• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୧ ବର୍ଷର ଶିଶୁ, ଜୀବନ ବଞ୍ଚାଇବାକୁ ଚାଲିଲା ୧୧ଶହ କିଲୋମିଟର । ଯୁଦ୍ଧ ଯେ କେତେ ଭୟଙ୍କର ତାହା ବୁଝିବା ପାଇଁ ଏତିକି ହିଁ ଯଥେଷ୍ଟ । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି ଜଣେ କୁନି ପିଲା ଏକା ଏକା କାନ୍ଦି କାନ୍ଦି ରାସ୍ତାରେ ଚାଲି ଚାଲି ଆସିଛି । ପାଖରେ ଆହା ପଦେ କହିବାକୁ କେହି ନାହିଁ । ପିଲାଟିର ବାପା ମାଆ କେଉଁଠି ତାହାର ଠିକଣା ନାହିଁ । ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ସାମ୍ନାକୁ ଆସିଛି ଏଭଳି ହୃଦୟ ବିଦାରକ ଚିତ୍ର । ଯୁଦ୍ଧରେ କୋଠା ବାଡ଼ି ନଷ୍ଟ ହେବା, ବୋମା ବର୍ଷଣର ଚିତ୍ର ସମସ୍ତେ ଦେଖିଛନ୍ତି । ହେଲେ ମାନବିକତାକୁ ଚିରି ଦେଲା ଭଳି ଏଭଳି ଚିତ୍ର ଏବେ ସାମ୍ନାକୁ ଆସିଛି ।

ସ୍ଲୋଭାକିଆ ପୋଲିସ ଜାରି କରିଥିବା ଏହି ୧୧ ବର୍ଷ ନାବାଳକର ଭିଡିଓ ସାରା ବିଶ୍ୱକୁ ସ୍ତବ୍ଦ କରିଦେବା ଭଳି ରହିଛି । କୁନି ପିଲାଟି ସହ ସାଙ୍ଗରେ କେହି ନାହିଁ । ଏକୁଟିଆ ଛୋଟ ପିଲାଟି ଏକ କୁନି ବ୍ୟାଗ ଧରି କାନ୍ଦି କାନ୍ଦି ୟୁକ୍ରେନ୍ ସୀମା ପାର କରି ସ୍ଲୋଭାକିଆରେ ପହଞ୍ଚିଥିଲା । ତା ହାତରେ ଏକ ଫୋନ୍ ନମ୍ବର ଲେଖା ଥିବା ପୋଲିସ ଦେଖିବାକୁ ପାଇଥିଲା । ୟୁକ୍ରେନ୍‌ର ଜାପୋରିଝାଝିଆ ଅଞ୍ଚଳରୁ ସେ ଏକୁଟିଆ ଚାଲିଚାଲି ସ୍ଲୋଭାକିଆ ଯାଇଥିଲା । ପୋଲିସର ସୂଚନା ଅନୁଯାୟୀ ପିଲାଟିର ବାପା ମାଆ ୟୁକ୍ରେନ୍‌ରେ ଫସିରହିଛନ୍ତି । ପିଲାଟି ପାଖରେ ପାସପୋର୍ଟ, ହାତରେ ଲେଖା ଫୋନ୍ ନମ୍ବର ଓ ଛୋଟ ବ୍ୟାଗ୍‌ ଟିଏ ରହିଛି । ସ୍ଲୋଭାକିଆ ସୀମା ପାର କରିବା ପରେ ପିଲାଟିକୁ ଖାଦ୍ୟ, ପାନୀୟ ଦିଆଯାଉଥିବା ସ୍ଲୋଭାକିଆ ପୋଲିସ ସୂଚନା ଦେଇଛି । ଯୁଦ୍ଧ ଯେ କେତେ ଭୟଙ୍କର ତାହା ବୁଝିବା ପାଇଁ ଏତିକି ହିଁ ଯଥେଷ୍ଟ ।

ତେବେ ଗୋଟିଏ ପଟେ ଯୁଦ୍ଧ ଥମୁନଥିବା ବେଳେ ଭୟରେ ଅନେକ ୟୁକ୍ରେନ୍‌ବାସୀ ଦେଶ ଛାଡ଼ି ଚାଲିଯାଇଛନ୍ତି । ଏଭଳି ପରିସ୍ଥିତିରେ ତୃତୀୟ ଥର ପାଇଁ ଋଷିଆ ଯୁଦ୍ଧ ବିରତି ଘୋଷଣା କରିଛି । ୫ ସହର କିଭ୍, ଚେରନିଭ୍, ସୁମି, ମାରିଉପଲ, ଖାରକିଭରେ ସାମୟିକ ଯୁଦ୍ଧ ବିରତି ଘୋଷଣା ହୋଇଛି । ଭାରତୀୟ ସମୟାନୁସାରେ ଆଜି ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଆରମ୍ଭ ହେବ । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପୁଟିନ୍‌ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ମାନବ କରିଡର ଜରିଆରେ ଲୋକଙ୍କୁ ଉଦ୍ଧାର କରାଯିବ । ବେଲାରୁଷରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପରେ ରୁଷିଆ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।