Advertisment

ଅଣାୟତ ହେଉଛି ବାଂଲାଦେଶ ! ସବୁଠି ଆନ୍ଦୋଳନ, ରାସ୍ତା ଉପରେ ଜନସାଧାରଣ...

ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି, ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଛି, ଦୋକାନ ବଜାର ବନ୍ଦ ରହିଛି। ରାସ୍ତାଘାଟ ପୂରା ଖାଁ ଖାଁ । କେବଳ ମେଡିକାଲ ଏବଂ ଅନ୍ୟ ଜରୁରୀ ସେବା ପାଇଁ ନିୟମ କୋହଳ କରାଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bangladesh People Protest

Bangladesh People Protest

ଅଶାନ୍ତ ବାଂଲାଦେଶ, ବ୍ୟାପକ ହିଂସା । ଅସ୍ଥିର ଢାକା, ସ୍ଥିତି ଅଣାୟତ । ଉଗ୍ର ହେଲାଣି ଛାତ୍ର ଆନ୍ଦୋଳନ । ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ହଟାଇବା ଦାବିରେ ବାଂଲାଦେଶରେ ତୀବ୍ର ହେବାରେ ଲାଗିଛି ଛାତ୍ର ଆନ୍ଦୋଳନ । ସ୍ଥିତି ଏମିତି ହୋଇଛି ଯେ, ଏହାକୁ ପ୍ରତିହତ କରିବା ପାଇଁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ଯାଇଛି ୬ ଜଣଙ୍କ ଜୀବନ।

Advertisment

ପରେ ସ୍ଥିତି ଅଣାୟତ ହୋଇଥିବା ବେଳେ ପୋଲିସ, ସେନା ଓ ଅର୍ଦ୍ଧ ସାମରିକ ବାହିନୀକୁ ଢାକା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ମୁତୟନ କରାଯାଇଛି । ବିଶେଷ କରି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଏପରିକି ସଂରକ୍ଷଣ ସପକ୍ଷବାଦୀ ଏବଂ ବିରୋଧୀଙ୍କୁ ମୁହାଁମୁହିଁ ସ୍ଥିତିରୁ ହଟେଇବା ପାଇଁ ପୋଲିସକୁ ବାଧ୍ୟ ହୋଇ କଠୋର ହେବାକୁ ପଡ଼ୁଛି । କେଉଁଠି ଲାଠି ଚାର୍ଜ ତ କେଉଁଠି ପୁଣି ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଛି ।

ଅଧିକ ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି କରୋନା...

ସାରା ଦେଶକୁ ବ୍ୟାପିଛି ସରକାରୀ ଚାକିରିରେ ସଂରକ୍ଷଣ ସଂପୂର୍ଣ୍ଣ ବନ୍ଦ ଦାବିରେ ଚାଲିଥିବା ଛାତ୍ର ଆନ୍ଦୋଳନ । ଏଥିରେ ୬ଜଣଙ୍କ ଜୀବନ ଯିବା ପରେ ସାରା ଦେଶ ଏବେ ସଟଡାଉନ୍ ସ୍ଥିତିର ସମ୍ମୁଖିନ ହୋଇଛି। ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି, ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଛି, ଦୋକାନ ବଜାର ବନ୍ଦ ରହିଛି। ରାସ୍ତା ପୂରା ଖାଁ ଖାଁ । କେବଳ ମେଡିକାଲ ଏବଂ ଅନ୍ୟ ଜରୁରୀ ସେବା ପାଇଁ ନିୟମ କୋହଳ କରାଯାଇଛି ।

Advertisment

ଗତ ବୁଧବାରଠାରୁ ଦେଶର ସମସ୍ତ ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳକୁ ସରକାର ବନ୍ଦ ରଖିଛନ୍ତି । ସ୍ଥିତି ଉପରେ ନଜର ରଖିବା ପାଇଁ ପୋଲିସ ଏବଂ ସେନା ଯବାନ ମୁତୟନ ଅଛନ୍ତି । ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଚତୁର୍ଥ ପାଳିର ଶାସନର ଆରମ୍ଭରୁ  ଏମିତି ଏକ ବିରାଟ ବଡ଼ ଛାତ୍ର ଆନ୍ଦୋଳନର ସମ୍ମୁଖିନ ହେଉଛନ୍ତି, ଯାହା ତାଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି ।

ସେପଟେ ଆନ୍ଦୋଳନକାରୀଙ୍କ ଗୋଟିଏ ଦାବି ୧୯୭୧ ଯୁଦ୍ଧର ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ଦିଆଯାଉଥିବା ୩୦ ପ୍ରତିଶତ ସଂରକ୍ଷଣକୁ ତୁରନ୍ତ ହଟାଯାଉ। ସୂଚନା ଥାଉ କି, ସରକାରୀ ଚାକିରିରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଂଶଧରଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣକୁ ରଦ୍ଦ ପାଇଁ ୨୦୧୮ର ସରକାରୀ ସର୍କୁଲାରକୁ ବେଆଇନ ଘୋଷଣା କରି ଗତ ମାସ ୫ ତାରିଖରେ ହାଇକୋର୍ଟ ଦେଇଥିବା ରାୟର ଜବାବରେ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା। 

ସେପଟେ ବିବାଦ ବଢିବା ପରେ ଆସନ୍ତା ଅଗଷ୍ଟ ୭ରେ, ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ସରକାରଙ୍କ ପକ୍ଷରୁ କରାଯାଇଥିବା ଚ୍ୟାଲେଞ୍ଜର ଶୁଣାଣି ହେବ । ୱାର୍ ଭେଟରାନଙ୍କ ପରିବାରକୁ ୩୦ ପ୍ରତିଶତ ସଂରକ୍ଷଣ ପ୍ରଦାନ ସପକ୍ଷରେ ରହିଛି ହସିନା ସରକାର । ସେପଟେ ସ୍ଥିତି ସ୍ୱାଭାବିକ ହେବା ଯାଏ ଛାତ୍ରଛାତ୍ରୀଙ୍କୁ ହିଂସା ନ କରିବା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ।

ସଂରକ୍ଷଣ ବିରୋଧୀ ଛାତ୍ରଛାତ୍ରୀଙ୍କ ଅଭିଯୋଗ, ସଂରକ୍ଷଣ ବ୍ୟବସ୍ଥା ହେତୁ ବହୁ ମେଧାବୀ ଛାତ୍ରଛାତ୍ରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷେ, ସଂରକ୍ଷଣ ଆଳରେ କମ୍ ମାର୍କ ରଖିଥିବା ଛାତ୍ରଛାତ୍ରୀ ଭଲ ପଦବୀ ପାଇ ପାରୁଛନ୍ତି। ଏହାକୁ ନେଇ କିଛି ଦିନ ହେବ ବାଂଲାଦେଶରେ ଅସନ୍ତୋଷର ଝଡ଼ ମୁଣ୍ଡ ଟେକିଥିବା ବେଳେ ଏହାକୁ ପ୍ରଶମନ କରିବାକୁ ସରକାରୀ ସ୍ତରରେ ତ୍ୱରିତ ପଦକ୍ଷେପ ନିଆଯାଇନି। ଫଳରେ ଏହା ବିସ୍ଫୋରକ ରୂପ ଧାରଣ କରିଛି।

ଏବେ ଆସନ୍ତୁ ନଜର ପକାଇବ ବାଂଲାଦେଶରେ କେଉଁ ବର୍ଗକୁ କେତେ ସଂରକ୍ଷଣ ପ୍ରଦାନ କରାଯାଇଛି । ଯବାନଙ୍କ ପିଲାଙ୍କ ନିମନ୍ତେ ୩୦% ସଂରକ୍ଷଣ, ବାଂଲାଦେଶୀ ମହିଳାଙ୍କ ପାଇଁ ୧୦% ସଂରକ୍ଷଣ, ବିଭିନ୍ନ ଜିଲ୍ଲା ପାଇଁ ୧୦% ସଂରକ୍ଷଣ,ଦେଶର ବିଭିନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ୬% ସଂରକ୍ଷଣ । ଏହାକୁ ମିଶାଇ ସମୁଦାୟ ୫୬% ସିଟ୍ ସଂରକ୍ଷଣ ପାଇଁ ରହୁଥିବା ବେଳେ ଅବଶିଷ୍ଟ ୪୪% ସିଟ୍ କୁ ମେରିଟ ଲିଷ୍ଟ ପାଇଁ ରଖାଯାଉଛି। ଫଳରେ ମେଧାବୀ ହୋଇ ବି ବିନା ସଂରକ୍ଷଣରେ ଚାକିରି ଖଣ୍ଡେ ପାଇବା ଛାତ୍ରଛାତ୍ରୀଙ୍କ ପାଇଁ କାଠିକର ପାଠ ହୋଇ ଯାଉଛି।

ବାଂଲାଦେଶରେ ସ୍ଥିତି ଉଦବେଗଜନକ ରହିବାରୁ ସେଠାରେ ବସବାସ କରୁଥିବା ଭାରତୀୟ ଏବଂ ଛାତ୍ରଛାତ୍ରୀଙ୍କୁ ଭାରତ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିଜ ଘରୁ କିମ୍ବା ସୁରକ୍ଷିତ ସ୍ଥାନରୁ ଆନ୍ଦୋଳନ ସ୍ଥଳକୁ ଯାଆନ୍ତୁ ନାହିଁ ବୋଲି ଆଡଭାଇଜାରୀରେ କୁହାଯାଇଛି । ଏହା ସହ ସହାୟତା ପାଇଁ ୨୪ ଘଣ୍ଟିଆ ଜରୁରୀକାଳୀନ ନମ୍ବର ମଧ୍ୟ ଜାରି କରାଯାଇଛି । କୌଣସି ଜରୁରୀ ସହାୟତା ଆବଶ୍ୟକ ମନେ ହେଲେ ଢାକା ସ୍ଥିତ ହାଇ କମିଶନ କିମ୍ବା ଅସିଷ୍ଟାଣ୍ଟ ହାଇ କମିଶନଙ୍କୁ ଯୋଗାଯୋଗ କରିବା ପାଇଁ ନିର୍ଦ୍ଦେଶନାମାରେ କୁହାଯାଇଛି ।

ବାଂଲାଦେଶର ସ୍ଥିତି ଅସମ୍ଭାଳ ହେବା ପରେ ସରକାରୀ ଅଧିକାରୀଙ୍କୁ ଅପିଲ କରିଛନ୍ତି ୟୁଏନ୍ ହ୍ୟୁମାନ ରାଇଟ୍ସ ଚିଫ୍ ଭୋଲକର ଟର୍କ । ଆନ୍ଦୋଳନତରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ବିବାଦର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି । ବାକ୍ ସ୍ବାଧୀନତା ଏବଂ ଶାନ୍ତିପୂର୍ଣ୍ଣ ଭାବରେ ନିଜ ମତ ରଖିବାର ଅଧିକାର ସମସ୍ତଙ୍କର ରହିଛି ବୋଲି ଦୋହରାଇଛନ୍ତି ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲକର ଟର୍କ ।

Protest Riots
Advertisment
Advertisment