• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୀନର ଆକ୍ରମଣ ଆଶଙ୍କାକୁ ଦେଖି ତାଇଓ୍ୱାନର ଯୁଦ୍ଧ ପ୍ରସ୍ତୁତି । ଖାସ୍ କରି ତାଇଓ୍ୱାନ୍ ଉପସାଗରରେ ଚୀନ୍ ଯୁଦ୍ଧ ଜାହାଜ ଅନୁପ୍ରବେଶ କରୁଥିବାରୁ ତାର ମୁକାବିଲା ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆମେରିକା ଯୋଗାଇ ଥିବା ଏଫ୍-୧୬ ଭାଇପର୍ ଜେଟରେ ଘାତକ ହାର୍ପୁନ କ୍ଷେପଣାସ୍ତ୍ର ଖଞ୍ଜି ଶତ୍ରୁକୁ ଅପେକ୍ଷା କରିଛନ୍ତି ତାଇଓ୍ୱାନ୍ ସୈନ୍ୟ । କ୍ଷୁଦ୍ର ହେଲେ ମଧ୍ୟ ମହାଶକ୍ତି ଚୀନର ମୁକାବିଲା କରିପାରିବେ ବୋଲି ମନରେ ଅସୀମ ଦମ୍ଭ । ତେଣେ ତାଇଓ୍ୱାନ୍ ଯୁଦ୍ଧ ଚାହେଁନି, ମାତ୍ର ଯୁଦ୍ଧ ଲଦି ଦିଆଗଲେ, ଦୃଢତାର ସହ ଜବାବ ଦେବ ବୋଲି କହିଛନ୍ତି ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍ ।

ଚାରିପଟୁ ଘେରି ରହି ତାଇଓ୍ୱାନବାସୀଙ୍କ ମନରେ ଭୟ ସଂଚାର କରୁଛି ପିଏଲ୍ଏ । ଗତକାଲି ଚୀନର ସର୍ବବୃହତ ସମରାଭ୍ୟାସ ଶେଷ ହୋଇଥିଲେ ମଧ୍ୟ, ତାଇଓ୍ୱାନର ପୂର୍ବ ଦିଗରେ ଏବେବି ପିଏଲଏର ସାମରିକ କାର୍ଯ୍ୟକଳାପ ଜାରି ରହିଛି । ବାସ୍ତବ ଯୁଦ୍ଧ ହେଲେ ଦ୍ୱୀପରାଷ୍ଟ୍ର ତାଇଓ୍ୱାନ୍ ଉପରେ ଆକ୍ରମଣ ଶୈଳୀ ଯାହା ହେବ, ଠିକ୍ ସେଇ ଢଙ୍ଗରେ ସମରାଭ୍ୟାସ କରିଛି ଚୀନ୍ ସେନା । ଉଭୟ ଜଳ ଓ ଆକାଶ ମାର୍ଗରୁ ଆକ୍ରମଣ ଲାଗି ଯୋଜନା ପ୍ରସ୍ତୁତ କରିଛି ପିଏଲ୍ଏ । ଗତକାଲି ସମରାଭ୍ୟାସର ଶେଷ ଦିନରେ ୬୬ଟି ଚିନୀ ଫାଇଟର ଜେଟ୍ ଓ ୧୪ଟି ଯୁଦ୍ଧପୋତ ଦୁଇ ରାଷ୍ଟ୍ରକୁ ପୃଥକ କରୁଥିବା ଜଳରାଶି ତାଇଓ୍ୱାନ୍ ଷ୍ଟ୍ରେଟ୍ ମେରିଡିଆନ ନିକଟରେ ଦେଖିବାକୁ ମିଳିଥିଲା ।

ସେହିପରି ଚୀନି ଡ୍ରୋନ ଗୁଡିକୁ ମଧ୍ୟ ସମରାଭ୍ୟାସରେ ଭାଗ ନେଇଥିବା କହିଛି ତାଇଓ୍ୱାନ୍ ପ୍ରତିରକ୍ଷା ବିଭାଗ । ଏହାର ମୁକାବିଲା ଲାଗି ତାଇଓ୍ୱାନ୍ ମଧ୍ୟ ନିଜ ଯୁଦ୍ଧପୋତଗୁଡିକୁ ଜଳସୀମା ନିକଟରେ ସଜାଗ ରଖିଥିଲା । ଅନ୍ୟପକ୍ଷରେ କୋରିଆ ଓ ଚୀନ୍ ମଧ୍ୟସ୍ଥ ଜଳସୀମା ବା ୟେଲୋ ସିରେ ଆସନ୍ତା ୧୫ ଯାଏଁ ପିଏଲଏର ସମରାଭ୍ୟାସ ଜାରି ରହିବ । ତେବେ ସମରାଭ୍ୟାସ ପରେ ଚୀନର ପଦକ୍ଷେପ କଣ ହେବ ତାକୁ ନେଇ ବିଶ୍ୱବ୍ୟାପୀ ବଢିଛି ଉତ୍କଣ୍ଠା ।

ଚୀନକୁ ମୁହଁତୋଡ଼ ଜବାବ ଦେବା ଲାଗି ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ତାଇଓ୍ୱାନ୍ । ଆମେରିକା ଯୋଗାଇ ଦେଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରଗୁଡିକୁ କମ୍ବାଟ୍ ରେଡି ବା ଯୁଦ୍ଧ ଲାଗି ପ୍ରସ୍ତୁତି ରଖାଯାଇଛି । ବିଭିନ୍ନ ଯୁଦ୍ଧରେ ସଫଳତାର ସହ ବ୍ୟବହାର କରାଯାଇଥିବା ଏସବୁ ଅସ୍ତ୍ର ଚୀନ୍ ପିଏଲଏ ଶିବିରରେ ଆତଙ୍କ ଖେଳାଇବା ଲାଗି ଯଥେଷ୍ଟ । ତେଣୁ ଆକାର ଓ ପରାକ୍ରମ ଦୃଷ୍ଟିରୁ ସୀମିତ ସମ୍ବଳ ଥିଲେ ମଧ୍ୟ ଏସବୁ ଅସ୍ତ୍ରଶସ୍ତ୍ର ବଳରେ ଚୀନକୁ ପାନେ ଚଖାଇବା ଲାଗି ନିଜକୁ ମାନସିକସ୍ତରରେ ପ୍ରସ୍ତୁତ ରଖିଛି ତାଇଓ୍ୱାନ୍ ସେନା ।

ଶତ୍ରୁ ଶକ୍ତିର ମୁକାବିଲା ନକରି, ଦୁର୍ବଳତା ଖୋଜି ପ୍ରତି ଆକ୍ରମଣ ଅର୍ଥାତ୍ ତାଇଓ୍ୱାନ୍ ଚୀନ୍ ବିପକ୍ଷରେ ପର୍କୁପାଇନ୍ ରଣନୀତି ଆପଣେଇବ ବୋଲି କହିଛନ୍ତି ବିଶେଷଜ୍ଞ । ଏଥିଲାଗି ଜଳପଥ ଓ ଆକାଶ ମାର୍ଗରେ ବ୍ୟବହାର ଲାଗି ଉଦ୍ଦିଷ୍ଟ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛି ଆମେରିକା ଯୋଗାଇ ଥିବା ଏଫ୍-୧୬ ଭାଇପର୍ । ଜେଟରେ ଘାତକ ହାର୍ପୁନ କ୍ଷେପଣାସ୍ତ୍ର ଖଞ୍ଜି ଶତ୍ରୁକୁ ଅପେକ୍ଷା କରିଛନ୍ତି ତାଇଓ୍ୱାନ୍ ସୈନ୍ୟ । ତାସହିତ ଅତ୍ୟାଧୁନିକ ଡ୍ରୋନକୁ ବି ପ୍ରସ୍ତୁତ ରଖାଯାଇଛି । ମୋବାଇଲ କୋଷ୍ଟାଲ ଡିଫେନ୍ସ କ୍ରୁଜ୍ ମିସାଇଲ ବ୍ୟବହାର କରି ଏହା ଚୀନର ବଡ଼ ବଡ଼ ଯୁଦ୍ଧ ଜାହାଜକୁ ଧ୍ୱଂସ କରିଦେବାର କ୍ଷମତା ରଖିଛି । ସେହିପରି ତାଇଓ୍ୱାନ୍ ନିକଟରେ ଆଖି ପିଛୁଳାକେ ଲୁଚି କରି ଆକ୍ରମଣ କରିପାରୁଥିବା କ୍ଷୁଦ୍ର କ୍ରାଫ୍ଟ ଓ ବୋଟ୍ ରହିଛି ।

ଏହା ବ୍ୟତିତ ସମୁଦ୍ର ମାଇନ୍ ଖଞ୍ଜିବା ଜାହାଜ ମଧ୍ୟ ତାଇଓ୍ୱାନ୍ ନିକଟରେ ରହିଛି । ଏସବୁ ସତ୍ତ୍ୱେ ବି ଯଦି ପିଏଲଏ ସୈନ୍ୟ ସମୁଦ୍ର ଅତିକ୍ରମ କରି ତାଇଓ୍ୱାନ୍ ମାଟିରେ ପାଦ ଦେବାକୁ ସମର୍ଥ ହୁଅନ୍ତି ,ତାର ମୁକାବିଲା ଲାଗି ବି ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । କାନ୍ଧରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ରହିଛି ତାଇଓ୍ୱାନ ସେନା ନିକଟରେ । ତାସହିତ ଅତି ସହଜରେ ଏକସ୍ଥାନରୁ ଅନ୍ୟସ୍ଥାନକୁ ନିଆଯାଇପାରୁଥିବା ଆର୍ଟିଲାରୀ ଓ ରକେଟ୍ ପ୍ରମାଳୀ ହିମାର୍ସ ମାଧ୍ୟମରେ ତାଇଓ୍ୱାନ୍ ସେନା ପିଏଲଏକୁ ପାନେ ଚଖାଇବାକୁ ସମର୍ଥ ବୋଲି କୁହାଯାଉଛି ।

ଏବେ ଆସନ୍ତୁ ଜାଣିବା କେତେ ଘାତକ ଆମେରିକା ନିର୍ମିତ ହାର୍ପୁନ କ୍ଷେପଣାସ୍ତ୍ର ଓ ଚୀନ୍ ସେନାକୁ ମାତ୍ ଦେବାରେ ତାଇଓ୍ୱାନ୍ ପାଇଁ କେତେ ଉପଯୋଗୀ ହେବ ଏହି ଅମୋଘ ଅସ୍ତ୍ର . . .

ତାଇଓ୍ୱାନକୁ କେବଳ ଜଳ ଓ ଆକାଶ ମାର୍ଗରେ ଆକ୍ରମଣ ସମ୍ଭବ । ଏହି ଦୃଷ୍ଟିରୁ ଚଳଚଞ୍ଚଳ ହୋଇପଡ଼ିଛି ତାଇଓ୍ୱାନର ହୁଆଲିଏନ୍ ଏୟାରବେସ । ଏଠାରେ ମୁତୟନ ଥିବା ଆମେରିକା ନିର୍ମିତ ଅତ୍ୟାଧୁନିକ ଏଫ୍-୧୬ ଭାଇପର ଜେଟ ଗୁଡିକୁ ଘାତକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି ରଖାଯାଇଛି । ଏଥିରେ ଖଞ୍ଜାଯାଇଛି ଅଚୁକ୍ ଲକ୍ଷ୍ୟଭେଦ କରୁଥିବା ୩ ପ୍ରଜାତିର କ୍ଷେପଣାସ୍ତ୍ର । ଆକାଶରୁ ଆକାଶକୁ ନିକ୍ଷେପ ହେଉଥିବା ୨ଟି ସ୍ୱଳ୍ପ ଦୂରଗାମୀ, ଆକାଶକୁ ଭୁପୃଷ୍ଠକୁ ନିକ୍ଷେପ ହେଉଥିବା ଦୁଇଟି ମଧ୍ୟମ ଦୂରଗାମୀ ହାର୍ପୁନ ଏବଂ ଆକାଶରୁ ଆକାଶକୁ ମାଡ଼ କରାଯାଉଥିବା ଦୁଇଟି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ସହ ଇଲେକ୍ଟ୍ରିକ୍ ଓ୍ୱାରଫେୟାର କ୍ୟାପସୁଲ୍ ମଧ୍ୟ ଏଥିରେ ରହିଛି । ନିର୍ଦ୍ଦେଶ ମିଳିବା କ୍ଷଣି ଏହି ଫାଇଟର ଜେଟ୍ ମାଧ୍ୟମରେ ତାଇଓ୍ୱାନ୍ ସେନା ପିଏଲଏ ନୌସେନା ଉପରେ ପ୍ରଚଣ୍ଡ ଆକ୍ରମଣ କରିପାରିବ ।

ଆମେରିକା ନିର୍ମିତ ହାର୍ପୁନ କ୍ଷେପଣାସ୍ତ୍ରର ବୈଶିଷ୍ଟ୍ୟ . .

ଏୟାରକ୍ରାଫ୍ଟ, ଯୁଦ୍ଧ ଜାହାଜ, ସବମେରିନ୍ ଅର୍ଥାତ୍ ଜଳଭାଗରୁ ଆକାଶ, ଆକାଶରୁ ସ୍ଥଳଭାଗ ଓ ଆକାଶରୁ ଆକାଶ ସମସ୍ତ ପ୍ରକାର ରଣକୌଶଳରେ ନିପୂଣ ଆମେରିକା ନିର୍ମିତ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ । ସବ୍-ସୋନିକ ଅର୍ଥାତ୍ ଶଦ୍ଦଠାରୁ କମ୍ ବେଗରେ ଗତି କରୁଥିଲେ ମଧ୍ୟ ନିଖୁଣ ଲକ୍ଷ୍ୟଭେଦ କ୍ଷମତା ଏହାକୁ ଏକ ଶକ୍ତିଶାଳୀ ଅସ୍ତ୍ର ପ୍ରଣାଳୀର ମାନ୍ୟତା ଦେଇଛି । ୧୯୭୭ ମସିହାରୁ ଏହା ଆମେରିକା ସେନା ଦ୍ୱାରା ବ୍ୟବହୃତ ହୋଇଆସୁଛି ।

ସମୟ କ୍ରମେ ଏହାର ଉନ୍ନତିକରଣ କରାଯିବା ସହ ଏହାକୁ ଅଧିକ ଶାଣିତ କରାଯାଇଛି । ସେହିପରି ଏହାର ଅନ୍ୟ ଏକ ବିଶେଷତା ହେଉଛି ଯେ ବିଭିନ୍ନ ପ୍ରକାର ଫାଇଟର ଜେଟ୍ ସହ ଏହାକୁ ସହଜରେ ଖଞ୍ଜା ଯାଇପାରେ। ନାଟୋ ସମେତ ତାଇଓ୍ୱାନ୍, ପାକିସ୍ତାନ, ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ, ୟୁଏଇ ଭଳି ବିଶ୍ୱର ୩୦ରୁ ଅଧିକ ଦେଶ ଏହି କ୍ଷେପଣାସ୍ତ୍ର ଆମେରିକାଠାରୁ କିଣିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now