• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେତେ ବିରୋଧ, କେତେ ଆପତ୍ତି । ତଥାପି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ । ଆମେରିକା ହ୍ୟୁଷ୍ଟନରେ ସେଦିନ ରଥଯାତ୍ରା କରିବାକୁ ମାତିଛି ସଂସ୍ଥା । ଏଣେ ହ୍ୟୁଷ୍ଟନରୁ ବି ପ୍ରବାସୀ ଓଡ଼ିଆ ଓ ପ୍ରବାସୀ ଭାରତୀୟମାନେ ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ସରକାରଙ୍କୁ ନିବେଦନ କଲେଣି । ଏଣେ ଶ୍ରୀମନ୍ଦିର ସେବକ କହିଲେଣି- ମହାପ୍ରଭୁଙ୍କୁ ଅପମାନ କଲେ ଦରକାର ପଡ଼ିଲେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ କଟକଣା ଲଗାଯାଇପାରେ ।

ହ୍ୟୁଷ୍ଟନ ସହରରୁ ଶୁଭୁଛି ଇସ୍କନ ବିରୋଧୀ ସ୍ୱର .. ଭକ୍ତ ରାଗିଲେଣି । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ନଖେଳିବାକୁ ତାଗିଦ୍ ବି କଲେଣି । ତା ସତ୍ତ୍ୱେ ଶୁଣୁନି କି ସୁଧୁରୁନି ଇସ୍କନ । ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ହେଉ କି ଗଜପତି ମହାରାଜାଙ୍କ ଚିଠି । ଏସବୁକୁ ବେଖାତିର କରି କେମିତି ଆସନ୍ତା ୯ ତାରିଖରେ ଅଦିନିଆ ରଥଯାତ୍ରା ଆୟୋଜନରେ ମାତିଛି । ଆମେରିକା ଇସ୍କନର ହ୍ୟୁଷ୍ଟନ ଶାଖା- ଆସିଛି ତାର ବଡ଼ ପ୍ରମାଣ ।

ଏସବୁ ଦେଖି ଇସ୍କନ ହ୍ୟୁଷ୍ଟନ ଶାଖା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସେଠି ରହୁଥିବା ପ୍ରବାସୀ ଓଡ଼ିଆ ଓ ପ୍ରବାସୀ ଭାରତୀୟ । ସମସ୍ତେ ତିଥି ଅନୁସାରେ ରଥଯାତ୍ରା କରିବାକୁ ଇସ୍କନକୁ କହିଥିବା ବେଳେ ଜଗନ୍ନାଥପ୍ରେମୀଙ୍କ ଆସ୍ଥା ସହ ନଖେଳିବାକୁ ଅନୁରୋଧ କରିଛନ୍ତି । ଯେହେତୁ ଏହା ଓଡ଼ିଆ ଅସ୍ମିତାର ପ୍ରଶ୍ନ, ତେଣୁ ଏହାକୁ ଅକ୍ଷୂର୍ଣ୍ଣ ରଖିବାକୁ ବିଦେଶ ମାଟିରୁ ଓଡ଼ିଶା ସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି ।

ହ୍ୟୁଷ୍ଟନ ସହରରେ ଅଦିନିଆ ରଥଯାତ୍ରାକୁ ନେଇ ବିରୋଧ ବଢିବାରୁ ଗତ ୩ ତାରିଖରେ ସ୍ନାନଯାତ୍ରା କାର୍ଯ୍ୟକ୍ରମରୁ ଓହରିଛି ଇସ୍କନ, ହେଲେ ଆସନ୍ତା ୯ ତାରିଖ ରଥଯାତ୍ରା ଜିଦରେ କିନ୍ତୁ ମାତିଛି । ଶନିବାର ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଫେଷ୍ଟିଭାଲ୍ ଅଫ୍ ବ୍ଲିସ୍ ନାଁରେ ଲେଜିଅନ୍ ପାର୍କରେ ଆୟୋଜନ କରିବ ରଥଯାତ୍ରା ।

ମଧ୍ୟାହ୍ନ ୧୨ଟାରୁ ପରେଡ୍ ଷ୍ଟାର୍ଟ ସହ ଅପରାହ୍ନ ୩ଟାରେ କଲର ଫେଷ୍ଟ କାର୍ଯ୍ୟକ୍ରମ କରିବାକୁ ଲିଫଲେଟ୍ ଛପାଇଛି । ଯାହାକୁ ନେଇ ଆମର ଏଠି ପଲ୍ଲୀରୁ ଦିଲ୍ଲୀ ଯାଏଁ ଉଠିଲାଣି ପ୍ରତିବାଦର ସ୍ୱର । ଦିଲ୍ଲୀର ନଏଡ଼ା ଓ ହଜଖାସ୍ ମନ୍ଦିର କାର୍ଯ୍ୟକର୍ତ୍ତା ଜଗନ୍ନାଥ ସଂସ୍କୃତିକୁ ବିଦିର୍ଣ୍ଣ ନକରିବାକୁ ଚେତାଇଲେଣି । ଏପଟେ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ପୁରୀ ଶ୍ରୀମନ୍ଦିର ସେବକ ବି ଇସ୍କନର ଶାସ୍ତ୍ର ବିରୋଧୀ ନୀତିକୁ କଡ଼ା ନିଶାନା କରିଛନ୍ତି ।

ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କହିଛନ୍ତି- ଇସ୍କନ ଜଗନ୍ନାଥ ସଂସ୍କୃତିର ଅପମାନ କଲେ, ଦରକାର ପଡ଼ିଲେ ପରିଚାଳନା କମିଟି ସେମାନଙ୍କ ଅନୁଗାମୀଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇବାର କ୍ଷମତା ମଧ୍ୟ ରଖିଛି । ସେହିପରି ବରିଷ୍ଠ ପ୍ରତିହାରୀ ସେବକ କହିଛନ୍ତି- ଯେହେତୁ ଇସ୍କନ ସୋସାଇଟି ଗୋଟିଏ, ତେଣୁ ଓଡ଼ିଶା କିମ୍ବା ଭାରତରେ ରହୁଥିବା ସେମାନଙ୍କ ସଂସ୍ଥା ମୁଖ୍ୟଙ୍କୁ ସରକାର ତାଗିଦ୍ କଲେ ସବୁ ସାବାଡ଼ ହୋଇଯିବେ ।

ଗୋଟିଏ ପଟେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିରୋଧ ବଢୁଥିବା ବେଳେ ଏ ସମ୍ପର୍କରେ ଅନ୍ତର୍ଜାତୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିବୁ ବୋଲି ଗତ ୨୬ ତାରିଖ ଦିନ ନିଜ ପ୍ରତିକ୍ରିୟାରେ କହିଥିଲା ଓଡ଼ିଶା ଇସ୍କନ୍ ଶାଖା । ହେଲେ ସେ ଏକଥା ଜଣାଇଛନ୍ତି କି ନାହିଁ ତାହା ଜଣାପଡ଼ି ନଥିବା ବେଳେ ଆଗକୁ ଓଡ଼ିଶା କି ଭାରତ ସରକାର ଇସ୍କନ ବିରୋଧରେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାର କଥା ।

OTV is now on Whatsapp

Join and get latest news update delivered to you via whatsapp

Join Now