• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗାଦିଚ୍ୟୁତ ହେବା ପରେ ରକ୍ତଚାଉଳ ଚୋବାଉଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । ନୂଆ ସରକାର ବିରୋଧରେ ବିଷୋଦଗାର କରିଛନ୍ତି ଇମ୍ରାନ୍‌ ଖାନ୍‌ । ଏହାସହ ସେ ବର୍ତ୍ତମାନ ବିପଜ୍ଜନକ ହୋଇଯିବେ ବୋଲି ସର୍ବସମ୍ମୁଖରେ ଚେତାବନୀ ଦେଇଛନ୍ତି । ପାକିସ୍ତାନର ପେଶୱାରରେ ଏକ ରାଲିରେ ଇମ୍ରାନ୍‌ ଖାନ୍‌ କହିଛନ୍ତି, ମୁଁ ଯେତେବେଳେ ସରକାରର ଅଂଶ ଥିଲି ସେତେବେଳେ ବିପଜ୍ଜନକ ନଥିଲି, କିନ୍ତୁ ବର୍ତ୍ତମାନ ଅଧିକ ବିପଜ୍ଜନକ ହୋଇଯିବି ।

ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରି ପ୍ରଧାନମନ୍ତ୍ରୀ ଗାଦିରୁ ହଟାଇଥିବା ଅଭିଯୋଗ ସହ ପ୍ରଶ୍ନ କରିଛନ୍ତି ଗତ ସପ୍ତାହରେ ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହେବା ପୂର୍ବରୁ ମଧ୍ୟରାତ୍ରିରେ କୋର୍ଟ କାହିଁକି ଖୋଲା ଯାଇଥିଲା ? ଏହା କ’ଣ ଆଇନ୍‌ ସମ୍ମତ ଥିଲା କି ?

୯ ଏପ୍ରିଲରେ ପାକିସ୍ତାନର ସୁପ୍ରିମକୋର୍ଟ ବିଳମ୍ବିତ ରାତିରେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଦେବାର ସମୟସୀମା ସମ୍ପର୍କରେ ଏକ ଆବେଦନର ଶୁଣାଣି କରିବାକୁ ପ୍ରସ୍ତୁତ ଥିଲେ । ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ୱେ ତତ୍କାଳୀନ ବାଚସ୍ପତି ମଧ୍ୟରାତ୍ରିରେ ଭୋଟିଂ କରାଇଲେ ନାହିଁ । ଅନ୍ୟ ଏକ ଆବେଦନ ଉପରେ ଶୁଣାଣି ପାଇଁ ଇସଲାମାବାଦ ହାଇକୋର୍ଟ ମଧ୍ୟରାତ୍ରିରେ ଖୋଲିଥିଲେ ବୋଲି କୁହାଗଲା ।

ତେବେ ତା’ପରେ ବାଚସ୍ପତି ଇସ୍ତଫା ଦେଇଥିଲେ ଏବଂ ସେହି ଦିନ ରାତିରେ ହିଁ ଆସେମ୍ଲିରେ ଭୋଟ୍ ହେଲା । ଇମ୍ରାନ ଖାନ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ, ଯାହାଙ୍କୁ ଅନାସ୍ଥା ଭୋଟ୍ ଜରିଆରେ ଗାଦିଚ୍ୟୁତ କରାଯାଇଛି ।

ସୂଚନାଯୋଗ୍ୟ ଆସ୍ଥା ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନ ଖାଲି କରି ଇମ୍ରାନ ପଳାଇଲେ ବୋଲି ଚର୍ଚ୍ଚା ହୋଇଥିଲା । କ୍ଷମତାରେ ତିଷ୍ଠି ରହିବା ପାଇଁ ନିଜ ଶେଷ ପ୍ରୟାସ ଅନ୍ତର୍ଗତ ଜେନେରାଲ ବାଜଓ୍ୱାଙ୍କୁ ପାକିସ୍ତାନ ସେନାମୁଖ୍ୟ ପଦରୁ ହଟାଇ ଦେବା ପାଇଁ ପ୍ରୟାସ କରିଥିଲେ ଇମ୍ରାନ । ତେବେ ୯ ତାରିଖ ରାତି ପ୍ରାୟ ୧୦ଟା ବେଳେ ତାଙ୍କ ସରକାରୀ ବାସଭବନରେ ଓହ୍ଲାଇଥିଲା ଏକ ହେଲିକପ୍ଟର । ଏଥିରେ ଜେନେରାଲ ଫୟାଜ୍ ହମିଦ୍ ଆସିଥିବା ଇମ୍ରାନ ଅନୁମାନ କରୁଥିଲେ ।

ମାତ୍ର ଯେତେବେଳେ ଜେନେରାଲ ବାଜଓ୍ୱା ଓ ଆଇଏସଆଇ ଡିଜି ନଦୀମ୍ ଅଂଜୁମଙ୍କୁ ଦେଖି ଇମ୍ରାନଙ୍କ ହୋସ୍ ଉଡିଯାଇଥିଲା । ଉଭୟ ଇମ୍ରାନଙ୍କୁ ଏକ ରୁମକୁ ନେଇ ଯାଇଥିଲେ । ଘଣ୍ଟାଏରୁ ଅଧିକ ସମୟ ଧରି କଥାବାର୍ତ୍ତା ହୋଇଥିଲା । ତେବେ ଏହି ସମୟରେ ଜେନେରାଲ ବାଜଓ୍ୱା ଉତକ୍ଷିକ୍ତ ହୋଇ ଇମ୍ରାନଙ୍କୁ ଦୁର୍ବ୍ୟବହାର କରିବା ସହ ଚାପୁଡା ମାରିଥିବା କୁହାଯାଉଛି । ଅନ୍ୟପକ୍ଷରେ ଇମ୍ରାନ ଇସ୍ତଫା ଦେଇନଥିଲେ ବରଂ ବନ୍ଧୁକ ମୂନରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା କୁହାଯାଉଛି ।