• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକିସ୍ତାନ ପାଓ୍ୱାର୍ ଗେମରେ ଇମ୍ରାନ୍ ଆଉଟ୍ । ଅନାସ୍ଥା ଭୋଟରେ ପରାଜୟ ପରେ ପ୍ରଧାନମନ୍ତ୍ରୀ ପଦ ହରାଇଛନ୍ତି କ୍ରିକେଟ୍ ପଡ଼ିଆରୁ ରାଜନୀତି ମୈଦାନକୁ ଆସିଥିବା ଇମ୍ରାନ୍ ଖାନ୍ । ବିରୋଧୀ ଦଳ ନେତା ଶାହବାଜ ଶରିଫ ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ବନିବା ଏକପ୍ରକାର ସ୍ପଷ୍ଟ । ତାଙ୍କୁ ସମର୍ଥନ କରିଛନ୍ତି ମିଳିତ ବିରୋଧୀ । ତେବେ କ୍ଷମତା ବଞ୍ଚାଇବାକୁ ଇମ୍ରାନଙ୍କ ଶେଷ ମୁହୂର୍ତ୍ତର ନିଷ୍ଫଳ ହରକତ୍ ଯୋଗୁଁ କାଲି ସାରା ଦୁନିଆ ଦେଖିଥିଲା ଇସଲାମାବାଦର ମିଡନାଇଟ୍ ଡ୍ରାମା ।

ଏବେ ପାକିସ୍ତାନର କ୍ଷମତା ଖେଳରେ ଶାହବାଜ ଶରିଫଙ୍କ ପାଳି । ପାକିସ୍ତାନର ବିରୋଧୀ ଦଳ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ସାନଭାଇ, ତଥା ପଞ୍ଜାବ ପ୍ରଦେଶର ତିନି ତିନି ଥର ମୁଖ୍ୟମନ୍ତ୍ରୀ ଶାହବାଜ ଶରିଫ୍ । PML-N ଅଧ୍ୟକ୍ଷ ଶାହବାଜଙ୍କୁ ବିରୋଧୀ ଦଳମାନେ ପିଏମ୍ ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ । ତେବେ ତାଙ୍କ ବିପକ୍ଷରେ ଇମ୍ରାନଙ୍କ ଦଳ PTI ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଶାହ୍ ମହମ୍ମଦ କୁରେସି ।

ଆସନ୍ତାକାଲି ଦିନ ୨ଟା ବେଳେ ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ଭୋଟିଂ ପରେ ଚିତ୍ର ସ୍ପଷ୍ଟ ହେବ । ସେପଟେ ନୂଆ ସରକାର କୌଣସି ପ୍ରତିଶୋଧ ମୂଳକ ରାଜନୀତିରେ ସାମିଲ ହେବ ନାହିଁ ବୋଲି କହିଛନ୍ତି ଶାହବାଜ । ଏଥିସହ ନଓ୍ୱାଜ ଶରିଫଙ୍କ ବିରୋଧରେ ଆଇନ ଅନୁସାରେ ମାମଲା ଆଗେଇବ ଏବଂ କାଶ୍ମୀର ବିବାଦର ସମାଧାନ ନହେବା ଯାଏଁ ଭାରତ ସହ ସଂପର୍କ ସ୍ୱାଭାବିକ ହେବ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଇମ୍ରାନ୍ ଟୁଇଟ୍ କରିଛନ୍ତି ଯେ, ୧୯୪୭ରେ ପାକିସ୍ତାନ ସ୍ୱାଧୀନ ହୋଇଥିଲା କିନ୍ତୁ ଆଜି ଠାରୁ ବିଦେଶୀ ଷଡ଼ଯନ୍ତ୍ର ବିରୋଧରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେଲା ।

କାଲି ରାତିତମାମ୍ ଚେଇଁଥିଲା ଇସଲାମାବାଦ । ଚାଲିଥିଲା ପଲିଟିକାଲ୍ ହାଇଡ୍ରାମା । ନ୍ୟାସନାଲ ଆସେମ୍ଲିରେ ରାତି ୨ଟା ଯାଏଁ ଅନାସ୍ଥା ଭୋଟିଂ ହୋଇଥିଲା । ସୁପ୍ରିମକୋର୍ଟ ଓ ହାଇକୋର୍ଟ ଖୋଲାଥିଲା, ଲୋକଙ୍କ ଆଖିକୁ ବି ନିଦ ନଥିଲା । କିଏ ସେଲିବ୍ରେସନ୍ କରୁଥିଲା, ତ କିଏ ବିକ୍ଷୋଭ । କ୍ଷମତାରେ ରହିବାକୁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ଇମ୍ରାନ୍ । ନିଜେ ସଂସଦକୁ ଆସିନଥିଲେ, ବାଚସ୍ପତି ବି ଇସ୍ତଫା ଦେଇଥିଲେ । ହେଲେ କୌଣସି ଚାଲ୍ କାମ ଦେଇନଥିଲା ।

ଅନସ୍ଥା ଭୋଟରେ ମିଳିତ ବିରୋଧୀ ୩୪୨ରୁ ୧୭୪ ଭୋଟ୍ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ, ପ୍ରାୟ ୩ ବର୍ଷ ୮ ମାସ ଧରି କ୍ଷମତାରେ ଥିବା ଇମ୍ରାନ୍, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅନାସ୍ଥା ଭୋଭଟରେ ଗାଦି ହରାଇଥିଲେ । ସେପଟେ ସୁପ୍ରିମକୋର୍ଟଙ୍କ ଅନାସ୍ଥା ଭୋଟ୍ ସଂପର୍କିତ ରାୟକୁ ଚ୍ୟାଲେଞ୍ଜ କରି ପିଟିଆଇ ପକ୍ଷରୁ ରିଭ୍ୟୁ ପିଟିସନ୍ ମଧ୍ୟ ଦାଖଲ ହୋଇଛି ।

ଖାଲି ଏତିକି ନୁହେଁ କ୍ଷମତାର ଶେଷଘଡ଼ିରେ ଇମ୍ରାନ୍ ସେନାମୁଖ୍ୟ ଜେନେରାଲ୍ କମର୍ ଜାଭେଦ୍ ବାଜ୍ଓ୍ୱାଙ୍କୁ ପଦଚ୍ୟୁତ କରିବାକୁ ଚାହିଁଥିବା, ପାକ୍ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି, ତାଙ୍କ ବାସଭବନକୁ ହେଲିକପ୍ଟରରେ ୨ ଜଣ ଅତିଥି ଆସି ଇମ୍ରାନଙ୍କ ସହ ପ୍ରାୟ ୪୫ ମିନିଟ୍ ଏକାନ୍ତରେ ଆଲୋଚନା କରିଥିଲେ । ବହୁ ପୂର୍ବରୁ ମତଭେଦ ଥିବା ବାଜ୍ଓ୍ୱାଙ୍କୁ ହଟାଇ, ତାଙ୍କର ବିଦେଶୀ ଷଡ଼ଯନ୍ତ୍ର ଥିଓରିକୁ ସମର୍ଥନ କରୁଥିବା ଅନ୍ୟ କୌଣସି ବରିଷ୍ଠ ଅଧିକାରୀଙ୍କୁ ସେନାମୁଖ୍ୟ କରିବାକୁ ଚାହୁଁଥିଲେ ଇମ୍ରାନ୍ । ହେଲେ ପାକ୍ ସେନା ଏହି ଚର୍ଚ୍ଚାକୁ ଖଣ୍ଡନ କରିଛି ।

ଆସନ୍ତାବର୍ଷ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ତାର ଫଳାଫଳ କଣ ହେବ, ଏବଂ ସବୁଠୁ ବଡ଼ କଥା, ସେଯାଏଁ ମିଳିତ ବିରୋଧୀଙ୍କ ସରକାର ତିଷ୍ଠୁଛି କି ନାହିଁ ତା ଉପରେ ବି ନଜର ରହିଛି ।