• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragyan Paramita Behera

ଆମେରିକା ଅକ୍ତିଆର କରି ରାଷ୍ଟ୍ରପତି ଗାଦି ସମ୍ଭାଳିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଶପଥ ଗ୍ରହଣ ପରେ ସେ ୪୭ତମ ରାଷ୍ଟ୍ରପତି ଭାବରେ ଆମେରିକାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଅନେକ ବଡ଼ ଘୋଷଣା କରିଛନ୍ତି । ତାଙ୍କର ପ୍ରାରମ୍ଭିକ ନିଷ୍ପତ୍ତିରେ ଭାରତର ଉପରେ କୌଣସି ପ୍ରଭାବ ପଡ଼ିନାହିଁ । କିନ୍ତୁ ବ୍ରିକ୍ସ ଦେଶକୁ ଟ୍ରମ୍ପଙ୍କ ଧମକ, ନାଗରିକତା ନିୟମରେ ପରିବର୍ତ୍ତନ, ଶକ୍ତ ଇମିଗ୍ରେସନ ପଲିସି, ଆମେରିକା ପ୍ରଥମ ନୀତି ଭଳି ପ୍ରସଙ୍ଗ ମୁଦ୍ଦା ଭାରତ ପାଇଁ ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିପାରେ । ଟ୍ରମ୍ପ ୨.୦ରେ ଭାରତକୁ କ’ଣ ଲାଭ ହେବ ଓ କ’ଣ କ୍ଷତିର ସମ୍ଭାବନା ରହିଛି, ଆସନ୍ତୁ ଜାଣିବା ।

ଟ୍ରମ୍ପ ଭାରତ ବିରୋଧରେ ପ୍ରତ୍ୟକ୍ଷ ରୂପରେ କୌଣସି ଘୋଷଣା କରିନଥିଲେ ସୁଦ୍ଧା ଭବିଷ୍ୟତରେ ଏପରି କରିବେ ନାହିଁ ବୋଲି କୁହାଯାଇପାରିବ ନାହିଁ । ମେକ ଆମେରିକା ଗ୍ରେଟ ଏଗେନ ଭିଜନ ସହ ସତ୍ତାକୁ ଆସିଥିବା ଟ୍ରମ୍ପ କୌଣସି ସମୟରେ କିଛି ବି ନିଷ୍ପତ୍ତି ନେଇପାରନ୍ତି । ସାରା ଗତିବିଧିକୁ ଆମେରିକାରେ କେନ୍ଦ୍ରିତ କରିବା ଲକ୍ଷ୍ୟରେ ସେ ହ୍ୱାଇଟ ହାଉସ ଫେରିଛନ୍ତି । ର୍ନିବାଚନ ପ୍ରଚାର ସମୟରେ ଆମେରିକାକୁ ଅଗ୍ରାଧିକାର ଦେବା ସହ ପ୍ରାଥମିକତା ହେବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ । ନିଜ ଅଭିଭାଷଣରେ ବାରମ୍ବାର ମେକ ଆମେରିକା ଗ୍ରେଟ ଏଗେନର ନାରା ଲଗାଉଥିଲେ ।

ଏକ ରାଲିରେ ଚୀନ, ଭାରତ ଓ ବ୍ରାଜିଲକୁ ଟାରିଫ କିଙ୍ଗ ଓ ଟ୍ରେଡ ଆବ୍ୟୁଜର କହିଥିଲେ । ତେବେ ଶପଥ ପରେ ସମ୍ବୋଧନରେ ବି ଟ୍ରମ୍ପ ମେକ ଆମେରିକା ଗ୍ରେଟ ଭିଜନକୁ ଦୋହରାଇଛନ୍ତି । ଆଉ ତୁରନ୍ତ ଦେଶରେ ଏକ୍ସଟରନାଲ ରେଭେନ୍ୟୁ ସର୍ଭିସ ଲାଗୁ କରିଛନ୍ତି । ଆମେରିକୀୟ ୱର୍କରସ ଓ ତାଙ୍କ ପରିବାର ପାଇଁ ଟ୍ରେଡ ସିଷ୍ଟମର କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯଦ୍ୱାରା ଆମେରିକୀୟଙ୍କୁ କାମରେ ସୁରକ୍ଷା ମିଳିପାରିବ । ଅନ୍ୟ ଦେଶକୁ ଧନୀ ବନାଇବା ଉଦ୍ଦେଶ୍ୟରେ ନିଜ ଦେଶର ଲୋକଙ୍କ ଠାରୁ ଶୁଳ୍ପ ଆଦାୟ କରିବା ପରିବର୍ତ୍ତେ ଅନ୍ୟ ଦେଶ ଉପରେ ଟାରିଫ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଅନ୍ୟ ଦେଶର ଲୋକେ ନୁହେଁ ନିଜ ନାଗରିକଙ୍କୁ ଧନୀ ବନାଇ ପାରିବେ ଟ୍ରମ୍ପ ।

ତେବେ ଆମେରିକା ପ୍ରଥମ ନୀତିକୁ ଭାରତ ସହ ବ୍ୟବସାୟରେ ଲାଗୁ କଲେ ଭାରତ ବଡ଼ କ୍ଷତି ସହିବାର ଆଶଙ୍କା ରହିଛି । ପୂର୍ବରୁ ଟ୍ରମ୍ପ କହିଥିଲେ, ଭାରତ ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଉଛି, ପ୍ରତିବଦଳରେ ଆମେରିକା କଡା ପଦକ୍ଷେପ ନେବ ବୋଲି ଧମକ ମଧ୍ୟ ଦେଇଥିଲେ । ଅନ୍ୟ ଦେଶରେ ଟାରିଫ ଲଗାଇବା ତାଙ୍କର ଏହି ଭିଜନର ଏକ ଅଂଶ ଅଟେ । କ୍ଷମତା ଗ୍ରହଣ କରିବା ପରେ ପରେ ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ମେକ୍ସିକୋ ଉପରେ ଶୁଳ୍କ ଘୋଷଣା କରିଛନ୍ତି । ଫେବୃଆରୀ ୧ରୁ କାନାଡା ଏବଂ ମେକ୍ସିକୋ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବ ଆମେରିକା ।

ଟ୍ରମ୍ପଙ୍କ ଘୋଷଣାରେ ଏକକାଳୀନ ୧୧ଟି ଦେଶରେ ଆତଙ୍କ ସୃଷ୍ଟି ହୋଇଛି, ଏହି ଦେଶଗୁଡ଼ିକ ମଧ୍ୟରେ ଭାରତ ଏବଂ ଚୀନ ପରି ଦେଶ ମଧ୍ୟ ସାମିଲ ଅଛନ୍ତି । ଟାରିଫ ଲାଗୁ ହେବାମାତ୍ରେ ଭାରତକୁ ଶକ୍ତ ଝଟକା ଲାଗିବ । ୨୦୨୪ରେ ଭାରତ ଓ ଆମେରିକା ମଧ୍ୟରେ ୧୧୮.୨ ଆରବ ଡଲାର ଦ୍ୱିପାକ୍ଷିକ କାରବାର ହୋଇଥିଲା । ଭାରତ ଆମଦାନୀ ତୁଳନାରେ ଆମେରିକାକୁ ଅଧିକ ରପ୍ତାନୀ କରିଥାଏ । କେବଳ ଏତିକି ନୁହେଁ ଆମେରିକା କିଛି ଦେଶ ମଧ୍ୟରୁ ଗୋଟିଏ, ଯେଉଁ ଦେଶକୁ ଭାରତ ଅଧିକ ରପ୍ତାନୀ କରେ । ସରକାରୀ ତଥ୍ୟ ଅନୁସାରେ, ଭାରତ ଆର୍ଥିକ ବର୍ଷ ୨୦୨୩-୨୪ରେ ୭୮ ଆରବ ଡଲାରର ସାମଗ୍ରୀ ରପ୍ତାନୀ କରିଥିଲା । ଭାରତ ଆମେରିକାକୁ ସବୁଠାରୁ ଅଧିକ ଇଞ୍ଜିନିୟରିଂ ଗୁଡସ, ବୈଦୁତିକ ଉପକରଣ, ଅଳଙ୍କାର, ଲାଇଟ, ଫାର୍ମା ପ୍ରଡକ୍ଟ, କ୍ରୁଡ ଅଏଲ ଆଦି ସାମଗ୍ରୀ ବିକ୍ରି କରିଥାଏ । ଏପରିସ୍ଥଳେ ଟାରିଫ ଲାଗୁ ହେବା ପରେ ଭାରତକୁ ଅନେକ କ୍ଷତି ସହିବା ଥୟ ।

ସେହିପରି ଟାରିଫ ବ୍ୟତୀତ ଟ୍ରମ୍ପଙ୍କର ଆମେରିକା ପ୍ରଥମ ନୀତି ଭାରତୀୟଙ୍କୁ ମୁସ୍କିଲରେ ପକାଇପାରେ । ଆମେରିକାରେ ଅନେକ ଭାରତୀୟ ଏଚୱାନ-ବି ଭିସାରେ କାମ କରୁଛନ୍ତି । ଏବେ ସୁଦ୍ଧା ଏନେଇ କୌଣସି ଘୋଷଣା ହୋଇନଥିଲେ ସୁଦ୍ଧା ବିଦେଶୀ ୱର୍କରଙ୍କ ଉପରେ ତାଙ୍କର ପୁରୁଣା ନୀତି ଖୁବ ଶକ୍ତ ରହିଆସିଛି । ପୁରୁଣା ନୀତିକୁ ପ୍ରଣୟନ କରିବା ଦ୍ୱାରା ଭାରତୀୟଙ୍କ ଚାକିରି ଯାଇପାରେ ବୋଲି କୁହାଯାଉଛି । ୨୦୨୩ରେ ଆମେରିକା ୩ ଲକ୍ଷ ୮୬ ହଜାର ଏଚୱାନ-ବି ଭିସା ଜାରି କରିଥିଲେ, ଏଥିରୁ ୭୨.୩ ପ୍ରତିଶତ ଭାରତୀୟଙ୍କୁ ଜାରି କରାଯାଇଥିଲା । ତେବେ ଆମେରିକାର ବଡ଼ ବଡ଼ ଟେକ କମ୍ପାନୀରେ ଅଧିକାଂଶ ଭାରତୀୟ କାମ କରୁଥିବାରୁ କମ୍ପାନୀ ଗୁଡ଼ିକ ଏଚୱାନ-ବି ଭିସାର ପ୍ରତିକୂଳ ପରିବର୍ତ୍ତନର ବିରୋଧ କରିପାରନ୍ତି ବୋଲି କୁହାଯାଉଛି ।

ସେହିପରି ଅନେକ ଭାରତୀୟ କମ୍ପାନୀର ଅଫିସ ଆମେରିକାରେ ମଧ୍ୟ ରହିଛି । ହେଲେ ସମୟ ସହ ଭାରତୀୟ କମ୍ପାନୀ ଗୁଡ଼ିକ ଏଚୱାନ-ବି ଭିସା ଉପରେ ନିଜର ନିର୍ଭରତାକୁ ହ୍ରାସ କରିଛନ୍ତି । ସ୍ଥାନୀୟ ଲୋକଙ୍କୁ ଚାକିରିରେ ରଖିଛନ୍ତି । ଏଚସିଏଲର ଏକ ରିପୋର୍ଟ ଅନୁସାରେ ଆମେରିକୀୟ ଫୋର୍ସରେ ୮୦ ପ୍ରତିଶତ ୱର୍କର ଆମେରିକାର ହିଁ ଅଛନ୍ତି । ଏଥିପାଇଁ ଏଚୱାନ-ବି ଭିସା ସେପରି କିଛି କ୍ଷତି ପହଞ୍ଚାଇବ ନାହିଁ ବୋଲି କୁହାଯାଉଛି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ସୋମବାର ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି । ଆମେରିକାରେ ଅଣନାଗରିକ ପିତାମାତାଙ୍କ ଠାରୁ ଜନ୍ମିତ ପିଲାମାନଙ୍କର ସ୍ୱୟଂଚାଳିତ ନାଗରିକତାକୁ ବନ୍ଦ କରିବା ପାଇଁ ସେ ପଦକ୍ଷେପ ନେଇଛନ୍ତି ।

ଅନ୍ୟ ଦେଶରୁ ବୈଧ ତଥା ଅବୈଧ ଉପାୟରେ ଆମେରିକାକୁ ଆସୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧିକୁ ନେଇ ଅନେକ ସମୟ ଧରି ତର୍କବିତର୍କ ଚାଲିଛି । ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପ ଏହି ସମସ୍ୟାର ସମାଧାନ ବାହାର କରିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ବାର୍ଥ ରାଇଟ୍ ସିଟିଜେନସିପ ନିୟମକୁ ଶେଷ କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଅର୍ଥାତ ବର୍ତ୍ତମାନ ଆମେରିକାରେ ଜନ୍ମ ହେବା ମାତ୍ରେ କୌଣସି ଶିଶୁକୁ ପୂର୍ବଭଳି ନାଗରିକତା ମିଳିବ ନାହିଁ । ଏହି ନିୟମ ଲାଗୁ ହେବା ପରେ ଲକ୍ଷ ଲକ୍ଷ ଭାରତୀୟ ପ୍ରଭାବିତ ହେବେ । ନୂଆ ନିୟମ ଆସିବା ପରେ ପ୍ରାୟ ୪.୮ ମିଳିୟନ ଭାରତୀୟ-ଆମେରିକୀୟ ଲୋକ ଏହା ଦ୍ୱାରା ପ୍ରଭାବିତ ହେବେ, କାରଣ ଏଥି ମଧ୍ୟରୁ ୧. ୬ ମିଲିୟନ ଲୋକ କେବଳ ଆମେରିକାରେ ଜନ୍ମ ହୋଇଛନ୍ତି ।

୨୦୧୯ ମାଇଗ୍ରେସନ ପଲିସି ଇନଷ୍ଟିଟ୍ୟୁଟ୍ ଅନୁସାରେ, ୧୮ ବର୍ଷରୁ କମ୍ ୫.୫ ମିଲିୟନ ପିଲାଙ୍କ ବାପାମା’ଙ୍କ ମଧ୍ୟରୁ ଜଣେ ଆମେରିକାରେ ଅବୈଧ ପ୍ରବାସୀ ଭାବରେ ରହୁଛନ୍ତି । ଜନ୍ମ ଅଧିକାର ନାଗରିକତ୍ୱରେ ପରିବର୍ତ୍ତନ ଦ୍ୱାରା ଆମେରିକାରେ ଜନ୍ମ ହୋଇଥିବା ପିଲାଙ୍କ ପାଇଁ ଗ୍ରୀନ କାର୍ଡ ଓ H-1B ଆବେଦନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେବ । ଏପରି ସ୍ଥିତିରେ ଆମେରିକାରେ ଜନ୍ମ ହୋଇଥିବା ଲୋକମାନେ ଆଉ ଆମେରିକାର ନାଗରିକ ହୋଇ ରହିପାରବେ ନାହିଁ । ନିୟମ ଲାଗୁ ହେବା ପରେ ନାଗରିକତା ନଥିବା ଲୋକଙ୍କୁ ନିଜ ଦେଶକୁ ଫେରି ଆସିବାକୁ ପଡ଼ିବ । ଏହାବ୍ୟତୀତ ଟ୍ରମ୍ପଙ୍କ ଆଦେଶ ଦ୍ୱାରା ୧-୨ ମିଲିୟନ ଭାରତୀୟ-ଆମେରିକୀୟ ଅସୁବିଧାରେ ପଡ଼ିବେ, ଯେଉଁମାନେ ଗ୍ରୀନ କାର୍ଡ ଆବେଦନ କରିଥିବେ ତଥା ନନ-ଇମିଗ୍ରାଣ୍ଟ ଭିସାରେ ଅଛନ୍ତି ।

ଟ୍ରମ୍ପଙ୍କ ନୀତି ଭାରତୀୟ ଟଙ୍କା ଉପରେ ବି ପ୍ରଭାବ ପକାଇପାରେ । ଫଳରେ ଦେଶର ଅର୍ଥନୀତି ଅଧିକ ପ୍ରଭାବିତ ହେବ, ଭାରତ ପାଇଁ ଆମଦାନୀ ମହଙ୍ଗା ହୋଇଯିବ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିଲେ ଭାରତ ପାଇଁ ଆମଦାନୀ ମହଙ୍ଗା ହୋଇଯିବ । ଫଳରେ ଦେଶରେ ଦରବୃଦ୍ଧି ହେବ । ଖାଲି ସେତିକି ନୁହେଁ ଡଲାରର ମୂଲ୍ୟ ବୃଦ୍ଧି ହେଲେ ଭାରତର ନିବେଶକଙ୍କ ପାଇଁ ଡଲାର ଆଧାରିତ ବଜାରରେ ନିବେଶ ମହଙ୍ଗା ହେବ । ଆମେରିକାରେ ଭାରତର ଏଫଡିଆଇ ଷ୍ଟକ ୨୦୨୨ରେ ୩.୭ବିଲିୟନ ଡଲାର ଥିଲା । ଯାହା ୨୦୨୧ଠାରୁ ୭.୦ପ୍ରତିଶତ ଅଧିକ ରହିଥିଲା । ଡଲାର ଦର ବଢିଲେ ଭାରତ ପାଇଁ ନିବେଶ ମହଙ୍ଗା ହୋଇଯିବ ।

ଅନ୍ୟପଟେ ଟ୍ରମ୍ପ ଓ ମୋଦିଙ୍କ ବନ୍ଧୁତା ବହୁ ପୁରୁଣା ହୋଇଥିବା ବେଳେ ଆମେରିକାର ନୂଆ ରାଷ୍ଟ୍ରପତି ପୂର୍ବରୁ ଭାରତ ସହ ସମ୍ପର୍କକୁ ମଜଭୁତ କରିବାକୁ ଚାହୁଁଥିବା କଥା ଅନେକ ଥର ଦୋହରାଇଛନ୍ତି । ତେଣୁ ଆମେରିକା ପକ୍ଷରୁ ଭାରତ ପ୍ରତି ଶକ୍ତ ନିୟମ ପ୍ରଣୟନ ହୋଇନପାରେ ବୋଲି କୁହାଯାଉଛି । ଯଦି ଟ୍ରମ୍ପ ସରକାର ଟାରିଫକୁ ନେଇ କୌଣସି ନିଷ୍ପତ୍ତି ନିଅନ୍ତି, ତେବେ ସବୁଠାରୁ ଅଧିକ ପ୍ରଭାବିତ ହେବ ଚୀନ । ଚୀନ୍ ଉପରେ ପ୍ରତିବନ୍ଧକ ଯୋଗୁ ଆମେରିକୀୟ କମ୍ପାନି ଗୁଡ଼ିକ ସାମଗ୍ରୀ ଏବଂ କଞ୍ଚାମାଲ ପାଇଁ ଭାରତ ମୁହାଁ ହୋଇ ପାରନ୍ତି । ଫଳରେ ଆମେରିକାକୁ ଭାରତର ରପ୍ତାନୀ ଅଧିକ ବୃଦ୍ଧି ପାଇବ । ଏହାଦ୍ୱାରା ଭାରତର ଇଲେକ୍ଟ୍ରୋନିକ୍ସ, ବୟନ ଏବଂ ରାସାୟନିକ ଶିଳ୍ପ ଗୁଡ଼ିକ ଲାଭରେ ରହିବେ । ଏହାବ୍ୟତୀତ ଆମେରିକୀୟ ବ୍ୟବସାୟୀମାନେ ଚୀନ ଠାରୁ ଆଣି ତାଙ୍କ ସେୟାର ଭାରତ ସହ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବାର ଅନେକ ସମ୍ଭାବନା ରହିଛି । ଚୀନର ସାମଗ୍ରୀ ଉପରେ ଟାରିଫ ଯୋଗୁଁ ଭାରତୀୟ ସାମଗ୍ରୀ ବିଶ୍ୱ ବଜାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।

 

OTV is now on Whatsapp

Join and get latest news update delivered to you via whatsapp

Join Now