• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱ ଅର୍ଥନୀତି ଉପରେ ପୁଣି କରୋନା ମାଡ଼ । ବିଶ୍ୱର ସର୍ବବୃହତ ଅର୍ଥନୀତି ଚୀନରେ କରୋନାର ତାଣ୍ଡବ । କେବଳ ଚୀନ୍ ନୁହେଁ, ସାରା ବିଶ୍ୱର ଅର୍ଥନୀତିକୁ ଧରାଶାୟୀ କରିବା ଆଶଙ୍କା ବଢିଯାଇଛି । ଚୀନରେ ଶିଳ୍ପ ଉତ୍ପାଦନ ସାଙ୍ଗକୁ ରିୟଲ ଇଷ୍ଟେଟ୍ ମାର୍କେଟ୍ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ନୂଆ ପ୍ରଜାତି BF.7 ଯେଭଳି ମାଡ଼ୁଛି ବ୍ୟବସାୟିକ କାର୍ଯ୍ୟକଳାପ ଏକରକମ ଠପ୍ ହୋଇଯାଇଛି ।

ଚାହିଦା ନଥିବାରୁ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ଛୋଟ ଓ ମଧ୍ୟମ ଶିଳ୍ପଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ତେଣେ ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁଁ ଚୀନର ରପ୍ତାନୀ ବି ବହୁମାତ୍ରାରେ ହ୍ରାସ ପାଇଛି । ପୂରା ସ୍ଥିତିକୁ ଦେଖିଲେ ୨୦୨୩ରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରିବାକୁ ଯାଉଛି ବୋଲି ବ୍ରିଟେନର ଏକ ରିସର୍ଚ୍ଚ ଫାର୍ମ କହିଛି ।

ଦୀର୍ଘ ଦିନର ସଂପୂର୍ଣ୍ଣ ଲକଡାଉନ୍ ଦ୍ୱାରା ଦେଶର ଅର୍ଥନୀତି ଯେତିକି ପ୍ରଭାବିତ ହୋଇନଥିଲା । ସଂକ୍ରମଣର ନୂଆ ଲହର ଆସିବା ପରେ ପୂରା ଠପ୍ ହୋଇଯାଇଛି ଶିଳ୍ପ ଉତ୍ପାଦନ ଓ ବ୍ୟବସାୟିକ କାର୍ଯ୍ୟକଳାପ । ସଂକ୍ରମିତ ହେବା ଆଶଙ୍କାରେ ଲୋକେ ପଦାକୁ ବାହାରୁ ନାହାନ୍ତି । ସମସ୍ତ ଯାତାୟତ କଟକଣା ହଟାଇ ଦିଆଯାଇଥିଲେ ମଧ୍ୟ ହାଟେଲ, ମଲ୍ ଓ ଦୋକାନ ବଜାରର ପୂରା ଖାଲି ରହୁଛି । ଫଳରେ କେବଳ ଖୁଚୁରା ମାର୍କେଟ ନୁହେଁ, ଶିଳ୍ପ ଉତ୍ପାଦନ ବି ସାଂଘାତିକ ଭାବେ ପ୍ରଭାବିତ ହୋଇଛି ।

ଅଧିକ ପଢ଼ନ୍ତୁ: ୮ଶହ ଟଙ୍କାରେ ମିଳିବ ନାଜାଲ ଭ୍ୟାକସିନ୍

ଚୀନ୍ ଅର୍ଥନୀତିର ଜୀବନଧାରା କୁହାଯାଉଥିବା ରିୟଲ ଇଷ୍ଟେଟ୍ ଓ କାର ମାର୍କେଟ୍ ବିଶେଷ ପ୍ରଭାବିତ ହୋଇଛି । ଅନିଶ୍ଚିତ ଭବିଷ୍ୟତକୁ ଦେଖି ଆଗରୁ ଘର ଓ କାର ବୁକ୍ କରିଥିବା ଲୋକେ ବୁକିଂ ରଦ୍ଦ କରିଦେଉଛନ୍ତି । ସେହିପରି ଉଭୟ ଘରୋଇ ଓ ବିଦେଶୀ ବଜାରରେ ସ୍ମାର୍ଟ ଫୋନର ଚାହିଦା ହ୍ରାସ, ଚୀନ୍ ଅର୍ଥନୀତିକୁ ଦୋହଲାଇ ଦେଇଛି । ବିଶ୍ୱବ୍ୟାପୀ ଅର୍ଥନୈତିକ ମାନ୍ଦାବସ୍ଥା ଚୀନର ଚିନ୍ତା ବଢ଼ାଇଛି । ଫଳରେ କ୍ରମାଗତ ଭାବେ ଚୀନ୍ର ରପ୍ତାନୀ ହ୍ରାସ ପାଇବାରେ ଲାଗିଛି ।

୨୦୨୩ରେ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଆସିବା ଏକରକମ ନିଶ୍ଚିତ ହୋଇଯାଇଛି । ଦରବୃଦ୍ଧିକୁ ନେଇ ସାରା ବିଶ୍ୱରେ ମୁଦ୍ରାସ୍ଫୀତି ଉତ୍କଟ ହୋଇଛି । ଏହାକୁ ନିୟନ୍ତ୍ରଣ ଲାଗି ଅନେକ ଦେଶ ସୁଧହାର ବୃଦ୍ଧି କରିସାରିଲେଣି । ଫଳରେ ଏସବୁ ଦେଶଙ୍କ ଅର୍ଥନୀତି ସଂକୁଚିତ ହେବ ବୋଲି କହିଛି ବ୍ରିଟେନର ରିସର୍ଚ୍ଚ ଫାର୍ମ ସେଣ୍ଟର ଫର୍ ଇକୋନୋମିକ୍ସ ଆଣ୍ଡ ବିଜିନେସ୍ ରିସର୍ଚ୍ଚ । ସେହିପରି ଆଗକୁ ଅନ୍ୟ ଦେଶ ମଧ୍ୟ ସମାନ ସ୍ଥିତିର ସାମ୍ନା କରିବେ ।

ତେବେ କେବଳ ଆସନ୍ତା ବର୍ଷ ନୁହେଁ ଆଗାମୀ କିଛି ବର୍ଷ ପାଇଁ ଅଭିବୃଦ୍ଧି ହାର କମିବ ବୋଲି ସଂସ୍ଥା ତରଫରୁ କୁହାଯାଇଛି । ୨୦୨୨ରେ ବିଶ୍ୱ ଜିଡିପି ୧୦୦ ଟ୍ରିଲିୟନ ଟପି ଥିଲା । ତେବେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ପ୍ରାଥମିକତା ହୋଇଥିବାରୁ ନିକଟ ଭବିଷ୍ୟତରେ ସୁଧହାର ହ୍ରାସ ସମ୍ଭାବନା କମ୍ । ତେଣୁ ମାନ୍ଦାବସ୍ଥାରୁ ତୁରନ୍ତ ମୁକ୍ତି ମିଳିବା ସମ୍ଭାବନା ମଧ୍ୟ କମ୍ ବୋଲି ରିସର୍ଚ ସଂସ୍ଥା କହିଛି ।

୨୦୨୩ରେ ବିଶ୍ୱର ଏକ ତୃତୀୟାଂଶ ରାଷ୍ଟ୍ରଙ୍କ ଅର୍ଥନୀତି ୨୫ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବରୁ ବିଶ୍ୱବ୍ୟାଙ୍କ ଆକଳନ କରିଥିଲା । ସେହିପରି ବିଶ୍ୱ ଜିଡିପି ଅଭିବୃଦ୍ଧି ମାତ୍ର ୨ ପ୍ରତିଶତ ହେବ ମାତ୍ର ୨୦୩୭ ସୁଦ୍ଧ ବିଶ୍ୱ ଜିଡିପି ଦୁଇ ଗୁଣା ହେବା ଆଶା ରହିଛି । ଭାରତ ଓ ଅନ୍ୟ ପୂର୍ବ ୟୁରୋପୀୟ ଦେଶର ଜିଡିପି ବିଶ୍ୱ ଡିଜିପିର ପ୍ରାୟ ଏକ ତୃତୀୟାଂଶ ହେବ ମାତ୍ର ୟୁରୋପର ଜିଡିପି ଏକ ପଞ୍ଚମାଂଶକୁ ଖସି ଯିବ ବୋଲି ଆକଳନ କରାଯାଇଛି ।