• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୦୦୬ରୁ ଅରୁଣାଚଳର ତଓ୍ୱାଙ୍ଗରେ ସମସ୍ୟା ଲା ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ତଓ୍ୱାଙ୍ଗ ସୀମୀ ନିର୍ଦ୍ଦିଷ୍ଟ ନଥିବାରୁ କେଉଁ ଅଞ୍ଚଳ କାହାର ତାକୁ ନେଇ ଦ୍ୱନ୍ଦ୍ୱ ରହିଛି । ସେହିପରି ଏଠିକାର କିଛି ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ପାଟ୍ରୋଲିଂ କରୁଛନ୍ତି । ତେଣୁ ନିଜ ନିଜର ଧାରଣାକୁ ନେଇ ଏଠାରେ ଅନେକ ବାର ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଗତ ୯ ତାରିଖର ଘଟଣା ଦୁଇ ପକ୍ଷର ଧାରଣାରେ ଥିବା ଦ୍ୱନ୍ଦ୍ୱକୁ ନେଇ ବୋଲି ସ୍ପଷ୍ଟ କରିଛନ୍ତି ସରକାର । ତେବେ ୨୦୧୭ରେ ଡୋକଲାମ ଓ ୨୦୨୦ ଗଲଓ୍ୱାନ୍ ସଂଘର୍ଷକୁ ଦେଖିଲେ ଚୀନ୍ ସୀମାରେ ନିଜ ପତିଆରା ବଢାଇବାକୁ ଉଦ୍ୟମ ଜାରି ରଖିଥିବା ସ୍ପଷ୍ଟ ହେଉଛି ।

ଗତ ୯ ତାରିଖରେ ଚୀନ ସୈନ୍ୟ ଅରୁଣାଚଳ ପ୍ରଦେଶର ତଓ୍ୱାଙ୍ଗରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏଥର ଲଦାଖ ନୁହେଁ ଅରୁଣାଚଳ ପ୍ରଦେଶର ତଓ୍ୱାଙ୍ଗରେ ଅନୁପ୍ରବେଶ ଉଦ୍ୟମ କରିଥିଲେ ଚୀନି ସୈନ୍ୟ । ତେବେ ସେମାନଙ୍କୁ ସୀମାରେ ପାଚେରୀ ଭଳି ଠିଆ ହୋଇଥିବା ଭାରତୀୟ ସୈନ୍ୟଙ୍କ ସାମ୍ନା କରିବାକୁ ପଡିଥିଲା । ଦୃଢତାର ସହ ଚୀନ ସୈନ୍ୟଙ୍କୁ ଜବାବ୍ ଦେଇଥିଲେ ଭାରତୀୟ ସୈନ୍ୟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାକୁ ଜଣାଇଛନ୍ତି ଯେ ସ୍ଥିତାବସ୍ଥା ପରିବର୍ତ୍ତନ ପିଏଲଏର ଲକ୍ଷ୍ୟ ଥିଲା । ମାତ୍ର ସଜାଗ ଭାରତୀୟ ସୈନ୍ୟ ଚୀନି ସୈନ୍ୟଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ । ଏହି ସମୟରେ ଧସ୍ତାଧସ୍ତି ହେବା ଯୋଗୁ ଉଭୟ ପକ୍ଷର କିଛି ସୈନ୍ୟ ଆହତ ହୋଇଛନ୍ତି ।

ତେବେ କେହି ଗୁରୁତର ଆହତ ହୋଇନଥିବା ସ୍ପଷ୍ଟ କରିଛନ୍ତି ରାଜନାଥ । ଷ୍ଟ୍ରକଚର୍ଡ ମେକାନିଜିମ୍ ଟୁ ରିଷ୍ଟୋର ପିସ୍ ଅର୍ଥାତ୍ ଶାନ୍ତି ରକ୍ଷା ଲାଗି ଦୁଇ ଦେଶ ମଧ୍ୟରେ ଥିବା ପୂର୍ବ ବୁଝାମଣା ଅନ୍ତର୍ଗତ ଉଭୟ ପକ୍ଷରୁ କମାଣ୍ଡରଙ୍କୁ ନେଇ ଫ୍ଲାଗ ମିଟିଂ ହୋଇଥିଲା । ଏହା ପରେ ଚୀନି ସୈନ୍ୟ ସେଠାରୁ ହଟି ଯାଇଥିଲେ । ଦେଶର ଅଖଣ୍ଡତା ରକ୍ଷାରେ ସେନା ସଂପୂର୍ଣ୍ଣ ସମର୍ଥ ବୋଲି ଲୋକସଭାକୁ ଆଶ୍ୱସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଶାସନ କାଳରେ କେହି ବି ଭାରତର ଇଞ୍ଚେ ମାତ୍ର ଜାଗା ନେଇପାରିବେ ନାହିଁ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ ।

ପ୍ରତିରକ୍ଷା ମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ସତ୍ତ୍ୱେ ବିରୋଧୀ ତଓ୍ୱାଙ୍ଗ ପ୍ରସଙ୍ଗରେ ସଂସଦରେ ଆଲୋଚନା ଦାବି କରିଥିଲେ । ମାତ୍ର ବାଚସ୍ପତି ଏଥିରେ ରାଜି ନହେବାରୁ ବିରୋଧୀ ସଦସ୍ୟ ଗୃହରେ ହୋହାଲ୍ଲା କରିଥିଲେ ପରେ ବିରୋଧୀ ସଦସ୍ୟ କକ୍ଷତ୍ୟାଗ କରିଥିଲେ ।

ବହୁ ଦିନ ପରେ ଚୀନ୍ ସୈନ୍ୟ ଅରୁଣାଚଳରେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି । ୨୦୨୦ରେ ଚୀନ୍ ଲଦାଖରେ ଅନୁପ୍ରବେଶ ଉଦ୍ୟମ କରିଥିଲା ତେବେ ଭାରତୀୟ ସୈନ୍ୟ ଏହାର ମୁହଁତୋଡ୍ ଜବାବ୍ ଦେଇଥିଲେ । ଗଲଓ୍ୱାନ ଉପତ୍ୟକାରେ ଦୁଇ ପକ୍ଷ ମଧ୍ୟରେ ଜୋରଦାର ସଂଘର୍ଷ ଘଟିଥିଲା । ଏଥିରେ ୨୦ ଭାରତୀୟ ସୈନ୍ୟ ସହିଦ୍ ହେବା ସହ ୪୦ରୁ ଅଧିକ ଚୀନି ସୈନ୍ୟଙ୍କ ଜୀବନ ଯାଇଥିଲା । କୂଟନୈତିକ ଓ ମିଲିଟାରୀସ୍ତରରେ ବାରମ୍ବାର ଆଲୋଚନା ପରେ ସୀମାରୁ ସୈନ୍ୟ ପ୍ରତ୍ୟାହାର ଲାଗି ରାଜି ହୋଇଥିଲେ ଉଭୟ ପକ୍ଷ । ସେହିପରି ପୂର୍ବରୁ ଭୁଟାନ, ଭାରତ ଓ ଚୀନ୍ ଟ୍ରାଇଜଙ୍କସନ ନିକଟରେ ଡୋକଲାମରେ ପିଏଲଏର ରାସ୍ତା ନିର୍ମାଣକୁ ଭାରତ ବିରୋଧ କରିଥିଲା । ଫଳରେ ସେଠାରେ ମଧ୍ୟ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ । ମାତ୍ର ଅରୁଣାଚଳରେ ଚୀନ୍ ନିଜ ଖୋଇ କାଢିବା ପରେ ସୀମା ପୁଣି ଅଶାନ୍ତ ହୋଇଛି ।

ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ଭାବେ ଦାବି କରୁଛି ଚୀନ୍ । ଚୀନି ଭାଷାରେ ଜ୍ୟାଙ୍ଗନାନ୍ ନାଁରେ ନାମିତ । ଏହି ଅଞ୍ଚଳର ଦକ୍ଷିଣ ତିବ୍ବତର ଅଂଶ ବୋଲି ଯୁକ୍ତି କରୁଛି ବେଜିଂ । ୨୦୧୭ରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନକୁ ନିଜ ଅନୁସାରେ ନାମିତ କରିଥିଲା । ଆଦିମକାଳରୁ ଅରୁଣାଚଳ ଦିବ୍ବତର ଅଂଶ ବୋଲି ଚୀନ ବୈଦେଶିକ ବ୍ୟାପାର ମୁଖପାତ୍ର ଝାଓ ଲିଜିଅଆନ କହିଥିଲେ । ତେବେ ଭାରତ ଚୀନର ଏହି ଦାବିକୁ ଦୃଢ଼ ଭାବେ ଖଣ୍ଡନ କରିଛି ଅରୁଣାଚଳ ପ୍ରଦେଶ । ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଓ ରହିବ ଏବଂ ଏଥିରେ କୌଣସି ସଂଶୟ ନାହିଁ ବୋଲି ବୈଦେଶିକ ବ୍ୟାପର ମୁଖପାତ୍ର ଅରିନ୍ଦମ ବାଗଚି ସ୍ପଷ୍ଟ କିରଥିଲେ । ଅନ୍ୟପକ୍ଷରେ ନାଁ ବଦଳାଇ ଦେଲେ ସ୍ଥିତି ବଦଳିଯିବ ନାହିଁ ବୋଲି ସେ ଦୃଢତାର ସହ କହିଥିଲେ ।