• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାକିସ୍ତାନରେ ଗଣତନ୍ତ୍ରର ବିଚିତ୍ର ସ୍ଥିତି... ବ୍ୟବସ୍ଥାକୁ ଉପହାସ କଲା ଭଳି ୮ରେ ହେବ ସାଧାରଣ ନିର୍ବାଚନ... ଜେଲରେ ଥିବା ଲୋକପ୍ରିୟ ନେତା ଇମ୍ରାନ ଖାନ୍‌ଙ୍କ ଦଳକୁ ବ୍ୟାନ୍, ତ ନୱାଜ ସରିଫଙ୍କୁ ପୁଣି ପିଏମ୍ କରିବାକୁ ପାକ୍ ସେନାର ଭିତିଆରି ଫନ୍ଦି ।

ପାକିସ୍ତାନରେ ରାଜନୈତିକ ତାମ୍‌ସା । ଗଣତନ୍ତ୍ରିକ ବ୍ୟବସ୍ଥାକୁ ଉପହାସ କଲା ଭଳି ଆସନ୍ତା ୮ ତାରିଖରେ ଏଠାରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ତେବେ ଏହା ଇଲେକସୱନ ନୁହେଁ ସେନା ଦ୍ୱାରା ସିଲେକସନ୍ ବୋଲି କୁହାଯାଉଛି । କାରଣ ପାକିସ୍ତାନ ମୁସଲିମ୍ ଲିଗ୍ (ନୱାଜ) ଗୋଷ୍ଠୀର ନେତା ନୱାଜ୍ ସରିଫ ଏବେ ସେନାର ଶୁଭ ଦୃଷ୍ଟିରେ ଅଛନ୍ତି ।

ଅନ୍ୟପକ୍ଷରେ ଦୀର୍ଘ ଦିନ ଧରି ଜେଲ୍‌ରେ ସଢୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥାର ଦେଶର ସବୁଠୁ ଲୋକପ୍ରିୟ ନେତା ଇମ୍ରାନ ଖାନ୍ । ତାଙ୍କ ଦଳ ତେହରିକ-ଏ- ପାକିସ୍ତାନକୁ ନିର୍ବାଚନ ଲଢିବାରୁ ବ୍ୟାନ୍ କରାଯାଇଥିବା ବେଳେ ଦଳର ଚିହ୍ନ, କ୍ରିକେଟ ବ୍ୟାଟକୁ ବି ବାତିଲ କରିଦେଇଛନ୍ତି ସେଠିକାର ନିର୍ବାଚନ କମିଶନ ।

ପାକିସ୍ତାନରେ ଗଣତନ୍ତ୍ରର ବିଚିତ୍ର ସ୍ଥିତି। ସେନା ଯାହାକୁ ଚାହିଁବ କାଠ କଣ୍ଡେଇ ଭଳି ନଚେଇବ । ଆସନ୍ତା ୮ ତାରିଖରେ ଏଠାରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ତେବେ ଭୋଟ ପଡ଼ିବା ଆଗରୁ ଫଳାଫଳ ଘୋଷଣା ସରିଥିବା ଅଭିଯୋଗ ହେଉଛି। କାରଣ ଦେଶର ସାଢେ ଦଶ କୋଟିରୁ ଅଧିକ ଜନତା ନୁହନ୍ତି, ମାତ୍ର କ୍ଷମତାଶାଳୀ ସେନା ହିଁ ବାଛିବ କିଏ ହେବେ ପ୍ରଧାନମନ୍ତ୍ରୀ ।

ଆତ୍ମଘୋଷିତ ନିର୍ବାସନରେ ଦୀର୍ଘ ଦିନ ଲଣ୍ଡନରେ ରହି ସ୍ୱଦେଶ ଫେରିଥିବା ପାକିସ୍ତାନ ମୁସଲିମ ଲିଗ୍ ନୱାଜ ଗୋଷ୍ଠୀର ନେତା ନୱାଜ ସରିଫଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରିବାକୁ ସେନା ନିଷ୍ପତ୍ତି ନେଇସାରିଥିବା କୁହାଯାଉଛି । ଏଭଳି କ୍ଷେତ୍ରରେ ନିର୍ବାଚନ ଏକ ଔପଚାରିକତାରେ ପରିଣତ ହୋଇଛି ।

ନିକଟରେ ପାକିସ୍ତାନରେ ହୋଇଥିବା ଜନମତ ସର୍ଭେ ଅନୁସାରେ ପିଟିଆଇ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ହିଁ ଏଠିକାର ସବୁଠି ଲୋକପ୍ରିୟ ନେତା । ମାତ୍ର ସେ ଜେଲ୍‌ରେ । ବିଦେଶରୁ ମିଳିଥିବା ଉପହାରର ବେଆଇନ ବିକ୍ରି ମାମଲାରେ ତାଙ୍କୁ ହୋଇଥିଲା ୧୫ ବର୍ଷ ଜେଲ । ଆଉ ବୁସରା ବିବିଙ୍କ ସହ ତାଙ୍କ ବିବାହ ଆଇନ ସମ୍ମତ ହୋଇନଥିବା ଦର୍ଶାଇ ଏବେ ଦିଆଯାଇଛି ଆଉ ୭ ବର୍ଷର ଜେଲ ଦଣ୍ଡ । ଏଥିରୁ ସ୍ପଷ୍ଟ ବୁଝା ପଡୁଛି ଇମ୍ରାନଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରାଇନଦେବାକୁ କିଭଳି ହୋଇଛି ସାଂଘାତିକ ଷଡ଼ଯନ୍ତ୍ର ।

ତାଙ୍କ ଦଳକୁ ୫ ବର୍ଷ ବ୍ୟାନ କରାଯାଇଥିବା ବେଳେ ନିର୍ବାଚନୀ ଚିହ୍ନକୁ ବି ବାତିଲ କରିଦେଇଛନ୍ତି ନିର୍ବାଚନ କମିଶନର । ଦଳର କର୍ମୀ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିବା ବେଳେ ସେମାନଙ୍କ ସଭାସମିତି ଉପରେ କଟକଣା ଲଗାଯାଇଛି । ଏମିତିକି ଇମ୍ରାନ ଖାନ୍‌ଙ୍କ ଫଟୋ ବି ଯେଭଳି ଟିଭି କିମ୍ବା ଡିଜିଟାଲ ମିଡିଆରେ ନଦିଶିବ ସେନେଇ ବି ପୂରା ବନ୍ଦୋବସ୍ତ କରାଯାଇଛି । ଖୁଲମଖୁଲା ଗଣତାନ୍ତ୍ରିକ ବ୍ୟବସ୍ଥାର କଣ୍ଠରୋଧ କରାଯାଉଥିବା ବେଳେ ନିରବ ବସିଛି ସାରା ବିଶ୍ୱ ।

ପୂର୍ବ ସରକାରରେ ନୱାଜଙ୍କ ସହଯୋଗୀ ଥିବା ପାରିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱଲ ଭୁଟ୍ଟୋ ଜର୍ଦାରୀ ଅଲଗା ନିର୍ବାଚନ ଲଢୁଛନ୍ତି । ତେବେ ତାଙ୍କର ସେଭଳି ଦବଦବା ନାହିଁ । ଏଣୁ ସେନା, ରାଜନେତା ଚୋର ପୋଲିସ ଖେଳରେ ନବାଜ ସରିଫଙ୍କର ଜିତାପଟ ହେବା ନିଶ୍ଚିତ ହୋଇଯାଇଛି ।