• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଂକଟ ଆଁରୁ ମୁକୁଳି ପାରୁନି ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କା । ପ୍ରଧାନମନ୍ତ୍ରୀ ବଦଳିଲେ, କିନ୍ତୁ ସ୍ଥିତିରେ ସୁଧାର ଆସିଲାନି । ଗତ ବେଶ୍ କିଛି ଦିନ ଧରି ରାଜନୈତିକ ଓ ଆର୍ଥିକ ଅସ୍ଥିରତାରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କାରେ ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ତେଲ ସମସ୍ୟା । ପେଟ୍ରୋଲ ଓ ଡିଜେଲ ଦର ୪ଶହ ଟଙ୍କା ଟପିଲାଣି ସ୍ଥିତି । ଏପରି ହୋଇଛି ଯେ ଲୋକମାନଙ୍କୁ ଯଥା ସମ୍ଭବ ଘରେ ରହି କାମ କରିବାପାଇଁ ସରକାର ଅପିଲ କରିଛନ୍ତି ।

ଶ୍ରୀଲଙ୍କାରେ ତେଲଦରରେ ଲାଗିଛି ନିଆଁ । ପେଟ୍ରୋଲ୍ ଲିଟର ୪୨୦କୁ ଡିଜେଲ୍ ୪୦୦ ଟଙ୍କା । ପେଟ୍ରୋଲ୍ ପମ୍ପ ବାହାରେ ଲମ୍ବା ଲାଇନ୍ । ଘଣ୍ଟା ଘଣ୍ଟାର ଅପେକ୍ଷା ପରେ ବି ତେଲ ବଦଳରେ ମିଳୁଛି ନିରାଶା । ସ୍ଥିତି ଏମିତି ଯେ, ଲୋକଙ୍କ ସରକାର କହୁଛନ୍ତି, ତେଲ ଆମଦାନୀ ପାଇଁ ଟଙ୍କା ନାହିଁ । ଦୟାକରି ପେଟ୍ରୋଲ ପମ୍ପରେ ଲାଇନ୍ ଲଗାନ୍ତୁ ନାହିଁ । ଯଥାସମ୍ଭବ ଘରୁ କାମ କରିବାକୁ ଚେଷ୍ଟା କରନ୍ତୁ ।

ଦେଶର ଅର୍ଥନୈତିକ ସ୍ଥିତି ସୁଧାରିବାକୁ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ାଇଥିଲେ ଶ୍ରୀଲଙ୍କା ସରକାର । ଯାହାକି ଲୋକଙ୍କ ପାଇଁ ବେଡ଼ି ଉପରେ କୋରଡ଼ାମାଡ଼ ସଦୃଶ ହୋଇଛି । କଲୋମ୍ବୋରୁ ପ୍ରାୟ ୨୦୦ କିଲୋମିଟର ଦୂର ହାଲମମୁଲାରେ ତୈଳ ସଂକଟ ଏକ ନବଜାତ ଶିଶୁର ଜୀବନ ନେଇଛି । ଅଟୋ ପାଇଁ କେଉଁଠି ବି ତେଲ ନମିଳିବାରୁ ୨ ଦିନର ଅସୁସ୍ଥ ଶିଶୁକୁ ତା ବାପା ହସ୍ପିଟାଲ ନେଇଯାଇପାରି ନଥିଲେ ବୋଲି ଅଭିଯୋଗ ହୋଇଛି ।

ଶ୍ରୀଲଙ୍କାରେ ତୈଳ ଦର ସର୍ବକାଳୀନ ରେକର୍ଡ ପାର୍ କରିଥିବା ବେଳେ, ପେଟ୍ରୋଲ ଦର ଲିଟର ପ୍ରତି ଭାରତୀୟ ମୁଦ୍ରାରେ ୪୨୦ଟଙ୍କା ଓ ଡିଜେଲ ଲିଟର ୪୦୦ଟଙ୍କା ଛୁଇଁଛି । ପୂର୍ବରୁ ଶ୍ରୀଲଙ୍କାରେ ପେଟ୍ରୋଲ ୩୩୮ ଓ ଡିଜେଲ ୨୮୯ ଟଙ୍କା ଥିଲା । ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ପେଟ୍ରୋଲ ଦର ୨୪.୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୩୮.୪ ପ୍ରତିଶତ ବଢିଛି ।

ଗତ ୧୬ ତାରିଖରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଦେଶରେ ପେଟ୍ରୋଲ ସଂକଟ ଦେଖା ଦେଇପାରେ ବୋଲି ଚେତାଇ ଦେଇଥିଲେ । ଲୋକମାନେ କଠିନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସେ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ । ଏପରିକି ଦିନକୁ ୧୫ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବ୍ୟାହତ ହୋଇପାରେ ବୋଲି ସତର୍କ କରାଇଥିଲେ । ସେପଟେ ଶ୍ରୀଲଙ୍କାର ତ୍ରାଣକର୍ତ୍ତା ସାଜି ସେଠାକୁ ୪୦ ହଜାର ମେଟ୍ରିକ୍ ଟନ୍ ଡିଜେଲ୍ ଓ ୪୦ ହଜାର ମେଟ୍ରେକ୍ ଟନ୍ ପେଟ୍ରୋଲ୍ ପଠାଇଛି ଭାରତ ।

ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ମଧ୍ୟ ଉଦବେଗଜନକ ଭାବେ ବଢିବାରେ ଲାଗିଛି । ସେଠାରେ ଏବେ ମୁଦ୍ରାସ୍ଫୀତି ୪୦ ପ୍ରତିଶତ ପାର ହେବାକୁ ଯାଉଛି । ଏଥିସହ ଔଷଧ, କ୍ଷୀର, ରନ୍ଧନ ଗ୍ୟାସ, କିରୋସିନ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଉତ୍କଟ ସଂକଟ ଦେଖାଦେଇଛି । ଏଥିପାଇଁ ବିଭିନ୍ନ ସମୟରେ ଲୋକମାନେ ରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି । ଏସବୁ କ୍ଷେତ୍ରରେ ମଧ୍ୟ ସହଯୋଗ କରିବାକୁ ଯାଇ ଭାରତ ଏଯାବତ୍ ୩ ବିଲିୟନ ଡଲାର ମୂଲ୍ୟର ଇନ୍ଧନ, ଓଷଧ ଓ ଖାଦ୍ୟ ସାମଗ୍ରୀ ଯୋଗାଇଲାଣି ।