• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

‘ମତେ ବଞ୍ଚାଅ..ମତେ ମୋ ପରିବାର ପାଖକୁ ନେଇଯାଅ’..ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଟେଲିଗ୍ରାମରେ ସେୟାର ହୋଇଥିବା ଭିଡିଓରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଭିଡିଓରେ ଇସ୍ରାଏଲ୍‌ର ଜଣେ ଯୁବତୀ ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରୁଛନ୍ତି । ଯୁବତୀଙ୍କୁ ଗାଜା ମେଡିକାଲ୍‌ରେ ବନ୍ଦୀ କରି ରଖାଯାଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଇସ୍ରାଏଲ୍‌ର ଜଣେ ଯୁବତୀଙ୍କୁ ହମାସ ଆତଙ୍କବାଦୀ ବନ୍ଦୀ କରି ରଖିଛନ୍ତି । ଦୁଃଖଦ କଥା ହେଲା ଯୁବତୀଙ୍କ ହାତ ଭାଙ୍ଗି ଯାଇଛି ଓ ତାଙ୍କ ଚିକିତ୍ସା ମଧ୍ୟ ଚାଲିଛି । ଏହି ଭିଡିଓଟି ହମାସ ପକ୍ଷରୁ ଟେଲିଗ୍ରାମରେ ସେୟାର କରାଯାଇଛି ।

ଭିଡିଓରେ ଯୁବତୀଙ୍କୁ ଜଣକ ଚିତ୍କାର କରୁଥିବା ଦେଖିବାକୁ ମିଳିଛି । ସେ କହୁଛନ୍ତି କି, ‘ମୋ ନାଁ ଶୋହମ୍‌, ମୁଁ ୨୧ ବର୍ଷର । ଶନିବାର ସକାଳେ ସେଡ୍ରଟ୍‌ରୁ ପାର୍ଟି ସାରି ଫେରିବା ବେଳେ ହଠାତ ଦୁର୍ଘଟଣା କାରଣରୁ ମୋ ହାତ ଭାଙ୍ଗିଗଲା । ମୁଁ ଚିକିତ୍ସା ପାଇଁ ଗାଜା ହସ୍ପିଟାଲ୍‌ ଆସିଲି । ୩ ଘଣ୍ଟା ଧରି ମୋ ଚିକିତ୍ସା କରାଗଲା । ସେମାନେ ମୋର ଯତ୍ନ ନେବା ସହ ମେଡିସିନ୍‌ ମଧ୍ୟ ଦେଲେ । ଏବେ ମୁଁ ଠିକ୍‌ ଅଛି । କିନ୍ତୁ ମୋ କହିବା କଥା ହେଲା ମତେ ମୋ ପରିବାର ପାଖକୁ ଶୀଘ୍ର ନେଇଯାଅ, ଦୟାକରି ଯେତେ ଜଲଦି ମତେ ଏଠୁ ନେଇଯାଅ । ମୋତେ ସେମାନେ ପଣବନ୍ଦୀ କରି ରଖିଛନ୍ତି’।

 

ସେପଟେ ଯେକୌଣସି ମୁହୂର୍ତ୍ତରେ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିପାରେ ଇସ୍ରାଏଲ ସେନା । ସ୍ଥଳଭାଗ ଦେଇ ପ୍ରବେଶ କରି ହମାସ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ସୈନ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଇସ୍ରାଏଲ ସରକାର ଗ୍ରୀନ୍ ସିଗନାଲ ଦେବା ମାତ୍ରେ ଗାଜାରେ ଆରମ୍ଭ ହେବ ଗ୍ରାଉଣ୍ଡ ଅପରେସନ । ବିନା କୌଣସି ସର୍ତ୍ତରେ ଇସ୍ରାଏଲି ବନ୍ଧକଙ୍କୁ ଛାଡ଼ି ଦେବାକୁ ହମାସକୁ ଅନୁରୋଧ କରାଯାଇଛି।

ଯୁଦ୍ଧ ନେଇ କୌଣସି ପ୍ରକାର ସାଲିସ କରାଯିବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ସେପଟେ ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ଇସ୍ରାଏଲର ଗାଜା ଦଖଲ ନିଷ୍ପତ୍ତି ମସ୍ତବଡ ଭୁଲ ହେବ । ଏଥିରୁ ଇସ୍ରାଏଲ ବିରତ ରହିବା ଜରୁରୀ । ଏହାରି ଭିତରେ ଗାଜାରେ ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଔଷଧ ଯୋଗାଇବାକୁ ଆହ୍ୱାନ ଦେଇଛି ଜାତିସଂଘ ।