• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରୁଷ ସେନା ଉପରେ ୟୁକ୍ରେନ୍‌ର ଘାତକ ଡ୍ରୋନ୍ ହମଲା । ଡ୍ରୋନ୍ ଆକ୍ରମଣର ଭିଡିଓ ଜାରି କଲା କିଭ୍ । ସାମ୍ନାକୁ ଆସିଲା ୟୁକ୍ରେନ୍‌ର ଡ୍ରୋନ୍ ଆକ୍ରମଣର ଦୁଇ ଦୁଇଟି ଭିଡିଓ । ଗୋଟିଏ ସମୁଦ୍ରରେ, ଅନ୍ୟଟି ସଡ଼କ ଉପରେ ହମଲା ହୋଇଥିବାର ଦେଖିବାକୁ ମିଳିଛି । ପ୍ରଥମ ଭିଡିଓରେ ସ୍ନେକ୍ ଆଇଲ୍ୟାଣ୍ଡ୍ ପାଖରେ ପାଟ୍ରୋଲିଂ କରୁଥିବା ୨ଟି ରୁଷୀୟ ବୋଟ୍ ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଛି ୟୁକ୍ରେନ୍ । ୟୁକ୍ରେନ୍‌କୁ ଲାଗିଥିବା ବ୍ଲାକ୍ ସି ବା କୃଷ୍ଣ ସାଗରରେ ରହିଛି ଏହି ସ୍ନେକ୍ ଆଇଲ୍ୟାଣ୍ଡ୍ ।

ଡ୍ରୋନ୍ ଆକ୍ରମଣରେ ରୁଷୀୟ ପାଟ୍ରୋଲିଂ ବୋଟ୍‌ରେ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି । ଏହି ଡ୍ରୋନ୍ ତୁର୍କୀ ନିର୍ମିତ ବୋଲି କୁହାଯାଉଛି । ଦ୍ୱିତୀୟ ଭିଡିଓଟି ଯେତିକି ରୋଚକ, ସେତିକି ଘାତକ ମଧ୍ୟ । ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଦେଖିବାକୁ ମିଳିଛି ଯେ, କିଛି ରୁଷୀୟ ସୈନିକ ଏକ କାର୍‌ରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ, ଆକାଶରେ ଉଡ଼ୁଥିବା ଡ୍ରୋନ୍‌ରୁ ବୋମା ଖସୁଛି ଏବଂ ତାହା କାର୍‌ର ସନ୍‌ରୁଫ୍‌ ଦେଇ ଗାଡ଼ି ଭିତରେ ଫାଟୁଛି । ଏଥିରେ ଋଷୀୟ ଯବାନ ଆହତ ହୋଇଥିବା ଦେଖିବାକୁ ମିଳୁଛି । ଡ୍ରୋନ୍‌ରେ ଲାଗିଥିବା କ୍ୟାମେରାରେ ଏହି ଭିଡିଓ ରେକର୍ଡ ହୋଇଛି ।

ସେପଟେ ୟୁକ୍ରେନ୍ ବିରୋଧରେ ରୁଷିଆର ଆକ୍ରମଣ ଆଜି ୭୦ ଦିନରେ ପହଞ୍ଚିଥିବା ବେଳେ, ପୁଟିନ ମେ ୯ରେ ୟୁକ୍ରେନ୍ ବିରୋଧରେ ବିଧିବଦ୍ଧ ଭାବେ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏବେ ଯେଉଁ ଆକ୍ରମଣ ଚାଲିଛି, ତାହା କେବଳ ସ୍ୱତନ୍ତ୍ର ମିଲିଟାରି ଅପରେସନ୍ ବୋଲି କୁହାଯାଇଛି । ତେବେ ଯୁଦ୍ଧ ଘୋଷଣା ହେଲେ ୟୁକ୍ରେନ୍‌କୁ ହରାଇବା ପାଇଁ ପୂରା ସାମରିକ ବଳ ଲଗାଇଦେବ ମସ୍କୋ ।