• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ୍‌ ଉପରେ ଆକ୍ରମଣ କରିବ ଋଷିଆ, ଏସମ୍ପର୍କରେ ପୂର୍ବରୁ ଅବଗତ ଥିଲେ ଜିନପିଙ୍ଗ୍ ସରକାର । ୟୁକ୍ରେନ ଉପରେ ଆକ୍ରମଣକୁ ସାମୟିକ ସମୟ ପାଇଁ ରୋକିବାକୁ ଚୀନ୍ ଋଷିଆକୁ ଅନୁରୋଧ କରିଥିବା ବୋଲି ଏକ ଗୁପ୍ତଚର ରିପୋର୍ଟରୁ ଜଣାପଡ଼ିଛି । ଶୀତକାଳୀନ ଅଲିମ୍ପିକ୍ସ ପରେ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ଚୀନର ଅଧିକାରୀ । ଆଉ ତାହାହିଁ ହେଲା । ୱିଣ୍ଟର୍‌ ଓଲିମ୍ପିକ୍‌ ପରେ ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ପୁଟିନ୍ ।

ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏକ ଇଣ୍ଟିଲିଜେନ୍ସ ରିପୋର୍ଟ ଆଧାରରେ ଏପରି ଖବର ଛାପିଛି । ଚୀନ୍‌ର ବରିଷ୍ଠ ଅଧିକାରୀମାନେ ଋଷିଆର ଆକ୍ରମଣ ଯୋଜନା ବିଷୟରେ ପୂର୍ବରୁ ଅବଗତ ଥିଲେ । ଋଷିଆ ୟୁକ୍ରେନ ବିରୋଧରେ କିଛି ବଡ ପଦକ୍ଷେପ ନେବାକୁ ଯାଉଥିବା ସେମାନେ ଜାଣିଥିବା ଇଣ୍ଟେଲିଜେନ୍ସ ରିପୋର୍ଟ ସୂଚିତ ରହିଛି । ସେପଟେ ଆମେରିକାରେ ଚୀନ୍ ଦୂତାବାସର ମୁଖପାତ୍ର ଲିୟୁ ପେଙ୍ଗୁ ଏହି ଦାବି ତଥା ରିପୋର୍ଟକୁ ଭିତ୍ତିହୀନ କହିଛନ୍ତି । କେବଳ କଳ୍ପନାଜଳ୍ପନା କରି ଏପରି କୁହାଯାଉଥିବା କଥା ପ୍ରକାଶ କରିଛନ୍ତି । ଚୀନ୍‌କୁ ବଦନାମ କରିବା ଉଦ୍ଦେଶ୍ୟରେ ଏପରି କରାଯାଉଥିବା ସେ କହିଛନ୍ତି ।

ଅନ୍ୟପଟେ ଆମେରିକାର ବୈଦେଶିକ ବିଭାଗ, ସିଆଇଏ ଏବଂ ହ୍ୱାଇଟ୍ ହାଉସର ନ୍ୟାସନାଲ ସିକ୍ୟୁରିଟି ଏହି ଗୁପ୍ତଚର ରିପୋର୍ଟ ଉପରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ତେବେ ଏହାରି ଭିତରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଶ୍ଚିମୀ ଦେଶର ନେତାମାନେ ସପ୍ତାହେ ଧରି ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ବିଷୟରେ ଚେତାବନୀ ଦେଇଥିଲେ । ଆଉ ଏହା ପରେ ପରେ ୨୪ ଫେବୃଆରୀରେ ୟୁକ୍ରେନ ଉପରେ ଋଷିଆ ତିନିପଟୁ ଆକ୍ରମଣ କରିଥିଲା । ତାହା ମଧ୍ୟ ବେଜିଂ ଶୀତକାଳୀନ ଅଲିମ୍ପିକ୍ସ ଶେଷ ହେବାର ଗୋଟିଏ ଦିନ ପରେ ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଚୀନ୍ ଏବଂ ‌ଋଷୀୟ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଉପରେ ୱେଷ୍ଟର୍ଣ୍ଣ ଇଣ୍ଟେଲିଜେନ୍ସ ସର୍ଭିସ ଏହି ଗୁପ୍ତଚର ରିପୋର୍ଟ ପ୍ରସ୍ତୁତ କରିଛି। ତା’ପରେ ଅଧିକାରୀଙ୍କ ସମୀକ୍ଷା ପରେ ଏହାକୁ ବିଶ୍ୱସନୀୟ ବୋଲି କୁହାଯାଉଛି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶୀତକାଳୀନ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ଭାଗ ନେବାକୁ ପୁଟିନ ଫେବୃଆରୀରେ ବେଜିଂରେ ପହଞ୍ଚିଥିଲେ । ଏହି ସମୟ ମଧ୍ୟରେ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ ସହ ଅନେକ ଚୁକ୍ତି କରିଥିଲେ । ଅର୍ଥନୈତିକ ଏବଂ ଗ୍ୟାସ ଯୋଗାଣ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଉଭୟ ଦେଶ ସହମତ ହୋଇଥିଲେ।

ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷିଆ ଉପରେ ଅନେକ ଅର୍ଥନୈତିକ ପ୍ରତିବନ୍ଧକ ଲଗାଯାଇଛି । ତେବେ ଚୀନ୍ କିନ୍ତୁ ଏହାକୁ କଡ଼ା ନିନ୍ଦା କରିଛି । ଆମେରିକା ଏବଂ ସହଯୋଗୀ ରାଷ୍ଟ୍ରମାନେ ମସ୍କୋକୁ ଉସକାଇଥିବା କହିଛି । ଏସିଆ ମହାଦେଶରେ ଆମେରିକାର ଶକ୍ତି ବିଷୟରେ ଚୀନ୍ ଚିନ୍ତିତ । ଆଉ ସେଥିପାଇଁ ଋଷିଆ ସହିତ ମିଶି ଚୀନ୍ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି ।