ଟ୍ରମ୍ପଙ୍କ ବଡ଼ ଘୋଷଣା
ଟାରିଫ୍ ଉପରେ ୯୦ ଦିନିଆ ବ୍ରେକ୍ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ ଚୀନ୍କୁ ଦେଇଛନ୍ତି ଜୋରଦାର ଝଟକା । ଚୀନ୍ ଉପରେ ଆହୁରି ପଡିଛି ଟାରିଫ୍ ମାଡ଼ । ୧୦୪ ପ୍ରତିଶତରୁ ୧୨୫ ପ୍ରତିଶତକୁ ବଢାଇ ଦେଇଛନ୍ତି ଟ୍ରମ୍ପ । ଯାହା ତତ୍କାଳ କାର୍ଯ୍ୟକାରୀ ବି ହୋଇଛି। ଏନେଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଚୀନ୍ ବିଶ୍ବ ବଜାର ପ୍ରତି ଅସମ୍ମାନ କରିଛି । ଆମେରିକା କିମ୍ବା ବିଶ୍ବର ଅନ୍ୟ ଦେଶକୁ ଶୋଷଣ ବରଦାସ୍ତ କି ସ୍ବୀକାର କରାଯିବନି । ଏ କଥା ଚୀନ୍ ଶୀଘ୍ର ବୁଝିଯିବ ବୋଲି ଆଶା କରୁଛି ଆମେରିକା ।
ଅଧିକ ପଢ଼ନ୍ତୁ: WHOର ସତର୍କବାଣୀ...ଆସୁଛି ଆଉ ଏକ ମହାମାରୀ, କୋଭିଡ-୧୯ ଠାରୁ ହେବ ଆହୁରି ଭୟଙ୍କର !
ତେବେ ଅନ୍ୟ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ଲାଗୁକୁ ୯୦ ଦିନ ସ୍ଥଗିତ ଘୋଷଣା କରି ଆଶ୍ବସ୍ତି ଦେଇଛନ୍ତି । କିନ୍ତୁ ଏହି ସମୟରେ ୧୦ ପ୍ରତିଶତ ମୂଳ ଶୁଳ୍କ ରହିବ ବୋଲି ସ୍ପଷ୍ଟ କରିଛନ୍ତି ଟ୍ରମ୍ପ । ଆମେରିକା ଉପରେ ଚୀନ୍ ୮୪ ପ୍ରତିଶତ ଟାରିଫ୍ ଲଗାଇବା ପରେ ଜବାବରେ ଚୀନ୍ ଉପରେ ରେସିପ୍ରୋକାଲ୍ ଟାରିଫକୁ ୧୨୫ ପ୍ରତିଶତକୁ ବଢାଇଛି ଆମେରିକା ।
ଟ୍ରମ୍ପ କହିଛନ୍ତି, ଆମେରିକା ପ୍ରତି ୭୫ରୁ ଅଧିକ ଦେଶର ସକରାତ୍ମକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ସେ ୯୦ ଦିନିଆ ଗ୍ରେସ୍ ପିରିୟଡ୍ ଘୋଷଣା କରିଛନ୍ତି। ଏହି ଦେଶଗୁଡ଼ିକ ଆମେରିକାର ବାଣିଜ୍ୟ ବିଭାଗ, ଅର୍ଥ ବିଭାଗ ଓ ବାଣିଜ୍ୟ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଛନ୍ତି । ବାଣିଜ୍ୟ, ଶୁଳ୍କ, ମୁଦ୍ରା ହେରଫେର ଓ ଅଣ-ଆର୍ଥିକ ଶୁଳ୍କ ଭଳି ସମସ୍ୟାର ସମାଧାନ ଖୋଜିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେହି ଦେଶଗୁଡ଼ିକ ଆମେରିକା ବିରୋଧରେ କୌଣସି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ସୂଚନା ଅନୁସାରେ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ମଧ୍ୟ ୨୬ ପ୍ରତିଶତ ଟାରିଫ୍ ଲଗାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744226852.jpg)