• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆସନ୍ନ । କୌଣସି ବି ମୁହୂର୍ତ୍ତରେ ଆରମ୍ଭ ହୋଇପାରେ ଘମାଘୋଟ ଲଢ଼େଇ । ୟୁକ୍ରେନ ସୀମାରେ ୧ ଲକ୍ଷ ୩୦ ହଜାରରୁ ଅଧିକ ସୈନ୍ୟ ମୁତୟନ ହୋଇଛନ୍ତି । ଏହା ସହିତ ଋଷ ଟ୍ୟାଙ୍କ୍, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ମଧ୍ୟ ନିୟୋଜିତ କରିଛି । ତିନି ଆଡ଼ୁ ୟୁକ୍ରେନକୁ ଘେରିସାରିଲାଣି ଋଷ । ଅନ୍ୟପଟେ ଫେବୃଆରୀ ୧୬ରେ ୟୁକ୍ରେନ ଉପରେ ଆକ୍ରମଣ ହୋଇପାରେ ବୋଲି ଆମେରିକା କହିଛି ।

ଆମେରିକା ଏବଂ ୟୁରୋପୀୟ ଦେଶ ପକ୍ଷରୁ ରୁଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦିଆଯାଇଛି । ତଥାପି ଋଷ ନିଜ ଜିଦରେ ଅଟଳ । ରବିବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ (Joe Biden) ‌ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ସହ ଆଲୋଚନା କରିଛନ୍ତି । ସେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Volodymyr Zelenskyy)ଙ୍କ ସହ ମଧ୍ୟ ଏସମ୍ପର୍କରେ ଆଲୋଚନା କରିଛନ୍ତି ।

ୟୁକ୍ରେନ ସୀମାରେ ଏକ ଲକ୍ଷ ଋଷ ସୈନିକ ନିୟୋଜନ ହୋଇଥିବ ନେଇ ଗତ ସପ୍ତାହରେ ଆମେରିକୀୟ ଅଧିକାରୀ ସୂଚନା ଦେଇଥିଲେ । ତେବେ ବର୍ତ୍ତମାନ ୟୁକ୍ରେନ ସୀମାରେ ସୈନ୍ୟ ସଂଖ୍ୟା ବଢ଼ାଇଛି ଋଷ । ପ୍ରାୟ ୧ ଲକ୍ଷ ୩୦ ହଜାର ରୁଷିଆ ସୈନିକ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇକି ଅଛନ୍ତି । ଏଥିମଧ୍ୟରୁ ୧.୧୨ ଲକ୍ଷ ସ୍ଥଳ ସେନାର ହୋଇଥିବା ବେଳେ ୧୮ହଜାର ନୌସେନା ଏବଂ ବାୟୁସେନାର ବୋଲି ଜଣାପଡ଼ିଛି ।

ପୂର୍ବତନ ସୋଭିଏତ୍ ରିପବ୍ଳିକ ୟୁକ୍ରେନ ଉପରେ ବଳପୂର୍ବକ କବଜା କରିବେ କି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ? ଆମେରିକା ଓ ନାଟୋର ଚେତାବନୀ ସତ୍ତ୍ୱେ ସାମରିକ କାର୍ଯ୍ୟାନୁଷ୍ଠାନ କରିବେ କି ପୁତିନ ? ୟୁକ୍ରେନ ବିବାଦକୁ ନେଇ ସମଗ୍ର ୟୁରୋପରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଯୁଦ୍ଧ ଆଶଙ୍କା ବଢାଇ ଦେଇଛି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ମନ୍ତବ୍ୟ । NBCକୁ ସାକ୍ଷାତକାର ଦେଇ ବାଇଡେନ୍ ୟୁକ୍ରେନ୍ ଛାଡି ଚାଲି ଆସିବାକୁ ସବୁ ଆମେରିକୀୟ ନାଗରିକଙ୍କୁ ଆହ୍ୱାନ ଦେଇଥିଲେ । ବିଶ୍ୱର ଏକ ଶକ୍ତିଶାଳୀ ରାଷ୍ଟ୍ର ସହ ଆମେରିକା ମୁହାଁମୁହିଁ ସ୍ଥିତିରେ ରହିଛି । କୌଣସି ମୁହୂର୍ତ୍ତରେ କିଛି ବି ଘଟିପାରେ ।

ତେବେ ଯୁଦ୍ଧ ଆଶଙ୍କା ମଧ୍ୟରେ କିଛି ଦିନ ପୂର୍ବରୁ ଋଷିଆ ଓ ବେଲାରୁଷର ୧୦ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଥିଲା । ଏଠାରେ ମୁତୟନ ଅସ୍ତ୍ରଶସ୍ତ୍ରରୁ ଋଷିଆ ୟୁକ୍ରେନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତି ସାରିଥିବା ପ୍ରତିରକ୍ଷା ବିଶେଷଜ୍ଞ ଆଶଙ୍କା କରିଥିଲେ ।