/odishatv-khabar/media/post_attachments/uploadimage/library/16_9/16_9_0/Nepal_1757586426.jpg)
Nepal
ନେପାଳରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନର ପ୍ରୟାସ ତୀବ୍ର ହୋଇଛି। ଏହା ପାଇଁ ସେନା ଏବଂ ଆନ୍ଦୋଳନକାରୀଙ୍କ ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ନେପାଳରେ ଜେନ୍-ଜିଙ୍କ ପ୍ରତିବାଦରୁ ଆରମ୍ଭ ହୋଇଥିବା ବିରାଟ ଆନ୍ଦୋଳନ ଏବେ ଥମିଛି । ଏବେ ଆଲୋଚନା ଚାଲିଛି, କେମିତି ଗଢ଼ାହେବ ନୂଆ ସରକାର । ଏଥିପାଇଁ ଘନଘନ ବୈଠକ ଚାଲିଛି ।
ଆନ୍ଦୋଳନକାରୀଙ୍କ ପ୍ରତିନିଧି ଏବଂ ସେନା ମଧ୍ୟରେ ଆଲୋଚନା ଜାରି ରହିଛି । ବୁଧବାର ଖବର ଆସିଥିଲା ଯେ ଆନ୍ଦୋଳନକାରୀମାନେ ନେପାଳର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ସୁଶିଲା କାର୍କୀଙ୍କୁ ଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ କରାଯିବା ପାଇଁ ଦାବି କରିଛନ୍ତି। ଆଜି ଗୁରୁବାର ପ୍ରଧାନମନ୍ତ୍ରୀ ପଦ ପାଇଁ ଏକ ନୂଆ ନାଁ ସାମନାକୁ ଆସିଛି । ଆନ୍ଦୋଳନକାରୀଙ୍କ ପ୍ରତିନିଧିମାନେ କୁଲମାନ୍ ଘିସିଙ୍ଗଙ୍କ ନାଁକୁ ଆଗକୁ ଆଣିଛନ୍ତି ।
କୁଲମାନ୍ ଘିସିଙ୍ଗ କିଏ?
କୁଲମାନ୍ ଘିସିଙ୍ଗ ନେପାଳ ବିଦ୍ୟୁତ୍ ପ୍ରାଧିକରଣର ପୂର୍ବତନ ମ୍ୟାନେଜିଙ୍ଗ୍ ଡାଇରେକ୍ଟର। ନେପାଳରେ ବିଦ୍ୟୁତ୍ ସଙ୍କଟ ଦୂର କରିବା ଏବଂ ଶକ୍ତି କ୍ଷେତ୍ରରେ ସୁଧାର ପାଇଁ ତାଙ୍କୁ ଶ୍ରେୟ ଦିଆଯାଏ। ଯୁବକମାନଙ୍କ ମଧ୍ୟରେ ସେ ବହୁତ ଲୋକପ୍ରିୟ ବୋଲି ବିଚାର କରାଯାଏ। ଜେନ୍-ଜି ଗ୍ରୁପ୍ ପକ୍ଷରୁ ଜାରି ପତ୍ରରେ ତାଙ୍କୁ ଦେଶପ୍ରେମୀ ଏବଂ ସବୁଠାରୁ ସ୍ୱୀକୃତିଯୋଗ୍ୟ ବୋଲି କୁହାଯାଇଛି।
ଏହାରି ମଧ୍ୟରେ ଦେଶରେ ନୂଆ ସରକାର ଗଠନ ପାଇଁ ଆର୍ମି ହେଡ୍କ୍ୱାର୍ଟର୍ସରେ ସେନା ଏବଂ ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି। କିନ୍ତୁ ଏହି ମଧ୍ୟରେ ଆନ୍ଦୋଳନ କରୁଥିବା ଜେନ୍-ଜି ଯୁବକମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଅନେକ ଯୁବକ ଆଲୋଚନାର ବିରୋଧ କରିଛନ୍ତି ଏବଂ କହିଛନ୍ତି ଯେ ଭୁଲ୍ ଲୋକମାନଙ୍କୁ ଆଲୋଚନା ପାଇଁ ଡକାଯାଇଛି।
ସେମାନେ ଦାବି କରିଛନ୍ତି ଯେ ଆଲୋଚନା ରାଷ୍ଟ୍ରପତି ଭବନରେ ହେବା ଉଚିତ୍ ଏବଂ ଏହାକୁ ସାର୍ବଜନୀନ କରାଯିବା ଉଚିତ ।
ଜେନ୍-ଜିଙ୍କ ପକ୍ଷରୁ ଏକ ପତ୍ର ମଧ୍ୟ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହେବା ପାଇଁ ସବୁଠାରୁ ଯୋଗ୍ୟ ଏବଂ ସ୍ୱୀକୃତିଯୋଗ୍ୟ ବ୍ୟକ୍ତି କାଠମାଣ୍ଡୁ ମହାନଗର ନିଗମର ମେୟର ବାଲେନ୍ଦ୍ର ଶାହ ଓରଫ ବାଲେନ୍ । କିନ୍ତୁ ସେ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ମନା କରିଛନ୍ତି।
ପୂର୍ବତନ ନ୍ୟାୟାଧୀଶ ସୁଶିଲା କାର୍କୀଙ୍କ ନାମକୁ ମଧ୍ୟ ଅନେକ ଲୋକ ସମର୍ଥନ କରିଛନ୍ତି । କିନ୍ତୁ ତାଙ୍କ ସହ ଜଡ଼ିତ କିଛି ବିବାଦ ଏବଂ ଉଠିଥିବା ପ୍ରଶ୍ନ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି ।
ଏହି ପତ୍ରରେ କୁହାଯାଇଛି ଯେ ନେପାଳ ବିଦ୍ୟୁତ୍ ପ୍ରାଧିକରଣର ପୂର୍ବତନ ମ୍ୟାନେଜିଙ୍ଗ୍ ଡାଇରେକ୍ଟର କୁଲମାନ୍ ଘିସିଙ୍ଗ ଜଣେ ଯୋଗ୍ୟ ବ୍ୟକ୍ତି । ସକାରାତ୍ମକ ଭାବେ ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି । ବାଲେନ୍ଦ୍ର ଶାହ ଆଗ୍ରହ ପ୍ରକାଶ ନକରିବା ଏବଂ ସୁଶିଲା କାର୍କୀଙ୍କ ବୟସ ୭୦ ବର୍ଷରେ ରହିଛି । ଏହି କାରଣରୁ ଇଞ୍ଜିନିୟର୍ କୁଲମାନ୍ ଘିସିଙ୍ଗଙ୍କ ନାଁ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ପାଇଁ ଉଠିଛି ।
ଏହା ପୂର୍ବରୁ ନେପାଳର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ସୁଶିଲା କାର୍କୀ ଏବଂ ଦୁର୍ଗା ପ୍ରସାଇଙ୍କୁ ମଧ୍ୟ ସେନାର ସୁରକ୍ଷାରେ ବିଭିନ୍ନ ଗାଡ଼ିରେ ଆର୍ମି ହେଡକ୍ୱାର୍ଟର୍ସରେ ପହଞ୍ଚାଇଯାଇଥିଲା। ତେବେ କିଏ ସରକାରର ନେତୃତ୍ୱ ନେବେ ତାହା ସ୍ପଷ୍ଟ ହୋଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)