• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରୁଷିଆ-ୟୁକ୍ରେନ୍ ପ୍ରସଙ୍ଗରେ ନିଜସ୍ୱ ନିଷ୍ପତ୍ତି ନେବ ଭାରତ । ରାଷ୍ଟ୍ରପତି ବାଇଡେନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଭିଡିଓ କନ୍ଫେରେନ୍ସିଂରେ ଆଲୋଚନା ପରେ ହ୍ୱାଇଟ୍‌ହାଉସ ଏହା କହିଛି । ସ୍ଥିତିକୁ ଦେଖି ଭାରତ ନିଜର ବିଚାରଶକ୍ତି ଉପଯୋଗ କରିବ ବୋଲି, ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ଆମେରିକା ପରୋକ୍ଷରେ ଗ୍ରହଣ କରିଛି ।

ଏନେଇ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଭାରତ ଏହାର ନିଜସ୍ୱ ନିଷ୍ପତ୍ତି ନେବ । ତେବେ ସବୁ ପ୍ରସଙ୍ଗରେ ଭାରତ ସହ ‌ଆଲୋଚନା ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଅନ୍ୟପକ୍ଷେ, ରୁଷିଆକୁ ଆର୍ଥିକ ସ୍ତରରେ ଏକଘରିରିକିଆ କରି ଯୁଦ୍ଧ ବନ୍ଦ କରିବାର ସବୁ ପ୍ରକାର ଉଦ୍ୟମ କରୁଛି ଆମେରିକା । ଏଥିପାଇଁ ମସ୍କୋ ସହିତ କୌଣସି ବାଣିଜ୍ୟ କାରବାର ନ କରିବାକୁ ବିଶେଷ କରି ତେଲ ନ କିଣିବାକୁ ବିଶ୍ୱର ପ୍ରାୟ ସବୁ ଦେଶ ଉପରେ ଆମେରିକା ଚାପ ପକାଉଛି ।

ସେହିପରି ଭାରତ ଉପରେ ମଧ୍ୟ ସେମିତି ଚାପ ଦେଇ ରୁଷିଆଠାରୁ ତେଲ ନ କିଣିବାକୁ ବାଇଡେନ ସରକାର ଖୋଲାଖୋଲି ଭାବେ କହୁଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଅତ୍ୟନ୍ତ ଭଦ୍ର, ନମ୍ର ଓ ସରଳ ଭାବେ ଏହାର ଜବାବ ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି, ‘ଭାରତ ମାସେ ଭିତରେ ଯେତିକି ତେଲ କିଣୁଛି, ଆମେରିକାର ଘନିଷ୍ଠ ସହଯୋଗୀ ୟୁରୋପ ଦିନକର ଗୋଟିଏ ବେଳାରେ ସେତିକି ତେଲ କିଣୁଛି । ଆମେ ରୁଷିଆରୁ ଯେତିକି ତେଲ କିଣୁଛୁ, ତାହା ଆମର ଶକ୍ତି ସୁରକ୍ଷା ପାଇଁ ଜରୁରୀ । ’ ଓ୍ୱାଶିଂଟନରେ ସାମ୍ବାଦିକ ସମ୍ମିଳନି ବେଳେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଜୟଶଙ୍କର ଏହା କହିଛନ୍ତି ।

ସେହିପରି ଗତକାଲି ମୋଦି ଓ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ୍ ଫ୍ଲାଟଫର୍ମରେ ୟୁକ୍ରେନ ସମସ୍ୟା ନେଇ ଆଲୋଚନା ହୋଇଥିଲା ଏହା ପରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ୍ ଟୁ ଆଲୋଚନା ହୋଇଥିଲା । ଏଥିରେ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଯୋଗ ଦେଇଥିଲେ । ତା ପର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ରୁଷଠୁ କିଏ କେତେ ତେଲ କିଣୁଛି, ଜୟଶଙ୍କର ତାହାର ପ୍ରକୃତ ଚିତ୍ର ସମସ୍ତଙ୍କ ସାମ୍ନାରେ ରଖିଥିଲେ । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ ଓ ବୈଦେଶିକ ସଚିବ ଆଣ୍ଟୋନି ବିଲକେନ୍ ମଧ୍ୟ ଉପସ୍ଥିତ ଥିଲେ ।