• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଢୁଛି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅଡ଼ୁଆ । ଗୋଟିକ ପରେ ଗୋଟିଏ ମାମଲାରେ ଛନ୍ଦି ହେଉଛନ୍ତି ଇମ୍ରାନ୍ ଖାନ୍ । ତୋଷଖାନା ମାମଲା ପରେ ଇମ୍ରାନଙ୍କ ନାଁରେ ପୁଣି ଆଉ ୨ଟି ମାମଲା କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ଭୟଭୀତ କରାଇବା ଅଭିଯୋଗରେ ଇମ୍ରାନଙ୍କ ଓ ତାଙ୍କର ୧୫୦ ସହଯୋଗୀଙ୍କ ନାଁରେ ୨ଟି ନୂଆ ମାମଲା ରୁଜୁ ହୋଇଛି । ଇମ୍ରାନଙ୍କୁ ଗିରଫ କରିବା ପାଇଁ ଯିବା ବେଳେ ପୋଲିସ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପାକିସ୍ତାନ ସଚିବାଳୟ ଥାନାରେ ମାମଲା ରୁଜୁ ହୋଇଛି । ଏପଟେ ପୋଲିସର ବହୁଚେଷ୍ଟା ସତ୍ତ୍ୱେ ଗିରଫଦାରୀକୁ ଏଡ଼ାଇ ଯାଇଛନ୍ତି ଇମ୍ରାନ ।

ପୋଲିସକୁ ଚକମା ଦେଇ ଖସିଯାଇଛନ୍ତି । ତୋଷଖାନା ମାମଲାରେ ଇମ୍ରାନଙ୍କୁ ଗିରଫ ପାଇଁ କୋର୍ଟଙ୍କ ଗିରଫ ପରୱାନା ଧରି ଲାହୋର ଜମନ ପାର୍କସ୍ଥିତ ତାଙ୍କ ଘରେ ପହଞ୍ଚିଥିଲା ପୋଲିସ । ହେଲେ ପୋଲିସ ପହଞ୍ଚିବା ବେଳକୁ ଇମ୍ରାନ ଗାଏବ ହୋଇଯାଇଥିଲେ। ଫଳରେ ପୋଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା । ପାକିସ୍ତାନ ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ସୂଚନା ଅନୁଯାୟୀ, ଇମ୍ରାନ ପାଚେରୀ ଡେଇଁ ପଡୋଶୀ ଘରେ ଲୁଚିଥିଲେ ।

ହେଲେ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ ଇ-ଇନସାଫ ପକ୍ଷରୁ କୁହାଯାଇଛି, ପୋଲିସ ଗିରଫ କରିବାକୁ ଯିବା ବେଳେ ଇମ୍ରାନ ଘରେ ଉପସ୍ଥିତ ନଥିଲେ । ଏପଟେ ଇମ୍ରାନ ଟ୍ୱିଟ୍ କରିଛନ୍ତି ଯେ, ଶେହବାଜ ସରିଫ ମୋ ବିରୋଧରେ ଗୋଟିଏ ପରେ

ଗୋଟିଏ ମାମଲା କରିଚାଲିଛନ୍ତି । ଏହା ହେଉଛି ମୋ ବିରୋଧରେ ୭୬ତମ ମାମଲା । ଏହା ସେଞ୍ଚୁରି ଆଡ଼କୁ ଗତି କରୁଛି । ତୋଷଖାନା ମାମଲାରେ ଗତ ଫେବ୍ରୁଆରୀ ୨୮ ତାରିଖରେ ଇମ୍ରାନ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ଲାହୋରର ସେସନ୍ସ କୋର୍ଟ।...

ଏପଟେ ଇମ୍ରାନ ଖାନଙ୍କ ବିରୋଧରେ ମିଡିଆ କଟକଣା ଲଗାଇଛନ୍ତି ପାକ ସରକାର । ଇମ୍ରାନଙ୍କ କୌଣସି ମନ୍ତବ୍ୟକୁ ପାକ୍ ମିଡିଆ ପ୍ରସାରଣ କରିପାରିବେନି । ଗତ ସୋମବାର ଠାରୁ ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟରୀ ଅଥରିଟି ପକ୍ଷରୁ ଏଭଳି ନିୟମ ଲାଗୁ ହୋଇଛି । ମିଡିଆ ରେଗୁଲେଟର ଅଥରିଟିଙ୍କ ସୂଚନା ଅନୁଯାୟୀ, ଖାନଙ୍କ ଭିତ୍ତିହୀନ ଅଭିଯୋଗ ଯୋଗୁ ଦେଶର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା ରହିଛି ।

ଅନ୍ୟପଟେ ପିଟିଆଇର ବରିଷ୍ଠ ନେତା ଫୱାଦ ଚୌଧୁରୀ କହିଛନ୍ତି, ବର୍ତ୍ତମାନର ପାକ୍ ସରକାର ଇମ୍ରାନ ଖାନଙ୍କ ଦଳ ପିଟିଆଇକୁ ଭୟ କରୁଛି । ଆଗାମୀ ନିର୍ବାଚନରେ ପିଟିଆଇ ଭଲ ଫଳାଫଳ କରିବା ନେଇ ସରକାରଙ୍କର ଭୟ ରହିଛି । ଏପଟେ ଇମ୍ରାନଙ୍କ ଦଳ ପିଟିଆଇ ଘୋଷଣା କରିଛି, ପଞ୍ଜାବ ପ୍ରଦେଶରେ ନିର୍ବାଚନ ଲାଗି ବୁଧବାରଠାରୁ ଐତିହାସିକ ରାଲି ବାହାରିବ । ଏଥିରେ ନେତୃତ୍ୱ ନେବେ ଇମ୍ରାନ ଖାନ୍ । ଜମନ ପାର୍କସ୍ଥିତ ବାସଭବନରୁ ଏହି ରାଲି ବାହାରିବ ବୋଲି ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୩୦ ତାରିଖରେ ପଞ୍ଜାବ ପ୍ରଦେଶରେ ବିଧାନସଭା ପାଇଁ ନିର୍ବାଚନ ହେବ ।...

ସେହିପରି ପିଟିଆଇ ପକ୍ଷରୁ ଚିଫ୍ ଜଷ୍ଟିସ ଅଫ ପାକିସ୍ତାନକୁ ଏକ ଚିଠି କରାଯାଇଛି । ଯେଉଁଥିରେ ଇମ୍ରାନଙ୍କ ଜୀବନ ପ୍ରତି ବିପଦଥିବା ଦର୍ଶାଯାଇଛି । ତାଙ୍କୁ ନ୍ୱିତୀୟ ଥର ପାଇଁ ହତ୍ୟା କରିବାକୁ ଯୋଜନା କରାଯାଇଥିବା ଏଥିରେ ଉଲ୍ଲେଖ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ହିସାବରେ ତାଙ୍କ ଜୀବନ ପ୍ରତି ବିପଦଥିବା ସତ୍ତ୍ୱେ ତାଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇନି । ଏମିତିକି ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଆଡୁ ବିପଦ ରହିଥିବା ଚିଠିରେ ଦର୍ଶାଯାଇଛି । ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ଏକ ପ୍ରକାର ଅଘୋଷିତ ଯୁଦ୍ଧ ଚାଲିଛି । ତେବେ ଆଗାମୀ ଦିନରେ ପାକ ରାଜନୀତି କିଭଳି ମୋଡ଼ ବଦଳାଉଛି, ତାହା ସମୟ ହିଁ କହିବ।