ମାଳଦ୍ୱୀପ...ଏକ ସୁନ୍ଦର ଦ୍ୱୀପଦେଶ ଏବଂ ଭାରତର ପଡୋଶୀ । ଏହାର ଆକର୍ଷଣୀୟ ବେଳାଭୂମି ଲକ୍ଷ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ହେଲେ ଏହି ଦ୍ୱୀପଦେଶ ଏବେ ଦେବାଳିଆ ସ୍ଥିତିରେ । ଏହାର ଅର୍ଥନୈତିକ ଅବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦେଶ ମାତ୍ରାଧିକ ଋଣଗ୍ରସ୍ତ ଥିବାବେଳେ ଋଣ ସୁଝିବାକୁ ବିଦେଶୀ ମୁଦ୍ରାଭଣ୍ଡାର ଖାଲି ପଡିଛି । ଏପରି ସ୍ଥିତିରେ ପାକିସ୍ତାନ, ଶ୍ରୀଲଙ୍କା ଭଳି ଆଗାମୀ ଦିନରେ ମାଳଦ୍ୱୀପ ମଧ୍ୟ ସମ ଆର୍ଥିକ ଦଶା ଭୋଗିପାରେ ବୋଲି ଚେତାବନୀ ଦେଇଛି IMF ।
ଅଧିକ ପଢ଼ନ୍ତୁ: କମ୍ପାନୀ ଆଣିଲା ଅଜବ ନିୟମ, ବାହା ହୁଅ ନହେଲେ ଚାକିରି ଛାଡ
କାହିଁକି ଭୁଶୁଡିଲା ମାଳଦ୍ୱୀପ ଅର୍ଥନୀତି:
ମାଳଦ୍ବୀପର ଅର୍ଥନୀତି ଏହାର ପର୍ଯ୍ୟଟନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । କୋଭିଡ୍ ମହାମାରୀ କାଳରେ ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ପର୍ଯ୍ୟଟକଙ୍କ ଭିଡ ବନ୍ଦ ହେବା ସହିତ ଏହାର ଅର୍ଥବ୍ୟବସ୍ଥା ପୁରାପୁରି ଦୋହଲି ଯାଇଥିଲା । ଯଦିଓ କୋଭିଡ୍ ପରେ ଧୀରେ ଧୀରେ ପର୍ଯ୍ୟଟନ ଶିଳ୍ପ ସୁଧୁରିଛି ହେଲେ ଏଯାଏଁ ଏହାର ଅର୍ଥନୀତି ଟ୍ରାକ୍କୁ ଫେରି ପାରିନାହିଁ । ଏହାରି ମଧ୍ୟରେ ମହମ୍ମଦ ମୁଇଜୁ ରାଷ୍ଟ୍ରପତି ହେବା ଏବଂ ଚୀନ ସହ ସମ୍ପର୍କକୁ ସୁଦୃଢ଼ କରିବା ପରେ ଦ୍ୱୀପଦେଶର ଆର୍ଥିକ ସ୍ଥିତି ଆହୁରି ଖରାପ ହୋଇଯାଇଛି ।
ଖାସ୍ କରି ଚୀନ ସହ ପ୍ରିୟାପ୍ରୀତି ମହଙ୍ଗା ପଡିଛି ମାଳଦ୍ୱୀପକୁ । ରିପୋର୍ଟ ମୁତାବକ, ମାଳଦ୍ୱୀପ ଚୀନଠୁ ବିପୁଳ ପରିମାଣରେ ଋଣ କରିଛି, ଯାହାକୁ ସୁଝିବାକୁ ଦେଶ ପାଖରେ ପର୍ଯ୍ୟାପ୍ତ ବିଦେଶୀ ମୁଦ୍ରା ଭଣ୍ଡାର ନାହିଁ । ଫଳରେ ଋଣ ବୋଝ ତଳେ ଛଟପଟ ହେଉଛି ଦ୍ୱୀପଦେଶ ।
ଭାରତ ମାଳଦ୍ୱୀପ ପାଇଁ ଏକ ବଡ ଟୁରିଷ୍ଟ ମାର୍କେଟ ଭାବେ ରହିଆସିଛି । ବଡ଼ ବଡ଼ ଭାରତୀୟ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ନାଗରିକମାନେ ଛୁଟି କାଟିବାକୁ ମାଳଦ୍ୱୀପ ଯାଉଥିବା ଅନେକ ସମୟରେ ଦେଖିବାକୁ ମିଳେ । ହେଲେ ଚୀନର ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା ମହମ୍ମଦ ମୁଇଜୁ ରାଷ୍ଟ୍ରପତି ହେବା ପରେ ଆରମ୍ଭରୁ ଭାରତ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଥିଲେ । ଏହାପରେ ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ୱୀପ ସମ୍ପର୍କିତ ଏକ ପୋଷ୍ଟରେ ମୁଇଜୁ ସରକାରର ମନ୍ତ୍ରୀ ଭାରତ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ରଖିବା ପରେ ଭାରତରେ 'ବୟକଟ୍ ମାଳଦ୍ୱୀପ' ଟ୍ରେଣ୍ଡ କରିଥିଲା । ଏହି କାରଣରୁ ହଜାର ହଜାର ଭାରତୀୟ ନିଜର ମାଳଦ୍ୱୀପ ଗସ୍ତକୁ ରବ୍ଦ କରିଦେଇଥିଲେ, ଯାହାକି ଦେଶର ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରିଥିଲା । ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ମୁଇଜୁଙ୍କ ଭାରତ ପ୍ରତି ନରମ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା ।
Piyaporn Sodsriwiboon ନେତୃତ୍ୱରେ ଆଇଏମ୍ଏଫ୍ ମିଶନ ମାଳଦ୍ୱୀପର ଅର୍ଥନୈତିକ ବିକାଶ, ଆର୍ଥିକ ଦୃଷ୍ଟିକୋଣ ଓ ନୀତି ପ୍ରାଥମିକତା ଉପରେ ଚର୍ଚ୍ଚା କରିବାକୁ ଚଳିତ ବର୍ଷ ଫେବ୍ରୁଆରୀ ୩ରୁ ଫେବ୍ରୁଆରୀ ୨୫ ଯାଏ ରାଜଧାନୀ ମାଲେ ଗସ୍ତ କରିଥିଲେ । ଏହି ଗସ୍ତ ପରେ Sodsriwiboon ପକ୍ଷରୁ ବିବୃତ୍ତିରେ କୁହାଯାଇଛି, ମାଳଦ୍ବୀପ ଅର୍ଥନୀତି ଏବେ ଅନିଶ୍ଚିତତାରେ ଏବଂ ଆଗାମୀ ଦିନରେ ଆର୍ଥିକ ସ୍ଥିତି ଆହୁରି ବିଗିଡିବାର ଆଶଙ୍କା ରହିଛି ।
ଆଇଏମ୍ଏଫ୍ ଆକଳନ କରିଛି ଯେ, ଚଳିତ ବର୍ଷ ମାଳଦ୍ବୀପର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବ । ମୁଦ୍ରାସ୍ଫୀତି ହାର ୨.୩ ପ୍ରତିଶତ ବୃଦ୍ଧି ପାଇବ । ତେବେ ଦେଶରେ ନୂଆ ଏୟାରପୋର୍ଟ ଟର୍ମିନାଲ ଉଦଘାଟନ ସମ୍ଭବତଃ ଅର୍ଥନୈତିକ ସ୍ଥିରତା ଆଣିପାରେ ।