମହାମାରୀ ଆମେରିକା ଏବଂ ବ୍ରିଟେନରେ ମଧ୍ୟ ବ୍ୟାପି ଥିଲା । ୨୦୨୨ ମସିହାରେ ଯେତେବେଳେ ଏହି ଭାଇରସ କୁ ବିଶ୍ବ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା, ସେତେବେଳେ ଏହି ଭାଇରସ ୧୧୬ ଟି ଦେଶକୁ ବ୍ୟାପିଥିଲା ଏବଂ ପ୍ରାୟ ଏକ ଲକ୍ଷ ସଂକମିତ ମାମଲା ରେକର୍ଡ କରାଯାଇଥିଲା ।

କ’ଣ ଏହି ମଙ୍କିପକ୍ସ?

ମଙ୍କିପକ୍ସ ଏକ ଭାଇରସ ଦ୍ୱାରା ସୃଷ୍ଟି ହୋଇଥିବା ରୋଗ । ଏହା ଅର୍ଥୋପକ୍ସଭାଇରସ୍ ବଂଶର ଏକ ଜୀବାଣୁ ଅଟେ । ଅଧିକାଂଶ କ୍ଷେତ୍ରରେ ଏହା ମାଙ୍କଡ଼ ଠାରୁ ମଣିଷ କୁ ବ୍ୟାପିଥାଏ । ମଙ୍କିପକ୍ସ ଭାଇରସର ଦୁଇଟି ଷ୍ଟ୍ରେନ୍ ଅଛି – ଗୋଟିଏ ମଧ୍ୟ ଆଫ୍ରିକା (କ୍ଲେଡ୍-୧) ଏବଂ ଅନ୍ୟଟି ପଶ୍ଚିମ ଆଫ୍ରିକା (କ୍ଲେଡ୍-୨) ରୁ ଆସିଛି । ବର୍ତ୍ତମାନ କ୍ଲେଡ୍-୨ର ଅଧିକ ମାମଲା ରିପୋର୍ଟ କରାଯାଉଛି ।

କିପରି ସଂକ୍ରମିତ ହୁଏ ମଙ୍କିପକ୍ସ ଭାଇରସ?

ଏମପକ୍ସ ଭାଇରସ ଯେକୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ । ଆଫ୍ରିକାରେ ଅଧିକାଂଶ ଆକ୍ରାନ୍ତ ୧୫ ବର୍ଷରୁ କମ୍ ପିଲାମାନଙ୍କଠାରେ ଦେଖାଯାଏ । ପୁରୁଷମାନଙ୍କ ସହିତ ଯୌନ ସମ୍ପର୍କ ରଖୁଥିବା ପୁରୁଷମାନଙ୍କ ଠାରେ ଏହି ଭାଇରସ ଅଧିକ ଦେଖାଯାଏ । ଏହି ଭାଇରସ ଗର୍ଭବତୀ ମହିଳାମାନଙ୍କ ଠାରେ ମଧ୍ୟ ଦେଖାଯାଏ । ଏହି ସଂକ୍ରମଣ ଅସୁରକ୍ଷିତ ଯୌନ ସମ୍ପର୍କ ମାଧ୍ୟମରେ ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ଲାଳ କିମ୍ବା ଚର୍ମ ସଂସ୍ପର୍ଶରେ ଆସି ବିସ୍ତାର ହୁଏ ।

ମଙ୍କିପକ୍ସର ଲକ୍ଷଣ କ'ଣ?

ଏହି ରୋଗରେ ଜଣେ ଆକ୍ରାନ୍ତ ହେଲେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଘୋଳାବିନ୍ଧା ଏବଂ ହାଡ଼ଫୁଟି ଆଦି ଲକ୍ଷଣ ଦେଖାଦେଇଥାଏ । ଏହି ଲକ୍ଷଣ ୨ ରୁ ୪ ସପ୍ତାହ ଯାଏଁ ରହିଥାଏ । ଶିଶୁ, ଗର୍ଭବତୀ ମହିଳା ଏବଂ କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଠାରେ ଏହା ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ମଙ୍କିପକ୍ସ ସଂକ୍ରମଣ ହେଲେ ପୋଷକ ଖାଦ୍ୟ ଖାଇବା, ଯଥେଷ୍ଟ ପାଣି ପିଇବା ଏବଂ ପର୍ଯ୍ୟାପ୍ତ ନିଦ ସହିତ ଚର୍ମକୁ ନକୁଣ୍ଡାଇବା ପାଇଁ ପରାମର୍ଶ ଦିଆଯାଇଛି ।

କିପରି ପାଇବେ ମଙ୍କିପକ୍ସରୁ ରକ୍ଷା ?

  • ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ ।
  • ଯେଉଁ ଦେଶରେ ଏହି ଭାଇରସ ବ୍ୟାପୁଛି ସେହି ଦେଶକୁ ଯିବା ଠାରୁ ଦୂରେଇ ରୁହନ୍ତୁ ।
  • ଫ୍ଲୁ ଲକ୍ଷଣ ସହିତ ଯଦି ମୁହଁରେ ଦାଗ ଦେଖାଯାଏ, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
  • ଅସୁରକ୍ଷିତ ଯୌନ ସମ୍ପର୍କ ରଖନ୍ତୁ ନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now