• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍‌ଡାଉନ ଘୋଷଣା । ଗତକାଲି ସକାଳ ୬ଟାରୁ ଲକ୍‌ଡାଉନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ସୋମବାର ସକାଳ ୬ଟା ଯାଏଁ ଏହା ବଳବତ୍ତର ରହିବ ।

ଶ୍ରୀଲଙ୍କାର କଲମ୍ବୋ ସମେତ ସାରା ଦେଶରେ ତେଜୁଥିବା ସରକାର ବିରୋଧୀ ଆନ୍ଦୋଳନ ଏବଂ ଏହାକୁ ନେଇ ଘଟୁଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବାକୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏହି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଆନ୍ଦୋଳନକାରୀଙ୍କୁ ଦମନ ଲାଗି ପୋଲିସକୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି ।

ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଜଟିଳ ହେଉଛି । ଦେଶରେ ଖାଦ୍ୟ, ଔଷଧ ଓ ପେଟ୍ରୋଲର ଘୋର ଅଭାବ ଦେଖାଦେଇଛି । ବିଜୁଳି ସଙ୍କଟ ଦେଖାଦେବାରୁ ଅନେକ ସହରରେ ପ୍ରତିଦିନ ୧୨ ଘଣ୍ଟା ବିଦ୍ୟୁତ କାଟ କରାଯାଉଛି । ଶ୍ରୀଲଙ୍କା ବାସିନ୍ଦା ଘୋର ଅନ୍ଧାରରେ ରହିଥିବାବେଳେ ସାର୍ବଜନୀନ ପରିବହନ ସେବା ମଧ୍ୟ ଠପ୍ ହୋଇଯାଇଛି ।

ଅନ୍ୟପକ୍ଷେ, ଶ୍ରୀଲଙ୍କାରେ ଏପ୍ରିଲ ୧ ତାରିଖରୁ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଲାଗୁ ନେଇ ରାଷ୍ଟ୍ରପତି ଗୋଟବାୟାଙ୍କ ଗେଜେଟ୍ ସ୍ୱାକ୍ଷର କରିଥିଲେ। ଜରୁରୀ ପରିସ୍ଥିତି ଘୋଷଣା କରି ସବୁ କ୍ଷମତା ରାଷ୍ଟ୍ରପତି ହାତକୁ ନିଆଯାଇଥିଲା ।

ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନ ଆଗରେ ହିଂସାକାଣ୍ଡ ପରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଉତ୍କଟ ଆର୍ଥିକ ସଂକଟକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି । ଅନେକ ସ୍ଥାନରେ ଲୋକେ ସରକାର ବିପକ୍ଷରେ ରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି । ଏହାସହ ଅନେକ ସ୍ଥାନରେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଇଛି । ବିକ୍ଷୋଭ ଓ ଆର୍ଥିକ ସଂକଟ ଯୋଗୁଁ ଦେଶରେ ଖାଦ୍ୟ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି । ଯାହାକୁ ନେଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।