• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ୍ ରାଜଧାନୀ କିଭ୍ ଉପକଣ୍ଠ ଓ ଆଖପାଖରେ ଥିବା ଛୋଟ ଛୋଟ ସହର ଗୁଡ଼ିକରୁ ହଟୁଛି ଋଷୀୟ ସେନା ଛାଉଣୀ । ସହର ଗୁଡ଼ିକୁ ପୁଣି ନିଜ ଅକ୍ତିଆରକୁ ନେବାରେ ସଫଳ ହୋଇଛି ୟୁକ୍ରେନ୍ ଆର୍ମି । ତେବେ ଋଷ ସେନା ଯେତେ ପଛକୁ ହଟୁଛି, ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ ସବୁ । କିଭ୍ ନିକଟସ୍ଥ ବୁଚା ସହରରେ ୩ଶହରୁ ଅଧିକ ଲୋକଙ୍କୁ ହତ୍ୟା କରି ମାଟିରେ ପୋତାଯାଇଥିବା ଖବର ସାରା ବିଶ୍ୱକୁ ମର୍ମାହତ କରିଥିବା ବେଳେ,ରାସ୍ତା ଉପରେ ବି ବହୁ ସଂଖ୍ୟକ ମୃତଦେହ ପଡ଼ି ରହଛି । ତେବେ ଏହି ନରସଂହାର ପଛରେ କିଏ, ତାକୁ ନେଇ ବିବାଦ ତେଜିଛି ।ଗତକାଲି ବୁଚା ଯାଇ ସ୍ଥିତି ପରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।

ଯୁଦ୍ଧଗ୍ରସ୍ତ ଦେଶରେ ଏଣେ ତେଣେ ବିଛା଼ଡ଼ି ହୋଇ ପଡ଼ିଛି ମଣିଷର ମୃତଦେହ । କିଏ ସାଇକେଲରେ ଯାଉଥିଲା, ଆଉ କିଏ ଯାଉଥିଲା ଆହାର ସଂଗ୍ରହ ପାଇଁ... ହେଲେ ଅଧାବାଟରେ ଚାଲିଯାଇଛି ଜୀବନ । ପ୍ରାୟ ୫୦ ଜଣଙ୍କୁ ରାସ୍ତା ଉପରେ ଓ ଘର ଭିତରେ ହାତ ପଛକୁ ବାନ୍ଧି ମୁଣ୍ଡକୁ ଗୁଳି କରାଯାଇଥିବା ଦେଖିବାକୁ ମିଳୁଛି । ତେବେ ସବୁଠୁ ହୃଦୟ ବିଦାରକ ଘଟଣା ଘଟିଛି ଏକ ଚର୍ଚ୍ଚ ନିକଟରେ । ସେଠାରେ ଏକ ୪୫ ଫୁଟ୍ ଲମ୍ବା ଗର୍ତ୍ତରୁ ଉଦ୍ଧାର ହୋଇଛି ୩ଶହରୁ ୪ଶହ ମୃତଦେହ । ଏସବୁ ୟୁକ୍ରେନ୍ ରାଜଧାନୀ କିଭ୍ ନିକଟସ୍ଥ ବୁଚା ସହରର ଦୃଶ୍ୟ । ପ୍ରାୟ ମାସେ ହେବ ଏହି ସହରକୁ ଋଷୀୟ ସେନା କବଜାରେ ରଖିଥିଲା । ତେବେ ସେମାନଙ୍କୁ ବିତାଡ଼ିତ କରି ପୁଣି ଥରେ ୟୁକ୍ରେନ୍ ଆର୍ମି ପୂରା କିଭ୍ ଅଞ୍ଚଳକୁ ଅକ୍ତିଆରକୁ ନେବା ପରେ ଏଭଳି ଉଦବେଗଜନକ ଘଟଣା ସାମ୍ନାକୁ ଆସିଛି । ତେଣୁ ଏସବୁ ଋଷୀୟ ସେନାର ବର୍ବର କାଣ୍ଡ ବୋଲି ଅଭିଯୋଗ କରିଛି ୟୁକ୍ରେନ୍ ।

ବୁଚାରେ ଋଷ ସାଧାରଣ ଲୋକଙ୍କୁ ସମୂହ ହତ୍ୟାକରିଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଆରୋପ ଲଗାଇଥିବା ବେଳେ, ଋଷୀୟ ସେନାକୁ ହତ୍ୟାକାରୀ, ଅତ୍ୟାଚାରୀ, ଦୁଷ୍କର୍ମକାରୀ, ଲୁଟେରା ବୋଲି ଅଭିହିତ କରିଛନ୍ତି । ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଇଣ୍ଟରନ୍ଯାସନାଲ କୋର୍ଟ ଅଫ୍ ଜଷ୍ଟିସ୍କୁ ଘଟଣାସ୍ଥଳକୁ ପ୍ରମାଣ ସଂଗ୍ରହ ପାଇଁ ଡାକିଛନ୍ତି । ସେପଟେ ୟୁକ୍ରେନ୍ର ଜଣେ ମହିଳା ସାଂସଦ ଲେସିଆ ବାସିଲେଙ୍କ ଆଣିଛନ୍ତି ଆହୁରି ସଂଗୀନ ଅଭିଯୋଗ । ଋଷୀୟ ସୈନ୍ୟ ବୁଚାରେ ବହୁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଏବଂ ମହିଳାଙ୍କ ଶରୀରରେ ସ୍ୱସ୍ତିକ ଭଳି ଚିହ୍ନର ଚେଙ୍କ ଦେଇଥିବା ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ଋଷ । ଆମେରିକାର ପ୍ରରୋଚନାରେ ଋଷକୁ ବଦ୍ନାମ କରିବା ପାଇଁ ଏହା କିଭରେ ଆଉ ଏକ ଷଡ଼ଯନ୍ତ୍ର ବୋଲି ଦର୍ଶାଇଛି ମସ୍କୋ । ସେହି ଅଞ୍ଚଳ ଋଷୀୟ ସେନାର ହେପାଜତରେ ଥିବା ବେଳେ ଜଣେ ବି ସାଧାରଣ ସ୍ଥାନୀୟ ବାସିନ୍ଦା କୌଣସି ପ୍ରକାର ହିଂସାର ଶିକାର ହୋଇନାହାନ୍ତି ବୋଲି ମସ୍କୋ ସ୍ପଷ୍ଟ କରିଛି । ଏଥିସହ ରୁଷିଆର ମୁଖ୍ୟ ତଦନ୍ତକାରୀ ଅଧିକାରୀ ୟୁକ୍ରେନ୍ ଆଣିଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଆଲୋଚନା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଛି ଋଷିଆ ।