• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଷି ସୁନକ ଙ୍କୁ ନେଇ ଥମୁନି ଚର୍ଚ୍ଚା । ଗୋଟିଏ ପଟେ ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ତାଙ୍କର ଅର୍ଥନୈତିକ ଜ୍ଞାନ କେତେ କାମରେ ଆସିବ, ତାକୁ ନେଇ ଆଲୋଚନା ହେଉଛି । ଅନ୍ୟପଟେ ସୁନକଙ୍କ ଲାଇଫ୍ ଷ୍ଟାଇଲ୍ ଓ ଅମାପ ସଂପତ୍ତିକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି । କେବଳ ସୁନକ୍ ନୁହଁନ୍ତି, ତାଙ୍କ ପତ୍ନୀଙ୍କ ସଂପତ୍ତି କଥା ଜାଣିଲେ ବି ଆପଣ ତାଜୁବ୍ ହୋଇଯିବେ ।

ଅଧିକ ପଢ଼ନ୍ତୁ:କ’ଣ କରନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକ୍‌ଙ୍କ ପତ୍ନୀ ଅକ୍ଷତା ?

ଅଚଳାଚଳ ସଂପତ୍ତିର ଅଧିକାରୀ ରିଷି ସୁନକ୍ । ସେ ବ୍ରିଟେନର ଅନ୍ୟତମ ଧନୀ ପ୍ରଧାନମନ୍ତ୍ରୀ । ଭାରତର ବିଶିଷ୍ଟ ଶିଳ୍ପପତି ତଥା ଆଇଟି କଂପାନୀ ଇନଫୋସିସର ସହ ପ୍ରତିଷ୍ଠାତା ଏନ୍.ଆର୍. ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ବିବାହ କରିବା ପରେ ଆହୁରି ବଢ଼ିଛି ତାଙ୍କର ସଂପତ୍ତି ପରିମାଣ । ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ଚଳିତ ବର୍ଷ ପାଇଁ ବ୍ରିଟେନର ଅନ୍ୟତମ ଧନୀ ଭାବେ ଅଭିହିତ କରିଛି ସଣ୍ଡେ ଟାଇମ୍ସ୍ ।

ବ୍ରିଟେନର ୨୫୦ ବିତ୍ତଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୨୨୨ତମ ସ୍ଥାନରେ ଅଛନ୍ତି ସୁନକ୍ । ସଣ୍ଡେ ଟାଇମ୍ସ ରିପୋର୍ଟ ଅନୁସାରେ, ରିଷି ସୁନକଙ୍କ ସଂପତ୍ତିର ପରିମାଣ ୭୩ କୋଟି ପାଉଣ୍ଡ୍ ବା ଭାରତୀୟ ମୁଦ୍ରାରେ ୬ ହଜାର ୮ଶହ କୋଟି ଟଙ୍କା ।

ରିଷି ଓ ତାଙ୍କ ପତ୍ନୀ ଅକ୍ଷତାଙ୍କ ପାଖରେ ୪ଟି ଘର ରହିଛି । ଏହା ମଧ୍ୟରୁ ଦୁଇଟି ଘର ଲଣ୍ଡନରେ ଏବଂ ଗୋଟିଏ ଲସ୍ ଆଞ୍ଜେଲସରେ ରହିଛି । ରିଷିଙ୍କ ଲଣ୍ଡନ ସ୍ଥିତ ୨ଟି ଘର ମଧ୍ୟରୁ ଗୋଟିକର ମୂଲ୍ୟ ପ୍ରାୟ ୭୦ ଲକ୍ଷ ପାଉଣ୍ଡ୍ । କାଲିଫର୍ଣ୍ଣିଆରେ ଥିବା ତାଙ୍କର ପେଣ୍ଟହାଉସରେ ସୁଟିଂ ହୋଇଥିଲା ହଲିଉଡ୍ ଫିଲ୍ମ ବେ ଓ୍ୱାଚ୍ ସୁଟିଂ ।

ସୁନକଙ୍କ ପାଖରେ ଅନେକ ସୌଖୀନ କାରର କଲେକ୍ସନ ମଧ୍ୟ ରହିଛି । ରେଞ୍ଜ ରୋଭର୍, ଲ୍ୟାଣ୍ଡ ରୋଭର୍ ଓ ଜାଗୁଆରର ବିଭିନ୍ନ ମଡେଲ୍ ସହିତ ଅନେକ ଥର ନଜର ଆସିଛନ୍ତି ସୁନକ୍ । ଏତେ ସଂପତ୍ତିର ଅଧିକାରୀ ହେବା ସତ୍ତ୍ୱେ ସରଳ ଜୀବନଶୈଳୀରେ ବିଶ୍ୱାସ କରୁଥିବା ରିଷି କୌଣସି ମାଦକ ଦ୍ରବ୍ୟ ସେବନ କରନ୍ତି ନାହିଁ ବୋଲି କୁହାଯାଉଛି ।

ସଂପତ୍ତି କ୍ଷେତ୍ରରେ ସୁନକଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ତାଙ୍କ ପତ୍ନୀ ଅକ୍ଷତା । ବ୍ରିଟେନର ଦିବଂଗତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଠାରୁ ମଧ୍ୟ ସେ ଅଧିକ ଧନୀ ବୋଲି ପୂର୍ବରୁ ଚର୍ଚ୍ଚା ହୋଇଥିଲା । ନିଜ ବାପାଙ୍କ କଂପାନୀ ଇନଫୋସିସରେ ମଧ୍ୟ ତାଙ୍କର ୦.୯୩ ପ୍ରତିଶତ ସେୟାର୍ ରହିଛି । ଅକ୍ଷତାଙ୍କ ମୋଟ ସଂପତ୍ତି ଭାରତୀୟ ମୁଦ୍ରାରେ ପ୍ରାୟ ୬ ହଜାର କୋଟି ଟଙ୍କା ହେବ ବୋଲି ଚର୍ଚ୍ଚା ହେଉଛି । ଅକ୍ଷତା ଜଣେ ଫ୍ୟାଶନ ଡିଜାଇନର୍ ସେ ଏମ୍ବିଏ କରୁଥିବା ବେଳେ ରିଷି ସୁନକଙ୍କୁ ଭେଟିଥିଲେ । ତେବେ ବିବାହ ପରେ ମଧ୍ୟ ଇନଫୋସିସ୍ ସେୟାରରୁ ମିଳୁଥିବା ରୋଜଗାର ଉପରେ ଅକ୍ଷତା ବ୍ରିଟେନରେ ଟ୍ୟାକ୍ସ ଦେବାକୁ ମନା କରିବାରୁ ଏହାକୁ ନେଇ ବିବାଦ ତେଜିଥିଲା । ତେବେ ପରେ ଅକ୍ଷତା ଟ୍ୟାକ୍ସ ଦେବାକୁ ରାଜି ହୋଇଥିଲେ ।

ଆଉ ଏକ ରୋଚକ କଥା ହେଉଛି ଭାରତ ସ୍ୱାଧୀନ ହେବା ପୂର୍ବରୁ ରିଷି ସୁନକଙ୍କ ପୂର୍ବପୁରୁଷ ପଞ୍ଜାବର ଗୁଜରନ୍ଓ୍ୱାଲାରେ ରହୁଥିଲେ ଏବଂ ଏବେ ତାହା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ରହିଛି । ତେଣୁ ସୁନକ ଜଣେ ପାକିସ୍ତାନୀ ମୂଳ ବୋଲି ମଧ୍ୟ ପାକିସ୍ତାନରେ ଚର୍ଚ୍ଚା ଜୋର୍ ଧରିଛି ।

ଅଧିକ ପଢ଼ନ୍ତୁ: ରିଷି ସୁନକଙ୍କ ରାଜନୈତିକ ଯାତ୍ରା ଓ ରୋଚକ କଥା